ନୂଆଦିଲ୍ଲୀ,୩୦/୦୫: ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଶୁକ୍ରବାର କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ପୁଅ ଏବଂ ତାଙ୍କ ପରିବାର ପକ୍ଷରୁ ବୋହୂ ଏବଂ ବୋହୂର ପରିବାରକୁ ଦିଆଯାଉଥିବା ଅପମାନକୁ ରୋକାଯିବା ଜରୁରି । ପୁଅମାନେ କାହିଁକି ବିବାହ କରନ୍ତି ଏବଂ ପରେ ଝିଅ ଓ ତାଙ୍କ ପରିବାରକୁ ଅପମାନିତ କରନ୍ତି? ସମାଜକୁ ଏପରି ସନ୍ଦେଶ ଯିବା ଆବଶ୍ୟକ ଯେ, ବୋହୂ ଏବଂ ତାଙ୍କ ପରିବାରକୁ ଅପମାନ କେବେ ବରଦାସ୍ତ କରାଯିବ ନାହିଁ । ଏଥିସହ ଅଭିଯୁକ୍ତ ସ୍ୱାମୀ ପକ୍ଷରୁ ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲା ଛତିଶଗଡ଼ରେ ୨୦୧୦ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଜଡ଼ିତ । ମହିଳାଙ୍କ ବିବାହର ୩ ବର୍ଷ ଭିତରେ ଶାଶୁ ଘରେ ସେ ରଶି ଲଗାଇ ଜୀବନ ହାରିଥିଲେ ।
ଅଧିକ ପଢ଼ନ୍ତୁ :- Operation Sindoor 2.0: 'ଉସକାଇଲେ ଭାରତ କ'ଣ କରିପାରେ 'ଅପରେସନ୍ ସିନ୍ଦୂର'ରେ ଦେଖାଇ ସାରିଛି' ; ଶତ୍ରୁକୁ ଆର୍ମି ଚିଫ୍ଙ୍କ କଡ଼ା ମେସେଜ୍
ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକ ଅଧିକ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ । ଶୁଣାଣି ବେଳେ ଜଷ୍ଟିସ୍ ନାଗରତ୍ନା କହିଥିଲେ ଯେ, ଶାଶୁ ଘର ଲୋକେ ବୋହୂ ଏବଂ ତାଙ୍କ ପରିବାର ଠାରୁ ଅଧିକ ଟଙ୍କା କିପରି ବାହାର କରାଯାଇପାରିବ ସେହି ଉଦ୍ଦେଶ୍ୟରେ ରହିଥିଲେ । ରେକର୍ଡରେ ଥିବା ଅଭିଯୋଗ କଥା ଉଠାଇ ଜଷ୍ଟିସ୍ ନାଗରତ୍ନା କହିଥିଲେ, ଝିଅ ଘର ଲୋକଙ୍କୁ ପୁଅ ଘର ଲୋକେ ଭିକାରୀ ବୋଲି କହିଥିଲେ । ଝିଅର ପରିବାର ଲୋକେ ନିଜ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ଏବଂ ପୁଅ ଘର ଲୋକେ ସେମାନଙ୍କୁ ଭିକାରୀ କହୁଥିଲେ! ଝିଅର ବାପା ଝିଅ ପାଇଁ ତାଙ୍କ ଶାଶୁ ଘରକୁ ୬୦ ହଜାର ଟଙ୍କା ଦେଇପାରିବେ ବୋଲି ବି କହିଥିଲେ । କିନ୍ତୁ ତାଙ୍କୁ ପୁଅର ପରିବାର ଭିକାରୀ କିପରି କହିଥିଲେ? ସୁପ୍ରିମକୋର୍ଟ ପୁଅର ସାନ ଭାଇ ପକ୍ଷରୁ ହୋଇଥିବା ପିଟିସନ ଉପରେ ଶୁଣାଣି କରୁଥିଲେ । କ୍ରୁରତା ଏବଂ ପ୍ରତାଡ଼ନା ଧାରାରେ ଅଭିଯୁକ୍ତ ସ୍ୱାମୀକୁ ଛତିଶଗଡ଼ ହାଇକୋର୍ଟ ଦେଇଥିବା ଦଣ୍ଡାଦେଶକୁ ପିଟିସନରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ଯୌତୁକ ଦାବି ହିଁ ମହିଳାଙ୍କ ମୃତ୍ୟୁ ସହ ସିଧାସଳଖ ଜଡ଼ିତ ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।