ଭୁବନେଶ୍ୱର ୦୧/୦୧: ଜାନୁଆରୀ ୩ ଅର୍ଥାତ ଶୁକ୍ରବାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ଡ. କେ. ହରିବାବୁ। ଆସନ୍ତାକାଲି ଅପରାହ୍ନ ୨ଟାରେ ଭୁବନେଶ୍ୱର ସ୍ଥିତି ରାଜଭବନ ପହଞ୍ଚିବେ। ଶୁକ୍ରବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହି ଶପଥ ଗ୍ରହଣ ସମାରୋହ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ୍ ହେବେ।
ଡ. କେ ହରି ବାବୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ୨୦୧୪ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ହରି ବାବୁ । ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ ଥିଲେ । ହରି ବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି । ଏବେ ମିଜୋରାମର ରାଜ୍ୟପାଳ ଅଛନ୍ତି କେ. ହରିବାବୁ।
୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ ହରି ବାବୁ ବିଶାଖାପାଟନମ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଦଳ ଦାୟିତ୍ଵ ଦେଇଥିଲା । ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।