ନୂଆଦିଲ୍ଲୀ, ୨୮।୯: ସମସ୍ତେ ଜାଣିଛନ୍ତି ଯେ, ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କେତେ ବିପଦପୂର୍ଣ୍ଣ । ତଥାପି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଯେତେ ସଚେତନ କଲେ ବି ସେମାନେ ପୁଣି ମଦ୍ୟପାନ କରିଥାନ୍ତି । କିଛି ଅଛନ୍ତି, ଯେଉଁମାନେ ମଦ୍ୟପାନର କୁପ୍ରଭାବ ବିଷୟରେ ଜାଣି ସମୟ ପୂର୍ବରୁ ସଚେତନ ହୋଇଯାନ୍ତି । କିନ୍ତୁ, କିଛି ଏମିତି ଅଛନ୍ତି, ଯେଉଁମାନଙ୍କ ପାଇଁ ମଦ୍ୟପାନ କରିବା ଏକ ଦୈନିକ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ, ଥରଟେ ଏହା ଉପରେ ଆପଣ ରିସର୍ଚ୍ଚ କରନ୍ତୁ । ବଡ଼ ବଡ଼ ୟୁନିଭର୍ସିଟିର ଗବେଷକମାନଙ୍କ ରିପୋର୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଏକ ଗବେଷଣାରୁ ଏଭଳି ଏକ ରିପୋର୍ଟ ଆମ ହାତରେ ଲାଗିଛି, ଯାହାକୁ ଶୁଣିଲେ ମଦ୍ୟପାନ କରୁଥିବା ବ୍ୟକ୍ତି ଆଉ ଦିନେ ବି ମଦକୁ ହାତ ଲଗାଇବେନି । କିଛି ଲୋକ କୁହନ୍ତି, “ହେ, ମୁଁ କେତେବେଳେ କେମିତି ଡ୍ରିଙ୍କ୍ସ କରେ, ସବୁବେଳେ ନୁହଁ, ମୋର କ’ଣ ହବ ?” କିନ୍ତୁ ତାଙ୍କ ଧାରଣ ସମ୍ପୂର୍ଣ୍ଣ ଭୂଲ । ନିକଟରେ ଏକ ଅଧ୍ୟୟନ ଦାବି କରିଛି ଯେ ଅଳ୍ପ ପରିମାଣର ମଦ୍ୟପାନ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ ।
BMJ ଏଭିଡେନ୍ସ-ବେସଡ ମେଡିସିନ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି ଯେ, ଅଳ୍ପ ପରିମାଣର ମଦ୍ୟପାନ ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ । ମଦ୍ୟପାନ କେବଳ ଶରୀର ଉପରେ ନୁହେଁ ବରଂ ମସ୍ତିଷ୍କ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇଥାଏ । ମଦ୍ୟପାନ ଡିମେନସିଆ ଭଳି ସ୍ମୃତି ହ୍ରାସ ବ୍ୟାଧିର ଆଶଙ୍କା ବୃଦ୍ଧି କରେ । ଏବେ ଆସନ୍ତୁ ଜାଣିବା ମଦ୍ୟପାନ ମସ୍ତିଷ୍କକୁ କିପରି ପ୍ରଭାବିତ କରେ ? ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ କ୍ଲିନିକାଲ ଗବେଷକ ଅନ୍ୟା ଟୋପିୱାଲା କହିଛନ୍ତି ଯେ, ଅଳ୍ପ ପରିମାଣର ମଦ୍ୟପାନ ମଧ୍ୟ ଡିମେନ୍ସିଆର ବିପଦକୁ ବୃଦ୍ଧି କରିପାରେ । ଏହି ଗବେଷଣାରେ ପର୍ଯ୍ୟବେକ୍ଷଣ ଏବଂ ଜିନ-ସମ୍ବନ୍ଧୀୟ ବିଶ୍ଳେଷଣ ଅନ୍ତର୍ଭୁକ୍ତ ଥିଲା । ଏହି ଅଧ୍ୟୟନରେ ପ୍ରାୟ ୫ ଲକ୍ଷ ୬୦ହଜାର ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା । ଗବେଷକମାନେ ମଦ୍ୟପାନ ଅଭ୍ୟାସ ଏବଂ ସମୟ ସହିତ ଡିମେନ୍ସିଆର ବିପଦ ତୁଳନା କରି ଏଭଳି ଦାବି କରିଛନ୍ତି । ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ ସପ୍ତାହର ୭ ଦିନ ଯାକ ମଦ୍ୟପାନ କରନ୍ତି ଏବଂ ଯେଉଁମାନେ ଗୋଟିଏ କିମ୍ୱା ଦୁଇ ଦିନ ମଦ୍ୟାପାନ କରନ୍ତି ଉଭୟଙ୍କ ମଧ୍ୟରେ ଟିକିଏ କମ ବିପଦ ଥାଏ । ସବୁଠୁ ଆଶ୍ଚର୍ଯ୍ୟର କଥା, ଯେଉଁମାନେ ଅଳ୍ପ ମଦ୍ୟପାନ କରନ୍ତି ସେମାନଙ୍କ ମଧ୍ୟରେ ଡିମେନସିଆ ହେବାର ଆଶଙ୍କା ଅଧିକ ହୋଇପାରେ । ଗବେଷକଙ୍କ ଅନୁସାରେ, ଯେତେ ଅଧିକ ମଦ୍ୟପାନ କରାଯାଏ, ଡିମେନ୍ସିଆ ହେବାର ଆଶଙ୍କା ସେତେ ଅଧିକ ଥାଏ ।
ଗବେଷକମାନେ ୨.୪ ମିଲିୟନ ଲୋକଙ୍କୁ ନେଇ ବିଭିନ୍ନ ଡିମେନ୍ସିଆ ଅଧ୍ୟୟନରୁ ଜିନ ତଥ୍ୟ ବିଶ୍ଳେଷଣ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନଙ୍କର ମଦ୍ୟପାନ ସହିତ ଜଡ଼ିତ ଜିନ ସ୍ତର ଅଧିକ ଥିଲା ସେମାନଙ୍କର ମଧ୍ୟ ଡିମେନ୍ସିଆ ହେବାର ଆଶଙ୍କା ଅଧିକ ଥିଲା । ସରଳ ଭାଷାରେ କହିବାକୁ ଗଲେ, ଯେଉଁମାନେ ସପ୍ତାହରେ ୩ ଦିନ ମଦ ପିଇଥିଲେ ସେମାନଙ୍କର ଡିମେନ୍ସିଆ ହେବାର ଆଶଙ୍କା କେବଳ ଗୋଟିଏ ଦିନ ପିଇଥିବା ଲୋକଙ୍କ ତୁଳନାରେ ୧୫% ଅଧିକ ଥିଲା । ମଦ୍ୟପାନ ନିର୍ଭରଶୀଳତା ସହିତ ଜଡ଼ିତ ଜିନ ଥିବା ଲୋକଙ୍କର ବିପଦ ୧୬% ବୃଦ୍ଧି ପାଇଥିଲା । ଯଦିଓ ଏହି ଅଧ୍ୟୟନ ସିଧାସଳଖ ପ୍ରମାଣ କରେ ନାହିଁ ଯେ ମଦ୍ୟପାନ ଡିମେନ୍ସିଆର କାରଣ ହୁଏ, ଏହା ନିଶ୍ଚିତ ଭାବରେ ମସ୍ତିଷ୍କ ଉପରେ କିଛି ପରିମାଣର ପ୍ରଭାବ ପକାଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି ।