ଭଦ୍ରକ,୩୧/୦୫: ୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର ।  ଚକା ଲିକ ହୋଇ ଯିବାରୁ ରାସ୍ତା ମଝିରେ ଗାଡିକୁ ଛାଡି ଡ୍ରାଇଭର ଫେରାର ଅଭିଯୋଗ। ମଝି ରାସ୍ତାରେ  ଛଟପଟ ହେଲେ ରୋଗୀ। ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ  ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

ସୂଚନା ମୁତାବକ, ଜଣେ ଗୁରୁତର ମହିଳା ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସଟି  ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଯାଉଥିଲା । ହେଲେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର  କୁଆଁରସର ନିକଟରେ ଗାଡ଼ିଟିର ଆଗ ଚକାଟି ଲିକ ହୋଇଯାଇଥିଲା । ଏହା ଦେଖି ଡ୍ରାଇଭର ଜଣକ ଗାଡି ଛାଡି କୁଆଡ଼େ ପଳାଇ ଯାଇଥିଲେ । ରୋଗୀଙ୍କ ସମ୍ପର୍କୀୟ ବ୍ୟସ୍ତ ବିବ୍ରତ ଦେଖି ସ୍ଥାନୀୟ ଲୋକ ଏକ ବେସରକାରୀ କାରକୁ ଅଟକାଇ ଥିଲେ । ଆଉ ସେଥିରେ ରୋଗୀକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ପଠାଇଥିଲେ। ମାତ୍ର ୧୦୮ ମାଗଣା ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ପଦାରେ ପଡିଛି । ଗାଡ଼ିରେ  ଷ୍ଟେପିନ  ଟାୟାର ନ ଥିବାରୁ ଏପରି ଅବସ୍ଥା ଘଟିଥିବା କୁହାଯାଉଛି ।