ନୂଆଦିଲ୍ଲୀ, ୧୮।: ଆମେରିକାର କାଲିଫର୍ଣ୍ଣିଆରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ବିଶ୍ୱରେ ଏବେ ସ୍ୱୟଂଚାଳିତ ଯାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଗୋଟେପଟେ ସ୍ୱୟଂଚାଳିତ ଯାନ ପ୍ରଯୁକ୍ତିବିଦ୍ୟାକୁ ପାଦେ ଆଗେଇ ନେଇଥିବା ବେଳେ ଅନ୍ୟପଟେ ଆଇନଗତ ନିୟମକୁ ଚ୍ୟାଲେଞ୍ଜ କରିଛି । ଯେତେବେଳେ ଜଣେ କାର୍ ଚାଳକ ଟ୍ରାଫିକ ନିୟମ ଉଲଙ୍ଘନ କରନ୍ତି, ତେବେ ଗାଡ଼ି ଉପରେ ଜରିମାନା ଲଗାଯାଏ, କିନ୍ତୁ କୌଣସି ସ୍ୱଂୟଚାଳିତ ଯାନ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଏଥିପାଇଁ ଦାୟୀ କିଏ ? ସେପ୍ଟେମ୍ବର ୨୭ ତାରିଖରେ, ଆଲଫାବେଟ୍ ଇନକର୍ପୋରେଟେଡ୍ର ଏକ ସହାୟକ କମ୍ପାନୀ ୱେମୋ ଦ୍ୱାରା ପରିଚାଳିତ ଏକ ସ୍ୱୟଂଚାଳିତ କାର୍ ଟ୍ରାଫିକ୍ ଉଲ୍ଲଂଘନ କରିଥିବା ବେଳେ ଧରାପଡ଼ିଥିଲା । ଯାହା ସ୍ଥାନୀୟ ପୁଲିସକୁ ଦ୍ୱନ୍ଦ୍ୱରେ ପକାଇଥିଲା ।
ସାନ ବ୍ରୁନୋ ପୋଲିସ ବିଭାଗ (SBPD) ଅନୁଯାୟୀ, ଅଧିକାରୀମାନେ ଏକ ଧଳା ଜାଗୁଆର I-PACE ଇଲେକ୍ଟ୍ରିକ୍ ଯାନକୁ ଟ୍ରାଫିକରେ ରେଡ୍ ଲାଇଟ ଦିଆଯାଇଥିବା ସତ୍ତ୍ୱେ ୟୁ-ଟର୍ଣ୍ଣ ନେଉଥିବାର ଦେଖିଲେ । ଯେତେବେଳେ ଅଧିକାରୀମାନେ କାର୍ଟିକୁ ଅଟକାଇବା ପାଇଁ ସଙ୍କେତ ଦେଲେ, ସେତେବେଳେ ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ପାଇଲେ । କାର୍ରେ କୌଣସି ଡ୍ରାଇଭର ନଥିବା ବେଳେ କୌଣସି ଯାତ୍ରୀ ବି ନଥିଲେ । ବର୍ତ୍ତମାନର ଟ୍ରାଫିକ୍ ଆଇନ ଅନୁଯାୟୀ, ଟ୍ରାଫିକ୍ ଜରିମାନା କେବଳ ଜଣେ ଗାଡ଼ି ଚାଳକ କିମ୍ବା ଯାନବାହାନ ଅପରେଟରଙ୍କ ଉପରେ ଲଗାଯାଇପାରିବ । କିନ୍ତୁ, ପୁଲିସ ଅଧିକାରୀମାନେ ଜବତ କରିଥିବା ଗାଡ଼ିଟି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ ଥିଲା, ତେଣୁ ଦାୟୀ ହେବା ପାଇଁ କୌଣସି ବ୍ୟକ୍ତି ନଥିଲେ । ଫଳରେ ପୁଲିସ ଗାଡ଼ିଟିକୁ ଆଗକୁ ବଢ଼ିବାକୁ ଅନୁମତି ଦେଇଥିଲା କିନ୍ତୁ, ନିୟମ ଉଲ୍ଲଂଘନ ବିଷୟରେ ୱେମୋ କମ୍ପାନୀକୁ ଜଣାଇଥିଲା ।
ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଗାଡ଼ିରେ ୱେମୋ ଲୋଗୋ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ତେବେ କମ୍ପାନୀ ଉପରେ କାହିଁକି ଜରିମାନା ଲଗାଗଲା ନାହିଁ ଏନେଇ ଲୋକେ ପ୍ରଶ୍ନ କରିଥିଲେ । ଆଇନ ବିଶେଷଜ୍ଞମାନଙ୍କ କହିବାନୁସାରେ, ପାର୍କିଂ ଉଲ୍ଲଂଘନର ଜରିମାନା ସିଧାସଳଖ ଏକ ଯାନ ଉପରେ ଲାଗୁ କରାଯାଇପାରେ, କିନ୍ତୁ ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ଉଲ୍ଲଂଘନ କଲେ ଏହା ଗାଡ଼ି ଚାଳକଙ୍କ ଉପରେ ଲାଗୁ ହୋଇଥାଏ । କାଲିଫର୍ଣ୍ଣିଆର ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ସମ୍ପ୍ରତି ଆସେମ୍ବଲି ବିଲ୍ ୧୭୭୭ରେ ସ୍ୱାକ୍ଷର କରିଛନ୍ତି । ଯାହା ୨୦୨୬ ପ୍ରାରମ୍ଭରେ କାର୍ଯ୍ୟକାରୀ ହେବାକୁ ଯାଉଛି । ନୂତନ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ସ୍ୱୟଂଚାଳିତ ଯାନ ଦ୍ୱାରା କରାଯାଇଥିବା ଉଲ୍ଲଂଘନ ବିଷୟରେ ସିଧାସଳଖ ମୋଟର ଯାନ ବିଭାଗ (DMV)କୁ ରିପୋର୍ଟ କରିବାକୁ ଅନୁମତି ଦେବ, ଯାହା ପରେ ଗାଡ଼ିର ମାଲିକ କିମ୍ବା ପରିଚାଳନା କମ୍ପାନୀ ବିରୁଦ୍ଧରେ ଜରିମାନା ଲାଗୁ କରିପାରିବ କିମ୍ବା ଅନ୍ୟାନ୍ୟ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ୱେମୋର ଜଣେ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ, କମ୍ପାନୀ ଏ ଘଟଣାର ସମୀକ୍ଷା କରୁଛି ।