ଉତ୍ତରପ୍ରଦେଶ, ୪।୭: ଆଗ୍ରାରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବ । ଦୀର୍ଘ ଦେଢ଼ ମାସ ଧରି ରହସ୍ୟ ଘେରରେ ଥିବା ଏହି ଭୟଙ୍କର କାହାଣୀ ଉପରୁ ଏବେ ପରଦା ହଟିଛି । ଜଣେ ମହିଳା ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ବାଥ୍ରୁମ୍ ଭିତରେ ଗାତ ଖୋଳି ପୋତି ଦେଇଥିଲେ । କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ବାହାରୁ ମିସ୍ତ୍ରୀ ଡାକି ତା’ ଉପରେ ପକ୍କା ଚଟାଣ ମଧ୍ୟ ପ୍ରସ୍ତୁତ କରିଦେଇଥିଲେ । ୪୫ ଦିନ ଧରି ଏହା ଏକ ନିଖୋଜ ମାମଲା ହୋଇ ରହିଥିବା ବେଳେ, ପୁଲିସର ତଦନ୍ତ ଏବଂ ପରିବାର ଲୋକଙ୍କ ସନ୍ଦେହ ଯୋଗୁଁ ଶେଷରେ ଏହି ବଡ଼ ଖୁଲାସା ହୋଇଛି ।
୪୫ ଦିନର ନିଖୋଜ ନାଟକ:
ଆଗ୍ରାର ସିକନ୍ଦରା ଥାନା ଅନ୍ତର୍ଗତ ରେଣୁକା ଧାମ କଲୋନୀରେ ରହୁଥିବା ୪୪ ବର୍ଷୀୟ ସୁରେନ୍ଦ୍ର ଶର୍ମା ଗତ ମେ’ ୧୮ ତାରିଖରୁ ନିଖୋଜ ଥିଲେ । ଏହାର ଆଠ ଦିନ ପରେ ଅର୍ଥାତ୍ ୨୬ ମେ’ ରେ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ପରିବାର ଲୋକେ ସବୁ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରୁଥିଲେ ମଧ୍ୟ ସୁରେନ୍ଦ୍ରଙ୍କର କୌଣସି ସନ୍ଧାନ ମିଳୁନଥିଲା । ଅପରପକ୍ଷରେ, ସୁରେନ୍ଦ୍ରଙ୍କ ସ୍ତ୍ରୀ ରୁବି ଶର୍ମା ସମସ୍ତଙ୍କୁ ଗୋଟିଏ କଥା କହି ଆସୁଥିଲେ ଯେ, "ସେ କୁଆଡ଼େ ଯାଇଛନ୍ତି, ଶୀଘ୍ର ଫେରିଆସିବେ ।" ତଦନ୍ତ ସମୟରେ ସ୍ତ୍ରୀଙ୍କ ବୟାନରେ ପୁଲିସ କିଛି ଗଡ଼ବଡ଼ ପରିଲକ୍ଷିତ କରିଥିଲା । ଏପଟେ ସୁରେନ୍ଦ୍ରଙ୍କ ଭାଇ ଅନିଲ ଶର୍ମା ମଧ୍ୟ ଭାଇକୁ ଖୋଜାଖୋଜି କରୁଥିବେ ବେଳେ ଭାଉଜଙ୍କ ଉପରେ ସନ୍ଦେହ ହେଉଥିଲା । ଏହି ସମୟରେ ଅନ୍ୟ ଏକ ମାମଲାର ଯାଞ୍ଚ ପାଇଁ ପୁଲିସ ପୁଣିଥରେ ସେହି ଘରକୁ ଯାଇଥିଲା । ପଚରାଉଚରା ବେଳେ ମହିଳାଙ୍କ ହାବଭାବ ଦେଖି ପୁଲିସର ସନ୍ଦେହ ଦୃଢ଼ ହୋଇଥିଲା, ଯାହା ପରେ ଘରର ତନ୍ନ ତନ୍ନ କରି ସନ୍ଧାନ ନିଆଯାଇଥିଲା ।
ଏହା ବି ପଢ଼ନ୍ତୁ... Ram Mandir : ରାମ ମନ୍ଦିରରୁ ଦାନ ଚୋରି ପରେ ବଦଳିଲା ନିୟମ, ଗଣନା କର୍ମଚାରୀଙ୍କୁ ଡବଲ ଚେକିଂ, ନୂଆ ଡ୍ରେସ୍ କୋଡ୍ ଲାଗୁ...
ସନ୍ଧାନ ସମୟରେ ପୁଲିସର ନଜର ବାଥ୍ରୁମ୍ ଉପରେ ପଡ଼ିଥିଲା । ବାଥରୁମ୍ରେ ନୂଆ ଚଟାଣକୁ ଦେଖି ସନ୍ଦେହ ହେବାରୁ ପୁଲିସ ତାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା । ସିମେଣ୍ଟକୁ ଖୋଳିବା ମାତ୍ରେ ତଳେ ମାଟି ଦେଖାଗଲା ଏବଂ ଖୋଳିବା ପରେ ସେହି ଗାତ ଭିତରୁ ସୁରେନ୍ଦ୍ର ଶର୍ମାଙ୍କ ଗଳିତ ଶବ ଜବତ ହେଲା । ପୁଲିସର ଦାବି ଅନୁଯାୟୀ, ସୁରେନ୍ଦ୍ରଙ୍କ ପତ୍ନୀଙ୍କୁ ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପୂର୍ବରୁ ହିଁ ବାଥ୍ରୁମ୍ରେ କାମ କରିବା ପାଇଁ ମିସ୍ତ୍ରୀ ଓ ମୂଲିଆ ଡକାଯାଇ ପ୍ରସ୍ତୁତି ସରିଥିଲା । ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ଗାତରେ ପୋତି ଦିଆଯାଇଥିଲା ଏବଂ କାହାରିକୁ ଯେପରି ସନ୍ଦେହ ନହେବ, ସେଥିପାଇଁ ତୁରନ୍ତ ସିମେଣ୍ଟ ପକାଇ ନୂଆ ଫ୍ଲୋର ତିଆରି କରିଦିଆଯାଇଥିଲା । ପଡ଼ୋଶୀଙ୍କ କହିବା ଅନୁସାରେ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ଅନେକ ସମୟରେ ମଦ୍ୟପାନକୁ ନେଇ ବିବାଦ ଉଗ୍ର ରୂପ ନେଉଥିଲା । ତେବେ ଏହି ପାରିବାରିକ କଳହ ଯେ ଦିନେ ଏଭଳି ଭୟଙ୍କର ରୂପ ନେବ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ ।
ମୃତକଙ୍କ ଭାଇ ଅନିଲ ଶର୍ମାଙ୍କ କହିବା କଥା, ସେ ସୁରେନ୍ଦ୍ରଙ୍କ ବ୍ୟାଙ୍କ ରେକର୍ଡ ଯାଞ୍ଚ କରିବା ସହ ଭାଉଜଙ୍କୁ ବାରମ୍ବାର ପ୍ରଶ୍ନ କରୁଥିଲେ । ଦିନେ ସେ ସେହି ଘରକୁ ଯାଇ ଯେତେବେଳେ ସୁରେନ୍ଦ୍ରଙ୍କ ବିଷୟରେ ପଚାରିଲେ, ଭାଉଜ ରୁବି ସ୍ପଷ୍ଟ ଭାବେ କହିଥିଲେ- "ସେ ଘରେ ହିଁ ଅଛନ୍ତି ।" ଯେତେବେଳେ ଅନିଲ ପଚାରିଲେ "କେଉଁଠି ଅଛନ୍ତି ?", ଉତ୍ତର ମିଳିଥିଲା- "ବାଥ୍ରୁମ୍ ଚଟାଣ ତଳେ ।" ଏହା ପରେ ସବୁ ମାମଲାରୁ ପରଦା ହଟିଥିଲା । ଏବେ ପ୍ରଶ୍ନ ଉଠୁଛି ବାଥ୍ରୁମ୍ରେ କାମ କରିଥିବା ମିସ୍ତ୍ରୀ ଓ ମୂଲିଆମାନେ କେଉଁ ସର୍ତ୍ତରେ ସେଠାକୁ ଆସିଥିଲେ ? ସେମାନେ କେବଳ ମରାମତି କାମ ଭାବି କରିଥିଲେ ନା ସେମାନଙ୍କୁ ପ୍ରକୃତ ସତ ଜଣାଥିଲା ? ବର୍ତ୍ତମାନ ପୁଲିସ ଏନେଇ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି ଜେରା କରୁଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଫରେନ୍ସିକ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।