ନୂଆଦିଲ୍ଲୀ,୦୨।୦୩: ସାଇପ୍ରସରେ ଥିବା  ବ୍ରିଟିଶ ବାୟୁସେନା ଘାଟି ଏବଂ ଆବୁଧାବିରେ ଥିବା  ଫ୍ରାନ୍ସର ନୌସେନା ଘାଟିକୁ ଟାର୍ଗେଟ କରି ଇରାନ ପ୍ରଚଣ୍ଡ ପ୍ରହାର କରିଛି । ଉଭୟ ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଉଭୟେ ବ୍ରିଟେନ ଓ ଫ୍ରାନ୍ସ  ନାଟୋ ସଦସ୍ୟ ରାଷ୍ଟ୍ର ହୋଇଥିବା ଦୃଷ୍ଟିରୁ ସେମାନଙ୍କ ସାମରିକ ଘାଟି ଉପରେ ଇରାନର ଆକ୍ରମଣକୁ ନାଟୋ ଉପରେ ଆକ୍ରମଣ ବୋଲି ବିଚାର କରାଯାଉଛି । 

ସୂଚନା ଅନୁସାରେ ଇରାନ ସୋମବାର ସାଇପ୍ରସର ଅକ୍ରୋତିରି ଠାରେ ଥିବା ବ୍ରିଟେନର ରୟାଲ ଏୟାର  ଫୋର୍ସ ଘାଟି ଉପରେ ଆତ୍ମଘାତୀ ଡ୍ରୋନ ଆକ୍ରମଣ କରିଥିଲା । ଦୁଇଟି ଡ୍ରୋନ୍ ଆକ୍ରମଣ କରାଯାଇଥିଲା  ବେଳେ ସେଥିରୁ ଗୋଟିଏକୁ ଇଣ୍ଟରସେପ୍ଟର  ସହାୟତାରେ ଅକାମୀ କରାଯାଇଥିଲା । ଅନ୍ୟ ଡ୍ରୋନଟି  ବିମାନଘାଟିରେ ପ୍ରଚଣ୍ଡ ଶବ୍ଦ କରି ମାଡ଼ ହୋଇଥିଲା ।  ଏହା ପରେ ସେଠାରେ ନିଆଁ ଓ ଧୂଆଁ ଦେଖିବାକୁ  ମିଳିଥିଲା । ଏହି ଡ୍ରୋନ ଆକ୍ରମଣରେ ବାୟୁସେନା ଘାଟିର ବ୍ୟାପକ କ୍ଷୟକ୍ଷତି ଘଟିଛି । ସେଠାରେ ରୟାଲ ଏୟାର ଫୋର୍ସର ବିମାନ ଓ ଅନେକ  ବ୍ରିଟେନ୍ ବାୟୁସେନା ଅଧିକାରୀ କାର୍ଯ୍ୟ କରୁଛନ୍ତି ।  କିନ୍ତୁ ମୃତାହତଙ୍କ ସମ୍ପର୍କରେ କିଛି ଜଣାପଡି ନାହିଁ ।  ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଡ୍ରୋନ ଆକ୍ରମଣକୁ  ସ୍ୱୀକାର କରିଛି । କହିଛି ଘାଟିର ବେଶି କିଛି କ୍ଷତି  ଘଟିନାହିଁ । ତାହା ପୂର୍ବ ଭଳି କାର୍ଯ୍ୟକ୍ଷମ ରହିଛି । 

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି ଇରାନ ଉପରେ ଆକ୍ରମଣ କରିବା ଲାଗି ତାଙ୍କ ଦେଶ ଆମେରିକାକୁ ସହଯୋଗ କରିବ । ଏଥିସହ ସେ ଫେୟାରଫୋର୍ଡ ଓ ଡିଏଗୋ ଗାର୍ସିଆରେ ଥିବା ବ୍ରିଟେନର ସାମରିକ ଘାଟିକୁ ବ୍ୟବହାର କରିବା ଲାଗି ଆମେରିକାକୁ ଅନୁମତି ଦେଇଛନ୍ତି । ସେହିଭଳି ଆବୁଧାବିର ଜାୟେଦ ବନ୍ଦରରେ ଥିବା ଫ୍ରାନ୍ସର ନୌସେନା ଘାଟିକୁ ଟାର୍ଗେଟ କରି ଆଜି ଇରାନ ଡ୍ରୋନ୍ ଆକ୍ରମଣ କରିଛି । ଲଗାତାର ଭାବେ ଦୁଇଟି ଡ୍ରୋନ୍ ଆକ୍ରମଣ ଫଳରେ ନୌସେନା ଘାଟିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେଠାରେ ଥିବା କିଛି  କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଯଦିଓ ଏହି  ଘାଟିକୁ ଆବୁଧାବି ସରକାର ବ୍ୟବହାର କରୁଥିଲେ  ସେଠାରେ କିନ୍ତୁ ଫ୍ରାନ୍ସର ନୌସେନା ଅଧିକାରୀମାନେ ନିୟୋଜିତ ଥିଲେ । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଏହି ଆକ୍ରମଣକୁ ସ୍ୱୀକାର କରିବା ସହ ଏଥିରେ କେହି  ମୃତାହତ ହୋଇନଥିବା କହିଛନ୍ତି । ଫ୍ରାନ୍ସର ବିଦେଶ  ମନ୍ତ୍ରୀ ଜିନ୍‌ ନୋଏଲ ବାରୋଟ କହିଛନ୍ତି ଉପସାଗରୀୟ  ଦେଶ (ସାଉଦି ଆରବ, ୟୁଏଇ ଓ କାତାର) ଏବଂ  ଜୋର୍ଡାନର ସୁରକ୍ଷା ଲାଗି ତାଙ୍କ ଦେଶ ପ୍ରସ୍ତୁତ ଅଛି ।  ଏହି ଆକ୍ରମଣ ପରେ ନୌସେନା ଘାଟିର ସୁରକ୍ଷା  ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅଧିକ ପଢନ୍ତୁ-ଯାହା ଭୟ ଥିଲା ତାହା ହେଲା ! ଟେନ୍‌ସନ ବଢାଇଲା ଇରାନ, ଆମେରିକାର ଭୁଲର ପରିଣାମ ଭୋଗିବ ବିଶ୍ୱ । ଜାଣନ୍ତୁ କିପରି ?​​​​​​​