ନୂଆଦିଲ୍ଲୀ, ୨୭/୦୧ : ଆକ୍ସନ ମୁଡ୍ ରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର। ରାଜସ୍ଥାନ ଜୟସାଲମେରରେ ପ୍ରଚଣ୍ଡ ହେଲିକପ୍ଟରରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆକାଶରୁ ଦେଲେ ଆତ୍ମନିର୍ଭରତାର ବାର୍ତ୍ତା। କୋ-ପାଇଲଟ୍ ସିଟ୍ ରେ ବସି ଦେଶର ବୀର ଯବାନଙ୍କୁ କଲେ ସଲାମ। ଏକ ଗୌରବମୟ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଲା ପ୍ରତିରକ୍ଷା କ୍ଷେତ୍ର।

ଅଲିଭ୍ ଗ୍ରୀନ୍ ବର୍ଦି, ମୁହଁରେ ଅଦମ୍ୟ ସାହାସର ଅଭା, ହାତରେ ହେଲମେଟ୍ ଧରି ଶୁକ୍ରବାର ଜୟସାଲମେରରେ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡରେ ଉଡାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଡାଣ ଭରିବା ପୂର୍ବରୁ କକପିଟ୍ ରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ମହାମହିମ। ରାଷ୍ଟ୍ରପତି କହିଥିଲେ ଯେ, ପ୍ରଚଣ୍ଡ ହେଲିକପ୍ଟର ଆତ୍ମନିର୍ଭରତାର ଏକ ସଶକ୍ତ ପ୍ରତୀକ। ଏବେ ମୁଁ ଜୟସାଲମେର ଜିଲ୍ଲା ଉପରେ ଉଡାଣ ଭରୁଛି। ଏହି ଅବସରରେ ଆମ ଦେଶର ବୀର ଯବାନଙ୍କୁ ଶୁଭକାମନା ଜଣାଉଛି। ସେମାନଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି। ସମସ୍ତଙ୍କୁ ମୋର ସାଦର ସଲାମ। ଜୟ ହିନ୍ଦ, ଜୟ ଭାରତ। 

ଆକ୍ରମଣ ହେଲିକପ୍ଟରରେ ଉଡାଣ ଭରିଥିବା ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ରେକର୍ଡ କରିଛନ୍ତି। ତେବେ ପ୍ରଚଣ୍ଡ ହେଲିକପ୍ଟରରେ ରାଷ୍ଟ୍ରପତି ପ୍ରାୟ ୨୫ ମିନିଟ୍ ଯାଏଁ ଉଡାଣ ଭରିଥିଲେ। ଏହି ସମୟରେ ହେଲିକପ୍ଟର ପୋଖରନ ଫାଇରିଂ ରେଞ୍ଜ୍ ଉପରେ ଚକ୍କର କାଟିଥିଲା। ଏଠାରେ ଭାରତୀୟ ବାୟୁସେନା ସନ୍ଧ୍ୟାରେ ବାୟୁ ଶକ୍ତି ନାମକ ଏକ ଅଗ୍ନିଶକ୍ତି ପ୍ରଦର୍ଶନ କରିବ। ରାଷ୍ଟ୍ରପତି ମଧ୍ୟ ଏହି ପ୍ରଦର୍ଶନୀ ପର୍ଯ୍ୟବେକ୍ଷଣ କରିବେ।

୨୦୨୫ ଅକ୍ଟୋବରରେ ଅମ୍ବାଲା ବାୟୁସେନା ଷ୍ଟେସନରେ ରାଷ୍ଟ୍ରପତି ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଥିଲେ। ୨୦୨୩ରେ ସେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ପ୍ରାୟ ୩୦ ମିନିଟ୍ ଯାଏଁ ଉଡାଣ ଭରିଥିଲେ। ଏହି ସମୟରେ ସେ ବ୍ରହ୍ମପୁତ୍ର ଏବଂ ତେଜପୁର ଘାଟୀ ଉପରେ ଚକ୍କର କାଟି ହିମାଳୟର ଦୃଶ୍ୟ ଦେଖିଥିଲେ। 

ଏହି ଖବରଟିକୁ ପଢନ୍ତୁ- ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ ‘ହୋରାସିଓ’; ସବୁଠି ହାଇ-ଆଲର୍ଟ, ବଦଳିବ ଦେଶର ପାଗ