ବେତନଟୀ, ୧୫/୮: ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମରେ ପଞ୍ଚାୟତ କାର୍ଯ୍ୟଳୟରୁ ଲିଜ ସୂତ୍ରରେ ପୋଖରୀ ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମାଛଚାଷ କରାଯାଉଥିଲା। ତେବେ କିଛି ଦୁର୍ବୁତ୍ତ ଉକ୍ତ ପୋଖରୀରେ ବିଷ ପକାଇ ଦେଇଥିବାରୁ ଲକ୍ଷାଧିକ ଟଙ୍କାର ମାଛ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନ ତିନିଟାରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ଖବର ମୁତାବକ କଳମା ଗ୍ରାମର ମା'ମଙ୍ଗଳା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଗ୍ରାମର ଦରଖୋଳି ପୋଖରୀକୁ ତିନି ବର୍ଷୀୟା ଲିଜ ସୂତ୍ରରେ ନେଇ ମାଛଚାଷ କରିଥିଲେ l ବାର୍ଷିକ ୨୦ହଜାର ୫ଶହ ଟଙ୍କା ଦରରେ ପୋଖରୀ ଲିଜ ନିଆଯାଇଥିବା ବେଳେ ଆସନ୍ତା ବର୍ଷ ଜୁନମାସରେ ଏହାର ତିନିବର୍ଷର ଲିଜ ଅବଧି ସରିବାକୁ ଯାଉଥିଲା l ଦୁଇବର୍ଷ ଧରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବାର୍ଷିକ ୮୦ ହଜାର ଟଙ୍କାର ମାଛ ଜାଆଁଳ ସମେତ ପାଣି ସଫା ପାଇଁ ଚୂନ ସିଞ୍ଚନ, ଧାର୍ଯ୍ୟ ସମୟରେ ହଜାର ହଜାର ଟଙ୍କାର ମାଛଦାନା ପକା ଯାଉଥିଲା l ଆସନ୍ତା ଖରା ଦିନରେ ଲିଜ ଅବଧି ସରିବା ପୂର୍ବରୁ ମାଛ ଧରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା l
ମାତ୍ର କିଛି ଦୁର୍ବୁତ୍ତ ଉକ୍ତ ପୋଖରୀରେ ବିଷ ପକାଇ ଦେଇଥିବାରୁ ଲକ୍ଷାଧିକ ଟଙ୍କାର କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ପାଣିରେ ଭାସୁଥିବା ନେଇ ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଛି l ଦୁର୍ବୁତ୍ତ ମାନଙ୍କର ଏହି ଲିଜ ପୋଖରୀରେ ବିଷ ପକାଇବା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମୁଦାୟ ଅଢେଇଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡିଛି l ବର୍ତ୍ତମାନ ଉକ୍ତ ଗାଁ ପୋଖରୀ ପାଣି ବିଷାକ୍ତ ହୋଇପଡ଼ିଥିବା ବେଳେ ମାଛ ପଚି ଦୁର୍ଗନ୍ଧ ହେବା ଆରମ୍ଭ ହେଲାଣି l ଏନେଇ ବୈଶିଙ୍ଗା ଥାନାରେ ଏତଲା ଦାଏର କରାଯିବ ବୋଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀପକ୍ଷରୁ ସୂଚନା ଦିଆଯାଇଛି l