କଟକ,୨୮/୦୯: ଶାରଦୀୟ ଦଶହରା ପାଇଁ ମହାଷଷ୍ଠୀରୁ କଟକ ସହରରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ପୂଜା ସମୟରେ ଯାନବାହନ ଚଳାଚଳ ବ୍ୟବସ୍ଥିତ କରିବା ପାଇଁ ସହରର ବହୁ ମୁଖ୍ୟ ରାସ୍ତାରେ ୱାନ୍ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯାଇଥିବା ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି । ଏଥିରେ ସହଯୋଗ କରିବାକୁ ସେ’ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।
ଟ୍ରାଫିକ୍ କଟକଣା ଅନୁସାରେ, ହାୱଡ଼ାମୋଟର ଛକଠାରୁ କୌଣସି ଯାନବାହାନ ମଙ୍ଗଳାବାଗ ଛକକୁ ଯାଇପାରିବ ନାହିଁ । ମଙ୍ଗଳାବାଗରୁ ଗାଡ଼ିଗୁଡ଼ିକ କାଠଗୋଲା କିମ୍ୱା ମହ୍ଲାସାହି ଆଡକୁ ଯିବନି । ବଜ୍ରକବାଟୀ ରୋଡ୍ରୁ ରାଣୀହାଟ ଛକକୁ ଯିବାକୁ ଅନୁମତି ନାହିଁ । ଥୋରିଆ ସାହି ଓ ବଣିଆସାହି ଛକରୁ ବଢେଇସାହି ଗାଡ଼ି ଯାଇପାରିବ ନାହିଁ । ଦୋଳମୁଣ୍ଡାଇ ଛକରୁ ଆସୁଥିବା ଗାଡ଼ି ମହତାବ ରୋଡ୍ ଦେଇ କେବଳ ଛତ୍ରବଜାର ଓ ମାଲଗୋଦାମ ଯାଇପାରିବେ । ଏହି ରାସ୍ତାରେ ବିପରୀଦ ଦିଗରୁ ଗାଡ଼ି ଆସିପାରିବ ନାହିଁ। ଛତ୍ରବଜାର ବ୍ରିଜ୍ ଠାରୁ ପିଲଗ୍ରିମ୍ ରୋଡ ହୋଇ କଲେଜଛକ ଗାଡ଼ି ଯାଇପାରିବ ନାହିଁ ।
ବମ୍ୱେ ହୋଟେଲ ପାଖରୁ ପୋଷ୍ଟ ଅଫିସ ହୋଇ କଲେଜଛକ ଦେବୀ ଘର ଆଡକୁ କୌଣସି ଯାନ ଯିବାକୁ ଅନୁମତି ନାହିଁ । ମାଲଗୋଦାମଠାରୁ ମାଲଗୋଦାମ ଫ୍ଲାଏଓଭର ବ୍ରିଜକୁ ଗାଡ଼ି ପ୍ରବେଶ ମନା । ପିଠାପୁର ଓ ଝୋଲାସାହିରୁ ଗୋପାଳଜୀଉ ଲେନ୍, ବଙ୍ଗାଳି ସାହି ଏବଂ ନନ୍ଦୀସାହିକୁ ଗାଡ଼ି ଚଳାଚଳ ମନା । ପୁରୁଣା ଜେଲ ରୋଡ୍ ଛକରୁ ଚୌଧୁରୀ ବଜାର ଛକ ଆଡ଼କୁ ଗାଡ଼ି ଚଳାଚଳ ଅନୁମତି ନାହିଁ । ଚୌଧୁରୀ ବଜାର ଛକରୁ ଗୌରୀଶଙ୍କର ପାର୍କକୁ ଯାନବାହନ ଯିବା ବାରଣ କରାଯାଇଛି । ବାଲୁବଜାର ଛକରୁ ନିମଚୌରୀ ଛକ, ଇପାରିଗୋବିନ୍ଦ ଜୁଏଲାରୀ ଛକ ଏବଂ ଚାନ୍ଦିନୀ ଚୌକକୁ ଯିବା ପାଇଁ କଟକଣା ଲାଗୁ କରାଯାଇଛି ।
ଅନ୍ୟପକ୍ଷରେ ପୂଜା ଦିନରେ ସହର ମଧ୍ୟ ଦେଇ କୌଣସି ପ୍ରକାରର ବସ୍ ଚଳାଚଳ କରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖାନ୍ନଗର ମଣି ମନ୍ଦିର ଛକରୁ ଜୁଡିସିଆଲ୍ ଏକାଡେମୀ ଛକ ପର୍ଯ୍ୟନ୍ତ ରିଙ୍ଗ ରୋଡ୍ରେ ଭାରୀଯାନ ଚଳାଚଳ କରିପାରିବ ନାହିଁ । ନୂଆବଜାର ଛକରୁ ଓଏମ୍ପି ଛକ ଆଡକୁ ଚାରି ଚକିଆ ଏବଂ ଭାରୀଯାନ ଯିବାକୁ ଅନୁମତି ନାହିଁ । ଅପରାହ୍ନ ୪ଟାରୁ ରାତ୍ର ୧୨ଟା ପାର୍ଯନ୍ତ କିମ୍ୱା ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ନୂଆବଜାର ଛକ ମଧ୍ୟରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ ।