ଯଦି ନିୟମିତ ଆଖି ଖୋଲିବା ବେଳକୁ ଗଳା ଶୁଖି ଶୁଖି ଯାଉଛି, ତେବେ ସଚେତନ ହେବା ସହ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କାରଣ ଉଠିବା ବେଳକୁ ଗଳା ସାମାନ୍ୟଠାରୁ ଅଧିକ ଶୁଖିବା କୌଣସି ସମସ୍ୟାର କାରଣ ହୋଇପାରେ । ରାତିରେ ୭/୮ ଘଣ୍ଟାର ନିଦ ହେବା ପରେ ସକାଳକୁ ପ୍ରତ୍ୟେକ ବ୍ୟକ୍ତିର ଗଳା ଶୁଖିବା ଖୁବ୍ ସାଧାରଣ କଥା । କିନ୍ତୁ ସାମାନ୍ୟଠାରୁ ଅଧିକ ହେବା କିମ୍ବା ଲାଳ ନ ଆସିବା ଆଦୌ ସାଧାରଣ ନୁହେଁ । ଗଳା ଶୁଷ୍କ ହେବା ଜେରୋଷ୍ଟେମିଆ ହେବାର କାରଣ ହୋଇପାରେ । ପାଟି ସହିତ ଏହା ଶରୀରର ଅନ୍ୟ କେତେକ ସମସ୍ୟାର ଲକ୍ଷଣ ହୋଇପାରେ ।
ଲକ୍ଷଣ
ବାରମ୍ବାର ପାଟି ଶୁଖିବା
ଚୋବାଇବା, ଗିଳିବା ବା କଥା କହିବା ସମୟରେ ସମସ୍ୟା ହେବା
ଲଗାତାର ଗଳା ଶୁଖିବା ସହ କାଶ ଲାଗି ରହିବା
ପାଟିରୁ ଦୁର୍ଗନ୍ଧ ବାହାରିବା
ଓଠ ଫାଟିବା କିମ୍ବା ପାଟି କଡରେ ବାରମ୍ବାର ଘାଆ ହେବା
କାରଣ
ଡିହାଇଡ୍ରେସନ୍: ରାତିରେ ଶୋଇବା ପୂର୍ବରୁ ପର୍ଯ୍ୟାପ୍ତ ମାତ୍ରାର ପାଣି ନ ପିଇବା ଦ୍ୱାରା କମ୍ ପରିମାଣର ଲାଳ ତିଆରି ହୋଇଥାଏ । ଏହା ଗଳା ଓ ପାଟି ଶୁଷ୍କତାର ସବୁଠାରୁ ବଡ଼ କାରଣ ।
ପାଟିରେ ନିଶ୍ୱାସ ନେବା: ଯେଉଁ ଲୋକମାନେ ନାକରେ ନିଶ୍ୱାସ ନେବା ପରିବର୍ତ୍ତେ ପାଟିରେ ନିଶ୍ୱାସ ନେଇଥାନ୍ତି, ସେମାନଙ୍କଠାରେ ଗଳା ଶୁଷ୍କତା ଅଧିକ ଦେଖିବାକୁ ମିଳିଥାଏ ।
କେତେକ ଔଷଧ ଖାଇବା: କେତେକ ଔଷଧ ରହିଛି, ଯାହାକୁ ଖାଇବା ଦ୍ୱାରା ପାଟିର ଶୁଷ୍କତା ବଢିଥାଏ ।
କେତେକ ରୋଗ: ମଧୁମେହ ଏବଂ ଅଟୋ ଇମ୍ୟୁନ୍ ରୋଗ କାରଣରୁ ରାତିରେ ପାଟି ଓ ଗଳା ଶୁଖି ଶୁଖି ଯାଏ ।
ବୟସ ଅଧିକ: ବୟସ ବଢିବା ସହ ପାଟିରେ ଲାଳର ମାତ୍ରା କମିଚାଲେ । ତେଣୁ ବୟସ୍କ ଲୋକଙ୍କଠାରେ ଗଳା ଶୁଷ୍କତା ବଢିଥାଏ ।
ସ୍ଲିପ୍ ଆପ୍ନିଆ: ଶୋଇବା ସମୟରେ ନିଶ୍ୱାସ ସହିତ ଜଡିତ ସମସ୍ୟା ଯେପରିକି ଘୁଙ୍ଗୁଡି ମାରିବା କିମ୍ବା ସ୍ଲିପ୍ ଆପ୍ନିଆ ପରି ସମସ୍ୟା ରହିଥିଲେ ମଧ୍ୟ ଗଳା ଶୁଷ୍କ ହୋଇଥାଏ ।
ଅନ୍ୟାନ୍ୟ ସମସ୍ୟା
ଦାନ୍ତ ଦୁର୍ବଳ ହୋଇ ଭାଙ୍ଗିବା
ମାଢିଜନିତ ସମସ୍ୟା
ପାଟିରେ ତୁଣ୍ଡ ଘାଆ ହେବା
ସଂକ୍ରମଣ
ପାଟିର ସ୍ୱାଦ ବଦଳିବା ସହ ଖାଦ୍ୟ ଠିକ୍ ଭାବେ ହଜମ ନ ହେବା ପରି ସମସ୍ୟା ଉପୁଜିଥାଏ ।
ସମସ୍ୟାରୁ ନିସ୍ତାର ପାଇଁ ସାରାଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ସହ ରାତିରେ ନିଜ ପାଖରେ ପାଣି ବୋତଲ ବା ଗ୍ଲାସ୍ ନିଶ୍ଚୟ ରଖନ୍ତୁ । କ୍ୟାଫିନ୍ ଓ ଆଲକହଲ୍ଠାରୁ ଦୂରେଇ ରୁହନ୍ତୁ । ଏହାକୁ ପିଇବା ଦ୍ୱାରା ଜଳ ଶୁଷ୍କତା ବଢିଥାଏ । ଯଦି କୌଣସି ଔଷଧରୁ ଗଳା ଶୁଖିଯାଉଥାଏ, ତେବେ ଡାକ୍ତରଙ୍କ ସହ କଥା ହୁଅନ୍ତୁ ।