ମ.ରାମପୁର ୨/୧୦ : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସାରା ଭାରତବର୍ଷ ଗାନ୍ଧୀ ଜୟନ୍ତୀକୁ ପାଳନ କରୁଥିବାବେଳେ ପ୍ରତି ପଞ୍ଚାୟତରେ ହେଉଛି ଗ୍ରାମସଭା । ଗ୍ରାମୋଦୟର ସ୍ୱପ୍ନ ଦେଖିଥିବା ଗାନ୍ଧିଜୀଙ୍କ ଜୟନ୍ତୀ ଦିବସରେ ସାମ୍ନାକୁ ଆସିଛି ଏକ ନଗ୍ନ ଚିତ୍ର । କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଜନ୍ମମାଟି କୁହାଯାଉଥିବା ଲୁବେନଗଡ଼ ପଞ୍ଚାୟତର ଅନେକ ଗାଁ ଆଜି ବି ଅବହେଳିତ ଓ ଅନୁନ୍ନତ । ସାମାନ୍ୟତମ ରାସ୍ତାଟିଏ ନଥିବାରୁ ଅନେକ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଅଞ୍ଚଳବାସୀ ।
ତେବେ ପରିତାପର ବିଷୟ ଏହା ଯେ, ଦେହ ଖରାପ ହେଲେ ଏହି ସବୁ ଗ୍ରାମବାସୀ କେବେ ଖଟିଆ ତ କେବେ ଦୋଳ ସାହାଯ୍ୟରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି। ପ୍ରାୟ ଦଶରୁ ବାର କିଲୋମିଟର ରୋଗୀଙ୍କୁ କାନ୍ଧରେ ବୋହି ବୋହି, ଘାଟି ତଥା ପଥୁରିଆ ସ୍ଥାନ, ଉଠାଣି, ଗଡ଼ାଣି, ନଈ, ନାଳ ପାରି କରି ନେଇଥାନ୍ତି ଗ୍ରାମବାସୀ। ବର୍ଷା ଦିନଗୁଡ଼ିକରେ ତ ରୋଗ ହେଲେ ଭଗବାନଙ୍କ ଭରସାରେ ରହନ୍ତି ଏମାନେ । ସତେ ଯେମିତି ସଭ୍ୟତାରୁ ଏକ ଭିନ୍ନ ଅଂଚଳର ଅଧିବାସୀ ଅଟନ୍ତି ।
ଗତ ଦୁଇ ଦିନ ତଳେ ମଧ୍ୟ ଖଟିଆରେ ଏହି ଗ୍ରାମରୁ ଜଣେ ରୋଗୀଙ୍କୁ ଉର୍ଲଦାନୀ ମେଡ଼ିକାଲ ନିଆଯାଇଥିବାବେଳେ ଆଜି ପୁଣିଥରେ ଲୁବେନଗଡ଼ ଗ୍ରାମ ପଞ୍ଚାୟତର ପୁଇଝିରି ଗ୍ରାମର ଲିଟିଲ ମାଝୀ(୫୨)ଙ୍କ ଦେହ ଭୀଷଣ ଖରାପ୍ ହେବାରୁ ବହୁ ଶ୍ରମ ସ୍ୱୀକାର ପୂର୍ବକ ପ୍ରାୟ ୧୦ରୁ ୧୨ କିଲୋମିଟର ଦୋଳାରେ ବୋହି ବୋହି ଉର୍ଲାଦାନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି । ଅଂଚଳବାସୀ ଦୀର୍ଘ ଦିନରୁ ଏହି ଗାଁ ଗୁଡ଼ିକୁ ରାସ୍ତା ପାଇଁ ଦାବୀ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିପାରୁନାହିଁ । ଲୁବେନଗଡ଼ ସରପଞ୍ଚ ରମା ମାଝୀ କହିଛନ୍ତି, ଏନେଇ ବାରମ୍ବାର ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ(ଅନ୍ ଲାଇନ ଜରିଆରେ)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଣୁ ତୁରନ୍ତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ପ୍ରାଥମିକତା ଭିତ୍ତି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।