ପୁରୀ ୧୪/୯ :ଶ୍ରୀମନ୍ଦିରରେ ଆଜି ଦ୍ଵିତୀୟା ଓଷା । ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି । ଏହି ଦିନ ଠାକୁରମାନଙ୍କର ସକାଳ ଧୂପ ସମାପ୍ତି ହେବା ପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇଥାନ୍ତି। ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ଦେବା ପରେ ମହାଜନ ସେବକ ମାଆଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ । ଜନୈକ ପୂଜା ପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀ ବ୍ରତ କଥା ଶୁଣାଇଥାନ୍ତି । ପରେ ଭୋଗ ଓ ବନ୍ଦାପନା ହୋଇଥାଏ । ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦ୍ଵିତୀୟା ଓଷା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ମାଆମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ,ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।ପିତା ମାତାଙ୍କ ମୃତ୍ୟୁ ପରେ ପୁଅ ପିଣ୍ଡଦାନ କରିବାର ସାମାଜିକ ଚଳଣି ଓଡ଼ିଶାରେ ପ୍ରଚଳିତ । ପୁତ୍ରଲାଭ କରିବା ଓ ତା'ର ମଙ୍ଗଳ କାମନା କରିବା ନିମନ୍ତେ ଏହି ଓଷା ପାଳନ କରାଯାଇଥାଏ ।ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ । ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ । ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ।ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ "ଦୂତୀଆ ଓଷା କଥା"ରେ ଜିମୂତବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । 

କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ । ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ଵୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ । ସେଠାରେ ଖୋଳାଯାଇ  ଏକ ବିଲ ତିଆରି କରି ସେଥିରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । 

ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରି ପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥାନ୍ତି । ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । 

ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା "ଜିଉଁତିଆ"କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।

ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।' ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ଵୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି ।“ପୁଅ ଜିଉଁତିଆ ଓଷା ମଣିଷର ଧର୍ମୀୟ ଅନୁଚିନ୍ତାକୁ ସୁଦୃଢ଼ କରିବା ସହିତ ମାତାପୁତ୍ରର ଅନାବିଳ ସ୍ନେହ ମମତାକୁ ଋଦ୍ଧିମନ୍ତ କରିଥାଏ । ଏହି ଓଷା ପଶ୍ଚିମ ଓଡ଼ିଶାରେ ସର୍ବତ୍ର ପାଳିତ ହୋଇଥାଏ ଏବଂ ଏହି ଦିନଠାରୁ ପାର୍ବଣ ଋତୁର ଶୁଭାରମ୍ଭ ହୋଇଥାଏ । ଚିରଶୁଦ୍ଧି, ଧର୍ମୋପାସନା ଓ ଭାଗବତପ୍ରାପ୍ତି ଦିଗରେ ଏହି ପୁଅ ଜିଉଁତିଆ ଓଷାର ଉପାଦେୟତା ଅପରିହାର୍ଯ୍ୟ ।ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୂତିଆ ଓଷା ପାଳିତ ହୁଏ । ଦୂତିବାହାନ ଏହି ଓଷାର ଦେବତା । ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ ।