ଭୁବନେଶ୍ୱର, ୨୨/୦୭ : ଇଷ୍ଟକୋଷ୍ଟ ରେଲୱେରେ AIର ଏଣ୍ଟ୍ରି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା 'ଡିଏସସି ଅର୍ଜୁନ'। ବିଶାଖାପାଟଣା ପରେ ଏବେ ଓଡ଼ିଶାରେ ବି ରେଳ ଷ୍ଟେସନ ଓ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ସଞ୍ଚାଳିତ ରୋବୋଟ୍‌ । ଏହା ଅପରାଧୀଙ୍କୁ ଚିହ୍ନଟ କରିବ ୨୪×୭ ଷ୍ଟେସନରେ ପାଟ୍ରୋଲିଂ କରିବ। AI ଦ୍ୱାରା ଭିଡ଼ ଉପରେ ନଜର ରଖିବ। ନିଆଁ ଲାଗିଲେ କି ଧୂଆଁ ଉଠିଲେ ସତର୍କ ସୂଚନା ବି ଦେବ। ପ୍ରଥମ ପର୍ଯ୍ୟାୟରେ ଏହି ସ୍ମାର୍ଟ ହ୍ୟୁମାନଏଡ୍ ରୋବଟକୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଲୱେ ଷ୍ଟେସନରେ ନିୟୋଜିତ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ମୁତୟନ କରାଯିବ। ଯାତ୍ରୀ ସୁରକ୍ଷା ସହ ରେଳ ସେବାକୁ ସ୍ମାର୍ଟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି। ସୁରକ୍ଷା ଓ ନିରୀକ୍ଷଣ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ଆରପିଏଫ୍‌ ଦ୍ୱାରା ଏହି ହ୍ୟୁମାନୋଏଡ୍‌ ରୋବୋର୍ଟକୁ ବିକଶିତ କରାଯାଇଛି । ଆଜି ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି ।

ଆହୁରି ପଢନ୍ତୁ- Ganjam Collector : ହାତରେ ଝାଡ଼ୁ, ମୁହଁରେ ମାସ୍କ... ମା’ଙ୍କ ସହ ଆବର୍ଜନା ସଫା କଲେ ଜିଲ୍ଲାପାଳ​​​​​​​

ସୂଚନାଯୋଗ୍ୟ, ଷ୍ଟେସନ ସୁରକ୍ଷା, ଯାତ୍ରୀ ନିରାପତ୍ତା ଏବଂ କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ଏହି ଏଆଇ ରୋବୋଟର ସହଯୋଗ ନିଆଯିବ । ତେବେ ବିଶାଖାପାଟଣାରେ ନିୟୋଜିତ ଏଏସସି ଅର୍ଜୁନ ତୁଳନାରେ ଡିଏସସି ଅର୍ଜୁନ ଅଧିକ ଦକ୍ଷତା ସମ୍ପନ୍ନ । କମ୍ପ୍ୟୁଟର ଭିଜନ, ମେସିନ୍‌ ଲର୍ଣ୍ଣିଂ, ଅଧିକ କ୍ୟାମେରା, ଅତ୍ୟାଧୁନିକ ଏଆଇ ଫିଚ୍‌ର୍‌ ଆଦି ସହ ଡିଏସସି ଅର୍ଜୁନ ସୁରକ୍ଷା ଓ ନିରୀକ୍ଷଣ କାର୍ଯ୍ୟରେ ଆରପିଏଫକୁ ସହଯୋଗ କରିବ । ଷ୍ଟେସନରେ କାର୍ଯ୍ୟକ୍ଷମ ଥିବା କ୍ୟାମେରାଗୁଡ଼ିକ ସହ ଡିଏସସି ଅର୍ଜୁନର କ୍ୟାମେରାକୁ ସଂଯୋଗ କରାଯିବ । ଷ୍ଟେସନ ପରିସରରେ କୌଣସି ଅପରାଧୀ, ସନ୍ଦିଗ୍ଧ ଅପରାଧୀ କିମ୍ବା ସନ୍ଦେହଜନକ ପରିସ୍ଥିତି ଦେଖିଲେ ତୁରନ୍ତ ଫଟୋ ଉଠାଇ କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ଷ୍ଟେସନ ଏବଂ ପରେ ଭୁବନେଶ୍ୱର ଷ୍ଟେସନରେ ନିୟୋଜିତ ହେବ ଡିଏସସି ଅର୍ଜୁନ ।