ଆମେ ସମସ୍ତେ ରସୁଣ ସ୍ୱାଦ ପାଇଁ ଖାଇଥାଉ । ଅବଶ୍ୟ ଏହାର ଔଷଧୀୟ ଗୁଣ ବିଷୟରେ ସମସ୍ତେ ଜାଣନ୍ତି । ପ୍ରାଚୀନ କାଳରୁ ଏହା ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସାରେ ବ୍ୟବହୃତ ହୋଇଆସୁଛି । କିନ୍ତୁ ଜାଣନ୍ତି କି? ଶୀତ ସକାଳେ ଖାଲି ପେଟରେ ୨ କୋଲା ରସୁଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ରସୁଣରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯେପରିକି ଭିଟାମିନ୍-ସି, ବି୬, ମ୍ୟାଗ୍ନେସିୟମ୍ ଓ ଏଲିସିନ୍ । ଏହାବ୍ୟତୀତ ରସୁଣ ଆଣ୍ଟି-ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣରେ ଭରା । ତେଣୁ ଶୀତଦିନେ ଏହାର ଅଧିକ ଫାଇଦା ମିଳିଥାଏ । ନିୟମିତ ୨ କୋଲା ରସୁଣ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଥଣ୍ଡାକାଶ-ସର୍ଦ୍ଦି ପରି ସମସ୍ୟାଠାରୁ ମଧ୍ୟ ଆରାମ ମିଳିଥାଏ । ଏପରିକି ଋତୁଜନିତ ସଂକ୍ରମଣ ପ୍ରାୟତଃ ହୋଇ ନଥାଏ । ରସୁଣ ରକ୍ତ ସଞ୍ଚାଳନକୁ ତୀବ୍ର କରିବା ସହ ଶରୀରର ତାପମାତ୍ରକୁ ସନ୍ତୁଳିତ କରିଥାଏ । ସେହିପରି କୋଲେଷ୍ଟେରଲ୍କୁ ମଧ୍ୟ ନିୟନ୍ତ୍ରିତ କରିଥାଏ ।
ବଢାଏ ଇମ୍ୟୁନିଟି
ଶୀତଦିନେ ପ୍ରାୟ ଲୋକଙ୍କୁ ଦୁର୍ବଳ ଇମ୍ୟୁନିଟି ଯୋଗୁ ବିଭିନ୍ନ ରୋଗ ହୋଇଥାଏ । ରସୁଣରେ ଥିବା ସକ୍ରୀୟ ତତ୍ତୱ‘ଏଲିସିନ୍’ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏଲିସିନ୍ରେ ଆଣ୍ଟି- ଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ, ଯାହା ଶରୀରକୁ ବ୍ୟାକ୍ଟେରିଆ, ଭାଇରସ୍ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରିଥାଏ । ତେଣୁ ନିୟମିତ ୨ କୋଲା ରସୁଣ ଖାଇବା ଦ୍ୱାରା କାଶ-ଥଣ୍ଡା ପରି ସମସ୍ୟା ଦୂର ହୋଇଥାଏ ।
ନିୟନ୍ତ୍ରିତ କରେ କୋଲୋଷ୍ଟେରଲ
ରସୁଣ ଖାଇବା ଦ୍ୱାରା କୋଲେଷ୍ଟେରଲ୍ ଓ ଟ୍ରାଇଗ୍ଲିସରାଇଜଡ୍ ସ୍ତର କମ୍ ରହିଥାଏ । ଏହା ରକ୍ତରେ ଖରାପ କେଲେଷ୍ଟେରଲ୍କୁ କମାଇବା ସହ ଭଲ କେଲେଷ୍ଟେରଲ୍ ମାତ୍ରାକୁ ବଢାଇଥାଏ । କେଲେଷ୍ଟେରଲ୍ ନିୟନ୍ତ୍ରିତ ରହିବା ଦ୍ୱାରା ହୃଦ୍ଘାତର ଆଶଙ୍କା କମ୍ ରହିଥାଏ ।
ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ
ରସୁଣ ଶରୀରରୁ ହାନିକାରକ ପଦାର୍ଥକୁ ବାହାର କରି ଦେଇଥାଏ ଅର୍ଥାତ ରସୁଣ ଶରୀରକୁ ସଫା କରି ଦେଇଥାଏ । ବିଷାକ୍ତ ପଦାର୍ଥ ବାହାରିବା ଦ୍ୱାରା ସାରା ଶରୀରରେ ଶକ୍ତି ଆସିବା ସହ ତ୍ୱଚା ସଫା ରହିଥାଏ । ନିୟମିତ ସକାଳେ ୨ କୋଲା ରସୁଣକୁ ଛଡାଇ ନିଅନ୍ତୁ । ଏହାକୁ ଭଲ ଭାବେ ଗୁଣ୍ଡ କରି ନେଲେ ଏଲିସିନ୍ ତତ୍ତ୍ୱ ସକ୍ରିୟ ହୋଇପଡେ । ଏବେ ଏହାକୁ ଖାଇବା ସହ ହାଲ୍କା ଉଷୁମ ପାଣି ପିଇ ନିଅନ୍ତୁ ।