କୋଲକାତା, ୧୪।୪: ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜାଲରେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର କୁହାଯାଉଥିବା ସଂସ୍ଥା I-PAC (Indian Political Action Committee) ର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ବିନେଶ ଚାନ୍ଦେଲଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଏଡିର ଏହି କାର୍ଯ୍ୟାନୁଷ୍ଠାନ ୨୦୨୦ ମସିହାରେ ସିବିଆଇ (CBI) ଦ୍ୱାରା ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ (FIR) ଆଧାରରେ ହୋଇଛି । ପଶ୍ଚିମବଙ୍ଗର ଆସାନସୋଲ ନିକଟସ୍ଥ କୁନୁସ୍ତୋରିଆ ଏବଂ କାଜୋରା ସ୍ଥିତ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ECL) ର ଖଣିରୁ କୋଟି କୋଟି ଟଙ୍କାର କୋଇଲା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ... SIR ରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍, ଅନ୍ତରୀଣ ଅଧିକାର ଦେବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

ED ର ଦାବି ଅନୁଯାୟୀ, ଏହି କୋଇଲା ଚୋରିର ଟଙ୍କା ହଓ୍ୱାଲା ମାଧ୍ୟମରେ କାରବାର କରାଯାଇଥିଲା । ଜଣେ ହଓ୍ୱାଲା ଅପରେଟର I-PAC ର କମ୍ପାନୀ 'ଇଣ୍ଡିଆନ୍ ପିଏସି କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍' ପାଇଁ କୋଟି କୋଟି ଟଙ୍କାର କାରବାର କରିଥିବା ତଦନ୍ତରୁ ଜଣାପଡ଼ିଛି । ବିନେଶ ଚାନ୍ଦେଲଙ୍କୁ ମନି ଲଣ୍ଡରିଂ ପ୍ରତିରୋଧ ଅଧିନିୟମ (PMLA) ଅନୁଯାୟୀ ଗିରଫ କରାଯାଇଛି । ଅଭିଷେକ ବାନାର୍ଜୀ ଏନେଇ ଙ୍କ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଗଣତନ୍ତ୍ର ନୁହେଁ, ଧମକ" । I-PAC ନିର୍ଦ୍ଦେଶକଙ୍କ ଗିରଫଦାରୀକୁ ନେଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଏକ୍ସ ମାଧ୍ୟମରେ କହିଛନ୍ତି, ବଙ୍ଗଳା ନିର୍ବାଚନର ଠିକ୍ ୧୦ ଦିନ ପୂର୍ବରୁ ଏହି ଗିରଫଦାରୀ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେ ଆହୁରି କହିଛନ୍ତି ଯେ, ଯଦି ଆପଣ ବିରୋଧୀଙ୍କ ସହ କାମ କରୁଛନ୍ତି, ତେବେ ପରବର୍ତ୍ତୀ ନମ୍ବର ଆପଣଙ୍କର ହୋଇପାରେ । ଏହା ଗଣତନ୍ତ୍ର ନୁହେଁ ବରଂ ଲୋକଙ୍କୁ ଡରାଇବା ଓ ଧମକାଇବାର ଏକ ପ୍ରୟାସ । ଯେଉଁମାନେ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି କିନ୍ତୁ ବିଜେପିକୁ ପଳାଉଛନ୍ତି, ସେମାନଙ୍କୁ ସୁରକ୍ଷା ମିଳୁଛି । ଅନ୍ୟପଟେ ବିରୋଧୀଙ୍କୁ ରାଜନୈତିକ ଫାଇଦା ପାଇଁ ଟାର୍ଗେଟ୍ କରାଯାଉଛି ।

କହିରଖୁଛୁ ଯେ, ଚଳିତ ବର୍ଷ ଜାନୁଆରୀ ୮ରେ ଯେତେବେଳେ ED କୋଲକାତା ସ୍ଥିତ I-PAC ଅଫିସରେ ଚଢ଼ାଉ କରିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସେଠାରେ ପହଞ୍ଚିଥିଲେ । ଅଭିଯୋଗ ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନେଇ ବାହାରି ଯାଇଥିଲେ, ଯାହାକୁ ନେଇ ବଡ଼ ବିବାଦ ଦେଖାଦେଇଥିଲା । ଗିରଫଦାରୀ ପୂର୍ବରୁ ଏପ୍ରିଲ ୨ ତାରିଖରେ ଏଡି ପକ୍ଷରୁ ବିନେଶ ଚାନ୍ଦେଲଙ୍କ ବାସଭବନ ସମେତ I-PAC ର ଅନ୍ୟତମ କୋ-ଫାଉଣ୍ଡର ଋଷି ରାଜ ସିଂଙ୍କ ବାଙ୍ଗାଲୋର ସ୍ଥିତ ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଏହି ତଦନ୍ତ ବେଳେ ଆମ୍ ଆଦମୀ ପାର୍ଟିର ପୂର୍ବତନ ଯୋଗାଯୋଗ ପ୍ରଭାରୀ ବିଜୟ ନାୟାରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ମଧ୍ୟ ଖୋଳତାଡ଼ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦାବି ଅନୁଯାୟୀ, ଏହି ନେଟୱାର୍କ ବହୁତ ବଡ଼ ଏବଂ ଏଥିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥାଇପାରନ୍ତି । ଆଗାମୀ ଦିନରେ ଏହି ମାମଲାରେ ଆହୁରି ଅନେକ ଗିରଫଦାରୀ ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବାରୁ ଏହି ଘଟଣାକୁ କେନ୍ଦ୍ର କରି ରାଜନୀତି ଆହୁରି ସରଗରମ ହେବା ନିଶ୍ଚିତ ।