ମୁମ୍ବାଇ,୨୫।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ବିରୋଧି ଆଇନ (ପିଏମ୍ଏଲଏ) ଅନୁସାରେ,ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁସାରେ,ଇଡି ଅନିଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ‘ଆବୋଡ’କୁ ଜବତ କରିଛି। ଜବତ ଘରର ଦାମ୍ ୩,୭୧୬ କୋଟି ଟଙ୍କା ବୋଲି କୁହାଯାଉଛି। ଇଡି ଅନୁସାରେ, ଅନିଲ ଅମ୍ବାନୀ ଓ ତାଙ୍କ ଗ୍ରୁପର କମ୍ପାନୀ ବିରୋଧରେ ଏପର୍ଯ୍ୟନ୍ତ ମୋଟ ଆଟାଚମେଣ୍ଟର କାର୍ଯ୍ୟାନୁଷ୍ଠାନ ୧୫୭୦୦ କୋଟିରୁ ଅଧିକ ହୋଇସାରିଛି।

ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଥିବା୬୬ ମିଟର ଉଚ୍ଚ ଏହି ବିଳାସମୟ ଘର ୧୭ ମହଲା ବିଶିଷ୍ଟ। ସୁତ୍ର ଅନୁସାରେ,ତାଙ୍କ ଗ୍ରୁପର କମ୍ପାନୀ ରିଲାୟନ୍ସ କମ୍ୟୁନିକେସନ୍ (ଆରକମ୍) ଦ୍ବାରା କଥିତ ବ୍ୟାଙ୍କ ଠକେଇ ମାମଲାରେ ଏହି ବିଲ୍ଡିକୁ ମଧ୍ୟ ଆଟାଚ୍ କରାଯାଇଛି। ଏଭଳି କରିବା ପାଇଁ ପିଏମ୍ଏଲଏ ଅନୁସାରେ ଏକ ସ୍ଥାୟୀ ନିର୍ଦେଶ ଜାରି କରାଯାଇଛି। ଅନିଲ ଅମ୍ବାନୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ପୁଣି ଇଡି ନିକଟରେ ହାଜର ହେବାକୁ ପଡିପାରେ। ଅଗଷ୍ଟ ୨୦୨୫ରେ ଇଡି ନିକଟରେ ହାଜର ହୋଇ ଅନିଲ ନିଜର ବୟାନ ରେକର୍ଡ କରିଥିଲେ।

ଉଲ୍ଲେଖନୀୟ ଯେ, ୨୩ ଫେବୃଆରୀରେ ବମ୍ବେ ହାଇକୋର୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ ଝଟକା ଦେଇ ଜଣିକିଆ ଖଣ୍ଡପୀଠ ସେହି ରାୟକୁ ରଦ୍ଦ କରିଥିଲେ, ଯେଉଁଥିରେ ତାଙ୍କର ଏବଂ ରିଲାୟନ୍ସ କମ୍ୟୁନିକେସନ୍ ଲିମିଟେଡ୍‌ର ବ୍ୟାଙ୍କ ଖାତାକୁ ‘ଠକେଇ’ ଶ୍ରେଣୀରେ ବର୍ଗୀକୃତ କରିବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରୋକ ଲଗାଯାଇଥିଲା। ଏହି ନିର୍ଦେଶ ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର ଓ ନ୍ୟାୟମୂର୍ତ୍ତି ଗୌତମ ଏ ଅଖଣ୍ଡଙ୍କ ଖଣ୍ଡପୀଠ ବ୍ୟାଙ୍କ ଅଫ୍ ବରୋଦା, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ଅଡିଟର ବିଡିଓ ଇଣ୍ଡିଆ ଏଲଏଲପିର ଆବେଦନ ପାସ୍ କରିଥିଲେ। ଖଣ୍ଡପୀଠ ‘ଓଲଟା’ ଏବଂ ’ବେ-ଆଇନ୍’ଅନ୍ତରୀଣ ନିର୍ଦେଶକୁ ରଦ୍ଦ କରିଥିଲେ ଓ ଅମ୍ବାନୀଙ୍କ ଏହି ଅଭିଯାନ ଉପରେ ରୋକ ଲଗାଇବାର ନିବେଦନକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ।