ଭୁବନେଶ୍ୱର,୧୧/୧୦: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲା ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା  ଜେରା ସନ୍ଧ୍ୟାରେ ସରିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ଆର୍ଥିକ କାରବାର ବିଷୟରେ ଇଡି ତାଙ୍କୁ  ଜେରା କରିଥିବା ଜଣାପଡିଛି ।

ନେତା, ମନ୍ତ୍ରୀ, ବ୍ୟବସାୟୀ, ଅଫିସରଙ୍କୁ ବ୍ଲାକ୍‌ମେଲ୍‌ କରି କୋଟି କୋଟି  ଟଙ୍କା ରୋଜଗାର କରିଥିଲେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ । ଉକ୍ତ ଟଙ୍କାରେ ସତ୍ୟବିହାର ପ୍ଲଟ୍‌ ନମ୍ବର ୧୩୩୮/୧୫୧୦୫ରେ ସେ ଠିଆ କରିଥିଲେ ୩ ମହଲା  ଘର । ଇଣ୍ଟରିୟରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ବାକି ଟଙ୍କାରେ  ସେ ତାଙ୍କ ଖାସ୍‌ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସହ ମିଶି କାର୍‌ ବ୍ୟବସାୟ  ଆରମ୍ଭ କରିଥିଲେ । ବେଆଇନ ଟଙ୍କାରେ ଘର ତିଆରିର ପ୍ରମାଣ ପାଇବା ପରେ ଅର୍ଚ୍ଚନାକଙ୍କ ଘରକୁ ଗତ ମାସରେ ଇଡି ପକ୍ଷରୁ ସିଲ୍‌ କରାଯାଇଥିଲା ।  ସେତେବେଳେ ଅର୍ଚ୍ଚନା ଘରେ ନଥିଲେ । ତାଙ୍କ ସ୍ୱାମୀ ଜଗବନ୍ଧୁ ବି ନଥିଲେ । କାରଣ ଅର୍ଚ୍ଚନାଙ୍କ ଅଭିଯୋଗରେ ସେ ସେତେବେଳ ଜେଲ୍‌ରେ ଥିଲେ । କିଛି ଦିନ ତଳେ ସେ ଜାମିନ୍‌ରେ ଆସିଥିଲେ । ଆର୍ଥିକ କାରବାରର ଖୋଳତାଡ ପାଇଁ  ତାଙ୍କୁ ଇଡି ନୋଟିସ୍‌ କରିଥିଲା । ସେ ଶୁକ୍ରବାର ସାଢ଼େ ୧୧ଟା ବେଳେ ଇଡିରେ  ହାଜର ହୋଇଥିଲେ । ଦୀର୍ଘ ୫ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲା ଇଡି ।  ହେଲେ ସେ କୌଣସି ସନ୍ତୋଷଜନକ ତଥ୍ୟ ଦେଇ ପାରିନଥିବା ଜଣାପଡିଛି ।