ନୂଆଦିଲ୍ଲୀ,୪।୧୨: ମ୍ୟାକ୍ସିଜୋନ୍ ପୋଞ୍ଜି ସ୍କାମ ମାମଲାରେ ବଡ଼ଧରଣର ରେଡ୍। ଦିଲ୍ଲୀ-ଏନସିଆରର ୨୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ହୋଇଛି ଚଢାଉ। ୩୦୦ କୋଟି ଟଙ୍କାର ଠକେଇ,ମନି ଲଣ୍ଡରିଂ ଓ ବେନାମୀ ସମ୍ପତ୍ତି ମାମଲାରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ।  ଇଡି ଏହି ମାମଲାକୁ ମନି ଲଣ୍ଡରିଂ ଦୃଷ୍ଟିକୋଣରୁ ତଦନ୍ତ କରୁଛି।

​​​​​​​

ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରମୋଟର ଚନ୍ଦ୍ର ଭୂଷଣ ସିଂହ ଏବଂ ପ୍ରିୟଙ୍କା ସିଂହ। ଦୁହେଁ ଏବେ ପୁଲିସ କଷ୍ଟଡିରେ ଅଛନ୍ତି। ନିବେଶକଙ୍କ ପାଣ୍ଠିକୁ କିଭଳି ଏବଂ କିଏ ସହାୟତା କରିଥିଲା ତାକୁ ଜାଣିବାକୁ ଇଡି ଚେଷ୍ଟା କରୁଛି। ଏହି ଚଢାଉ କେବଳ ପ୍ରମୋଟରଙ୍କ ଉପରେ ଚାପ ବୃଦ୍ଧି କରିବ ନାହିଁ ବରଂ ଲୁଟ୍ ହୋଇଥିବା ନିବେଶକଙ୍କ ଟଙ୍କାରେ କିଣାଯାଇଥିବା ସମସ୍ତ ବେନାମୀ ସମ୍ପତ୍ତି ଜବତ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ।

ପୋଞ୍ଜି ସ୍କାମ୍ ହେଉଛି ଏକ ଠକେଇ ଯେଉଁଥିରେ ନୂତନ ନିବେଶକଙ୍କ ପାଣ୍ଠି ବ୍ୟବହାର କରି ପୁରୁଣା ନିବେଶକଙ୍କୁ ଟଙ୍କା ଦିଆଯାଏ। ଏହା ଏକ ପିରାମିଡ୍ ଯୋଜନା ପରି କାର୍ଯ୍ୟ କରେ ଯାହା ଶେଷରେ ଭାଙ୍ଗିଯାଏ। ଗୁରୁବାର ଭୋରରୁ ଉତ୍ତର ପ୍ରଦେଶର ଗାଜିଆବାଦ, ନୋଏଡା ଏବଂ ମିରଟରେ ଚଢାଉ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ଏଜେନ୍ସିର ରାଞ୍ଚି ଜୋନାଲ ଅଫିସ ଉତ୍ତର ପ୍ରଦେଶ ପୋଲିସ ସହିତ ସମନ୍ୱୟ ରଖି ତଲାସୀର ନେତୃତ୍ୱ ନେଉଛି। ଡିଜିଟାଲ୍ ପ୍ରମାଣ, ଆର୍ଥିକ ରେକର୍ଡ ଏବଂ ମନି ଲଣ୍ଡରିଂ କାର୍ଯ୍ୟକଳାପ ସହିତ ସମ୍ଭାବ୍ୟ ଲିଙ୍କ ସଂଗ୍ରହ କରିବା ପାଇଁ ଏହି ଚଢାଉ କରାଯାଇଛି। ଅଭିଯୁକ୍ତ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସହଯୋଗୀଙ୍କ ସହିତ ଜଡିତ ଆବାସିକ ଏବଂ ବାଣିଜ୍ୟିକ ପରିସରରେ ଏକକାଳୀନ ତଲାସୀ ଅଭିଯାନ ଚଳାଇଛନ୍ତି ଏକାଧିକ ଦଳ।