ଚଣ୍ଡିଗଡ଼, ୧୭।୪: ପଞ୍ଜାବ ରାଜନୀତିରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି । ଶୁକ୍ରବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (AAP) ନେତା ସଞ୍ଜୀବ ଅରୋରାଙ୍କ ବିଭିନ୍ନ ଶିଳ୍ପ ଓ ବାସଭବନ ଉପରେ ଚଢ଼ାଉ କରିଛି । ମନ୍ତ୍ରୀଙ୍କ ସମେତ ତାଙ୍କ ବ୍ୟବସାୟିକ ସହଯୋଗୀମାନଙ୍କୁ ମିଶାଇ ମୋଟ୍ ୧୩ଟି ସ୍ଥାନରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ EDର ଏକ ଟିମ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଲୁଧିଆନା ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ଘର ବାହାରେ କେନ୍ଦ୍ରୀୟ ପୁଲିସ ବଳ ମୁତୟନ କରାଯାଇଛି । କେବଳ ଲୁଧିଆନା ନୁହେଁ, ବରଂ ଜଳନ୍ଧର, ଚଣ୍ଡିଗଡ଼ ଏବଂ ଗୁରୁଗ୍ରାମରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଉଛି । ମନ୍ତ୍ରୀଙ୍କ ପୁଅ ତଥା କମ୍ପାନୀର ଏମ୍ଡି କାବ୍ୟା ଅରୋରା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ଅଛନ୍ତି ।

କ’ଣ ରହିଛି ସାଂଘାତିକ ଅଭିଯୋଗ ?

ଏହି ପୂରା ମାମଲା ଜମି ଦୁର୍ନୀତିରୁ ଆରମ୍ଭ ହୋଇ ଏବେ ସଟ୍ଟାବଜାର ଏବଂ ମନି ଲଣ୍ଡରିଂ ପର୍ଯ୍ୟନ୍ତ ପହଞ୍ଚିଛି:

ଜମି ଦୁର୍ନୀତି: 'ହ୍ୟାମ୍ପଟନ ସ୍କାଇ ରିୟଲିଟି' ନାମକ କମ୍ପାନୀ ଜରିଆରେ ନିୟମ ଉଲ୍ଲଂଘନ କରି ଜମିର ବ୍ୟବହାର ବଦଳାଇବା ଅଭିଯୋଗ ।

ଷ୍ଟକ୍ ମାର୍କେଟ୍ ହେରଫେର୍: ଶେୟାର ବଜାରରେ ଜାଲିଆତି କରି କୃତ୍ରିମ ଭାବେ ଶେୟାର ଦର ବଢ଼ାଇବା ।

ସଟ୍ଟାବଜାର ଓ ହାୱାଲା କାରବାର: ଅଭିଯୋଗ ଅନୁଯାୟୀ, ଦୁବାଇରୁ ସଟ୍ଟାବଜାର ମାଧ୍ୟମରେ ଆସୁଥିବା କଳାଧନକୁ ଭାରତରେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ବିନିଯୋଗ କରାଯାଉଥିଲା । ଜଳନ୍ଧରର କ୍ରିକେଟ ବୁକି ଚନ୍ଦ୍ରଶେଖର ଅଗ୍ରୱାଲ ଏହି କାରବାରରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

GST ଜାଲିଆତି: ନକଲି ଏକ୍ସପୋର୍ଟ ବିଲ୍ ଏବଂ ଅଣ-ଅସ୍ତିତ୍ୱ GST ସଂସ୍ଥା ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଥିବା EDର ସନ୍ଦେହ ।

କେନ୍ଦ୍ର ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ:

ଏହି ଘଟଣାକୁ ନେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା 'ଆପ୍' ସଂଯୋଜକ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ସେ ଲେଖିଛନ୍ତି, "ଗତ ୩ ଦିନ ମଧ୍ୟରେ ଆମ ଆଦମୀ ପାର୍ଟି ନେତାଙ୍କ ଉପରେ ଏହା ଦ୍ୱିତୀୟ ରେଡ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋର ପ୍ରଶ୍ନ, ଏ ପର୍ଯ୍ୟନ୍ତ ହୋଇଥିବା ଅଗଣିତ ଚଢ଼ାଉରୁ କ’ଣ ଟଙ୍କାଟିଏ ବି କଳାଧନ ମିଳିଛି ? ଏହା କେବଳ କ୍ଷମତା ପାଇଁ କରାଯାଉଥିବା 'ନୀଚ୍ଚ ରାଜନୀତି' ।

ଆହୁରି ପଢ଼ନ୍ତୁ... Women Reservation; ଆସନ୍ତୁ ଇତିହାସ ରଚିବା...ଭୋଟିଂ ପୂର୍ବରୁ ପିଏମ୍ ମୋଦିଙ୍କ ପୋଷ୍ଟ,ବିରୋଧୀଙ୍କୁ କଲେ ଏହି ଅପିଲ୍

ତଦନ୍ତ ଘେରରେ ବ୍ୟବସାୟୀ:

ମନ୍ତ୍ରୀଙ୍କ ବ୍ୟତୀତ ତାଙ୍କ ବ୍ୟବସାୟିକ ସହଯୋଗୀ ହେମନ୍ତ ସୁଦ୍ ଓ ଜଳନ୍ଧରର ଚନ୍ଦ୍ରଶେଖର ଅଗ୍ରୱାଲ ମଧ୍ୟ EDର ଟାର୍ଗେଟରେ ଅଛନ୍ତି । 'ଫାଇଣ୍ଡୋକ୍ ଫିନଭେଷ୍ଟ' ନାମକ କମ୍ପାନୀ ଜରିଆରେ ଏହି ସମସ୍ତ ଅବୈଧ ଟଙ୍କାକୁ ଷ୍ଟକ୍ ମାର୍କେଟରେ ଲଗାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବର୍ତ୍ତମାନ FEMA ଆଇନ ଅନୁଯାୟୀ, ସନ୍ଧାନ ଜାରି ରହିଛି ଏବଂ ବିପୁଳ ପରିମାଣର ଡିଜିଟାଲ ପ୍ରମାଣ ଜବତ ହେବାର ସମ୍ଭାବନା ରହିଛି ।