ସିଙ୍ଗାପୁରର ପ୍ରସିଦ୍ଧ ପ୍ରଧାନମନ୍ତ୍ରୀ ଲି କୁଆନ ୟୁ କହିଥିଲେ "ଯଦି ତୁମେ କେବଳ ବାଦାମ ଦେବ, ତେବେ ତୁମକୁ କେବଳ ମାଙ୍କଡ଼ ମିଳିବେ’! ସେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ କଠୋର ଦଣ୍ଡ ଦେବାର ପ୍ରଭାବଶାଳୀ ପଦକ୍ଷେପ ପ୍ରଚଳନ କରିବା ସହିତ ଅମଲାମାନଙ୍କୁ ଉଚ୍ଚ ଦରମା ପ୍ରଦାନ କରିଥିଲେ । ନିଃସନ୍ଦେହରେ, ତାଙ୍କର ଐତିହ୍ୟ ସିଙ୍ଗାପୁରରେ ଏକ ଦକ୍ଷ ଏବଂ ଦୁର୍ନୀତିମୁକ୍ତ ଅମଲାତନ୍ତ୍ର ସୃଷ୍ଟି କରିଛି ଯାହା ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଅନୁକରଣ କରିବା ପାଇଁ ଏକ ଉଦାହରଣ ।

​​​​​​​

ବ୍ରିଟିଶରାଜର ବିଭିନ୍ନ ତ୍ରୁଟି ସତ୍ତେ୍ୱ କିଛି ଭଲ ଦିଗ ଥିଲା, ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଦୁର୍ନୀତିର ସ୍ତର କମ୍ ଥିଲା, କାରଣ ଦୁର୍ନୀତି ମାମଲାଗୁଡ଼ିକୁ ସହ୍ୟ କରାଯାଉନଥିଲା । ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ଇସଲିଙ୍ଗଟନ୍ କମିଶନ (୧୯୧୭) ଅମଲାତନ୍ତ୍ରର ଦରମାକୁ ଦକ୍ଷତା ଏବଂ ସଚ୍ଚୋଟତା ସହିତ ସଂଯୋଗ କରିବା ପାଇଁ ନିମ୍ନଲିଖିତ ନୀତି ଗ୍ରହଣ କରିଥିଲେ: "ସରକାର ତାଙ୍କ କର୍ମଚାରୀମାନଙ୍କୁ କେବଳ ଏତିକି ଦେବା ଉଚିତ ଯାହାଦ୍ୱାରା ଠିକ୍ ଦକ୍ଷ ପ୍ରାର୍ଥୀ ମିଳିପାରିବେ ଏବଂ ସେମାନଙ୍କୁ ଏପରି ସୁବିଧା ଏବଂ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ଆବଶ୍ୟକ, ଯାହା ସେମାନଙ୍କୁ ପ୍ରଲୋଭନରୁ ରକ୍ଷାକରିବ ଏବଂ ଚାକିରିକାଳରେ ଦକ୍ଷ ରଖିବ’ ।

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ:୨୮ ଅକ୍ଟୋବର ୨୦୨୫ରେ କେନ୍ଦ୍ର କ୍ୟାବିନେଟ ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ, ଯାହା ୧୮ମାସ ମଧ୍ୟରେ ସୁପାରିସ ଦାଖଲ କରିବ, ଏହାର ସୁପାରିସ ୧ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

କମିଶନ ଏହାର ସୁପାରିସ ପ୍ରସ୍ତୁତ କରିବା ସମୟରେ ବିଚାର କରିବା ଉଚିତ: ଭାରତର ବ୍ୟାପକ ଅର୍ଥନୈତିକ ପରିସ୍ଥିତି ଏବଂ ଆର୍ଥିକ ଅବସ୍ଥା, କଲ୍ୟାଣ ଏବଂ ବିକାଶ ପାଇଁ ସମ୍ବଳ ସଂରକ୍ଷଣର ଆବଶ୍ୟକତା, ଅଣ-ଅବଦାନକାରୀ ପେନସନର ଅନୁଦାନହୀନ ଖର୍ଚ୍ଚ, କେନ୍ଦ୍ରୀୟ ଦରମା ଗ୍ରହଣ ଯୋଗୁଁ ରାଜ୍ୟ ସରକାରଙ୍କ ଆର୍ଥିକ କ୍ଷେତ୍ରରେ ପ୍ରଭାବ, କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରରେ ବିଦ୍ୟମାନ ଦରମା ସ୍ତର ।

କେନ୍ଦ୍ରୀୟ ଦରମା କମିଶନ ସୁପାରିସର ପ୍ରଭାବ ପ୍ରାରମ୍ଭିକ ଆକଳନ ଅନୁସାରେ: ସର୍ବନିମ୍ନ ମୌଳିକ ଦରମା ଟ୧୮,୦୦୦ (୭ମ ସିପିସି)ରୁ ଟ୪୬,୦୦୦–ଟ୫୧,୦୦୦କୁ ବୃଦ୍ଧି ପାଇପାରେ । ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରୁ ୩.୬୮–୩.୮୦କୁ ବୃଦ୍ଧି ପାଇପାରେ, ଯାହା ମୂଳ ଦରମାରେ ୪୦-୪୫% ବୃଦ୍ଧିକୁ ସୂଚାଇଥାଏ । ଏହା ଆନୁପାତିକ ଭାବରେ ମୂଳ ଦରମା ସହିତ ଜଡ଼ିତ ଅନ୍ୟାନ୍ୟ ଭତ୍ତା ବୃଦ୍ଧିକରିବ । ତେଣୁ ୮ମ ସିପିସି ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ପହଞ୍ଚିଛି, ଯେତେବେଳେ ଭାରତକୁ ଏକ ଦକ୍ଷ, ନ୍ୟାୟସଙ୍ଗତ ଏବଂ ଆର୍ଥିକ ଦୃଷ୍ଟିରୁ ଦାୟୀ ନାଗରିକ ସେବାର ଆବଶ୍ୟକତା ଅଛି । ଉଚ୍ଚକୋଟୀର କୁଶଳ ବ୍ୟକ୍ତିମାନଙ୍କୁ ଆକର୍ଷିତ କରିବା ଏବଂ ରଖିବା ପାଇଁ କାର୍ଯ୍ୟଦକ୍ଷତା-ସଂଲଗ୍ନ ପ୍ରୋତ୍ସାହନ, ଅଣ-ଆର୍ଥିକ ଲାଭ ଏବଂ ବିଶେଷଜ୍ଞ ପ୍ରତିଭା ବିକାଶକୁ ଅନ୍ତର୍ଭୁକ୍ତ କରିବା ଅତ୍ୟାବଶ୍ୟକ ହେବ ।

ପ୍ରମୁଖ ଚ୍ୟାଲେଞ୍ଜ ଗୁଡ଼ିକ ଦାୟିତ୍ୱ, ଦକ୍ଷତା ଏବଂ ନ୍ୟାୟକୁ ସନ୍ତୁଳିତ କରିବା: ଦରମାର ସ୍ତର ନ୍ୟାୟପୂର୍ଣ୍ଣ ହେବା ସହିତ ଏବଂ ଦାୟିତ୍ୱ, ଦକ୍ଷତା ଏବଂ ବିପଦକୁ ପ୍ରତିଫଳିତ କରିବା ଉଚିତ । ବିଶେଷକରି କମିଶନ ପ୍ରତିରକ୍ଷା ଏବଂ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀ କ୍ଷେତ୍ରରେ ଦରମା, ଭତ୍ତା ଏବଂ ସୁବିଧାର ପୁନଃମୂଲ୍ୟାୟନ କରିବା ଉଚିତ । ରାଜକୋଷୀୟ ଉତ୍ତରଦାୟିତ୍ୱ ଯେକୌଣସି ଦରମା ବୃଦ୍ଧି ଆର୍ଥିକ ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା (ଏଫ.ଆର.ବି.ଏମ.) ଢାଞ୍ଚା ସହିତ ସମନ୍ୱିତ ହେବା ଉଚିତ ।

ପାଣ୍ଠିହୀନ ପେନସନ ଦାୟିତ୍ୱ: ପାଣ୍ଠିହୀନ ପେନସନକୁ ବୋଝ ଭାବରେ ଚିହ୍ନିତ କରିବା ପେନସନଭୋଗୀଙ୍କ ପ୍ରତି ଅନ୍ୟାୟ । ସୁପ୍ରିମକୋର୍ଟଙ୍କ ମତରେ ପେନସନଦାନ ନୁହେଁ, ବରଂ ଜୀବନବ୍ୟାପୀ ଉତ୍ସର୍ଗୀକୃତ ସେବାପାଇଁ ସ୍ଥଗିତ କ୍ଷତିପୂରଣ ଭାବରେ ବିଚାରଯୋଗ୍ୟ । ପେନସନଭୋଗୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତାକୁ ସମ୍ବୋଧିତ କରିବା ସମୟରେ କମିଶନ ନ୍ୟାୟ ସୁନିଶ୍ଚିତ କରିବା ଉଚିତ ।

ବେତନରେ ସମାନତା: ବହୁଦିନ ଧରି ଜନସାଧାରଣଙ୍କ ଧାରଣା ରହିଛି ଯେ ପୂର୍ବ ବେତନ କମିଶନଗୁଡ଼ିକ ଆଇଏଏସ୍ ଏବଂ କିଛି ଉଚ୍ଚପଦସ୍ଥ ସେବାକୁ ଦରମା, ସ୍ଥିତି, ପଦୋନ୍ନତି ଏବଂ ପ୍ୟାନେଲମେଣ୍ଟ ପାଇଁ ଅଧିକ ସମର୍ଥନ କରିଥିଲେ । କ୍ଷେତ୍ର ପରିସ୍ଥିତିରେ ସେମାନଙ୍କର ସମନ୍ୱୟ ଭୂମିକା ଏବଂ ତୃଣମୂଳ ସ୍ତରର ପ୍ରଶାସନିକ ଅଭିଜ୍ଞତାକୁ ଉଲ୍ଲେଖ କରି ଆଇଏଏସ୍ ପାଇଁ ପାରମ୍ପରିକ ଉଚ୍ଚସ୍ଥାନ ଜାରି ରଖିପାରେ । ସେହି ସମୟରେ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସମସ୍ତ ସେବାରେ ବିଶ୍ୱାସ, ମର୍ଯ୍ୟାଦା ଏବଂ ସମାନତା ବଜାୟ ରହିବ ।

କାର୍ଯ୍ୟକ୍ଷମ ବିପଦ: ପ୍ରତିରକ୍ଷା ଏବଂ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ବହନ କରାଯାଉଥିବା ଉଚ୍ଚ କାର୍ଯ୍ୟକ୍ଷମ ବିପଦକୁ କମିଶନ ସ୍ୱୀକାର କରିବା ଉଚିତ । ଦରମାର ସ୍ତର ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ, ଯଥା- କାର୍ଯ୍ୟକ୍ଷେତ୍ର, ଚାପ, ବିପଦ, କାର୍ଯ୍ୟଭାର ଏବଂ ଦାୟିତ୍ୱ ।

ତୁଳନାତ୍ମକ ମାନବିନ୍ଦୁ: ଏକ ଆଧୁନିକ କ୍ଷତିପୂରଣ ବ୍ୟବସ୍ଥା ନିର୍ମାଣ କରିବାକୁ କମିଶନ ବିଚାର କରନ୍ତୁ- ତୁଳନାତ୍ମକ ଦକ୍ଷତା ଆବଶ୍ୟକ କରୁଥିବା ଘରୋଇ ଓ ସରକାରୀ ପଦରେ ଦରମାର ମାନଦଣ୍ଡ, ଅନ୍ତର୍ଜାତୀୟ ସିଭିଲ୍ ସର୍ଭିସ୍ ଦରମା ସ୍ତର ଅଧ୍ୟୟନ, ଆର୍ଥିକ ଶୃଙ୍ଖଳା ସହିତ ନ୍ୟାୟପୂର୍ଣ୍ଣତାକୁ ବିଚାର କରି ସର୍ବୋତ୍ତମ ଅଭ୍ୟାସ ପଦ୍ଧତିଗୁଡ଼ିକୁ ଚିହ୍ନଟ କରନ୍ତୁ ।

ପ୍ରେରଣା, ସଂରକ୍ଷଣ ଏବଂ ମାନବ ସାଧନ ବିକାଶ: ବିଶେଷଜ୍ଞ ପଦରେ ଉଚ୍ଚମାନର ପ୍ରତିଭାକୁ ଆକର୍ଷିତ କରିବା ଏବଂ ବଜାୟ ରଖିବା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । କ୍ଷତିପୂରଣ କେବଳ ଗୋଟିଏ ଦିଗ । କମିଶନ ଉନ୍ନତ କାର୍ଯ୍ୟ ପରିବେଶ, ସ୍ପଷ୍ଟ କ୍ୟାରିଅର ପଥ, ସଂରଚିତ ତାଲିମ ଏବଂ ଦକ୍ଷତା ବୃଦ୍ଧି, ଆଧୁନିକ କାର୍ଯ୍ୟପଦ୍ଧତି ଉପରେ ଗୁରୁତ୍ୱ ଦେବା ଉଚିତ ।

ଦକ୍ଷତା ଏବଂ ସଚ୍ଚୋଟତା: ଅନେକ ନାଗରିକ ସରକାରୀ ବିଭାଗଗୁଡ଼ିକୁ ମହଙ୍ଗା ଏବଂ ଅଦକ୍ଷ ଧଳାହାତୀ ଭାବରେ ଦେଖନ୍ତି । ଯେହେତୁ ଦରମା ବୃଦ୍ଧି କରଦାତାଙ୍କ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଏ, ସମାଜ ଆଶା କରେ ସାର୍ବଜନୀନ ସେବା ପ୍ରଦାନରେ ଅଧିକ ଦକ୍ଷତା, ଅଧିକ ସଚ୍ଚୋଟତା ଏବଂ ଦାୟିତ୍ୱ, ଶାସନରେ ମାପଯୋଗ୍ୟ ଉନ୍ନତି ।

ଜାତିସଂଘର ସୁଶାସନ ସୂଚକାଙ୍କଗୁଡ଼ିକ ଗୁରୁତ୍ୱାରୋପ କରେ ଯେ ଏକ ଦକ୍ଷ ନାଗରିକ ସେବା ଅପରିହାର୍ଯ୍ୟ । କମିଶନକୁ ଉତ୍ପାଦକତା, ମୂଲ୍ୟାଙ୍କନ ପ୍ରଣାଳୀ, ଦକ୍ଷତା ଏବଂ ଦାୟିତ୍ୱ ବୃଦ୍ଧିକରିବା ପାଇଁ ଉପାୟମାନ ସୁପାରିସ କରିବାକୁ ପଡ଼ିବ । ଦରମା ବୃଦ୍ଧିକୁ ଉତ୍ତମ ଫଳାଫଳ ସହିତ ଯୋଡ଼ିବାକୁ ପଡ଼ିବ ।

ଦୁର୍ନୀତି ଏକ ବଢ଼ୁଥିବା ବିପଦ: ଭାରତରେ ଦୁର୍ନୀତିର ବୃଦ୍ଧି ଏକ ଗମ୍ଭୀର ଚିନ୍ତାର ବିଷୟ । ଦୁର୍ନୀତି ଧାରଣା ସୂଚକାଙ୍କ (ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ସିପିଆଇ)ରେ ଭାରତର ସ୍ଥାନ ଆହୁରି ଖରାପ ହୋଇଛି- ୭୮(୨୦୧୯), ୮୦(୨୦୨୦), ୮୫(୨୦୨୨), ୯୩(୨୦୨୩) ଏବଂ ୯୬(୨୦୨୪) । ସିପିଆଇ ଦୁର୍ନୀତି ରାଙ୍କିଙ୍ଗ୍ ହେଲା୦ (ସର୍ବନିମ୍ନ ଦୁର୍ନୀତିଗ୍ରସ୍ତ)ରୁ ୧୦୦ (ଅତ୍ୟଧିକ ଦୁର୍ନୀତିଗ୍ରସ୍ତ) ପର୍ଯ୍ୟନ୍ତ । ବେତନ କମିଶନକୁ ଏହି ବାସ୍ତବତାର ସାମ୍ନା କରିବାକୁ ପଡ଼ିବ । ଉଚ୍ଚ ଦରମାକୁ ହ୍ରାସ ଦୁର୍ନୀତି ସହିତ ଜଡ଼ିତ ହେବା ଉଚିତ, ଯାହା ନିଶ୍ଚିତ କରିବ ଯେ ଅଧିକାରୀମାନେ ବୈଧ ଆୟରେ ବଞ୍ଚିପାରିବେ ଏବଂ କ୍ଷମତାର ଅପବ୍ୟବହାର କରିବାର କୌଣସି ବାହାନା କରିପାରିବେନାହିଁ । ଶାସନ ପଦ୍ଧତିରେ ଏକ ଶୂନ୍ୟ-ସହିଷ୍ଣୁତା ନୀତି ଗଠନ କରାଯିବା ଉଚିତ ।

ଅବସର ବୟସ: ପଞ୍ଚମ ସିପିସିର ସୁପାରିସ ଆଧାରରେ ୧୯୯୮ ମସିହାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ୫୮ରୁ ୬୦ବର୍ଷକୁ ବୃଦ୍ଧି କରାଯାଇଥିଲା । ବର୍ଦ୍ଧିତ ଜୀବନକାଳ ଏବଂ ଅଭିଜ୍ଞ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତର ଏବଂ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ଅବସର ବୟସ ୬୫ବର୍ଷକୁ ବୃଦ୍ଧିକରିବା ଅନୁରୂପ ନୀତି ଗ୍ରହଣ କରିବା ପାଇଁ ଏକ ଦୃଢ଼ ଯୁକ୍ତି ଅଛି । ଏପରି ସେବା ବୃଦ୍ଧିକୁ ଇଚ୍ଛାଧୀନ କରାଯାଇପାରିବ, ଯାହା ଅଭିଜ୍ଞତାର ନିରନ୍ତରତା ସୁନିଶ୍ଚିତ କରିବ । ଏହା ପେନସନ ଲାଭ ପ୍ରଦାନ ଯୋଗୁଁ ସରକାରଙ୍କ ଆର୍ଥିକ ବୋଝ ମଧ୍ୟ ହ୍ରାସକରିବ ।

ଅପାରଗତା ଏବଂ ଦୁର୍ନୀତିର ଯୁଗଳ କ୍ଷତିକୁ କଠୋର ଭାବେ ସମ୍ମୁଖୀନ କରିବାକୁ ପଡ଼ିବ । ଦୋଷୀମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବା ଉଚିତ, ଦୀର୍ଘ ପ୍ରକ୍ରିୟାଗତ ବିଳମ୍ବ କରାଯିବା ଅନୁଚିତ । ଅଷ୍ଟମ ବେତନ କମିଶନ ଏକ ସଚ୍ଚୋଟ, ଦକ୍ଷ, କୁଶଳୀ ଏବଂ ସମୟୋଚିତ ତଥା ସ୍ୱଚ୍ଛ ସାର୍ବଜନୀନ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ ଏକ ପ୍ରଶାସନିକ ସେବା ଗଠନ କରିବାର ଦାୟିତ୍ୱ ବହନ କରିବା ଉଚିତ । ବେତନ କମିଶନ ସୁପାରିସଗୁଡ଼ିକ କେବଳ ଦରମା ବୃଦ୍ଧି କରିବା ବ୍ୟତୀତ ଆହୁରି ଅନ୍ୟ ଦିଗରେ ଦୃଷ୍ଟିଦେବା ଉଚିତ । କମିଶନ ଏପରି ଏକ ଅମଲାତନ୍ତ୍ର ଗଠନ କରିବାରେ ସାହାଯ୍ୟ କରିବା ଉଚିତ, ଯାହା ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ସହିତ ଜାତୀୟ ବିକାଶ ଲକ୍ଷ୍ୟ ପୂର୍ଣ୍ଣକରିବ ତଥା ଏକ ଯୁବ, ମହତ୍ତ୍ୱାକାଂକ୍ଷୀ ଭାରତର ଊଦ୍ଧ୍ୱର୍ମୁଖୀ ଆଶା ପୂରଣ କରିବାରେ ସମର୍ଥ ହେବ ।

 

(ଲେଖକ ଭାରତୀୟ ପ୍ରଶାସନିକ ସେବାର ଜଣେ ଅବସରପ୍ରାପ୍ତ ଅଧିକାରୀ ତଥା ଆଇଆଇଏମ୍ ନାଗପୁରର ଭିଜିଟିଂ ପ୍ରଫେସର)