କଳିଙ୍ଗନଗର, ୫।୬  :   ଦାନଗଦି ବ୍ଲକ ଟମକା ଥାନା ଅନ୍ତର୍ଗତ ଜେମାଦେଇପୁର ଉପରସାହି ଗାଁରେ  ଅଘଟଣ।  ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର । ଗୁରୁତର ଜଣକ ହେଲେ ଶତ୍ରୁଘ୍ନ କାଣ୍ଡି । ତାଙ୍କୁ  ଗୁରୁତର ଅବସ୍ଥାରେ ମେଡ଼ିକାଲରେ  ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଏହି ଗାଁର କାଳନ୍ଦୀ କାଣ୍ଡିଙ୍କ ବଡ଼ ପୁଅ ଶତ୍ରୁଘ୍ନ କାଣ୍ଡି ଗାଡି ଚାଳକ ଭାବେ କାମ କରନ୍ତି। ପୂର୍ବ ଶତ୍ରୁତାକୁ ନେଇ  ମଝିଆଁ ପୁଅ ଶରତ କାଣ୍ଡି ଓ  ବଡ ପୁ୍ଅ ଶତ୍ରୁଘ୍ନ ମଧ୍ୟରେ ଝଗଡା ଲାଗି ରହିଥିଲା।  ଉଭୟଙ୍କ ମଧ୍ୟରେ ପୂର୍ବରୁ ବିଦ୍ୟୁତ ତାର କଟା କଟିକୁ ନେଇ ବାରମ୍ବାର ପାଟିତୁଣ୍ଡ ହେଉଥିଲା। 

ବଡ଼ ଭାଇ ଶତ୍ରୁଘ୍ନ ଶୋଇଥିବା ଅବସ୍ଥାରେ ମଝିଆଁ ଭାଇ ଶରତ ଏକ ଧାରୁଆ ଖଣ୍ଡା ନେଇ ଅତର୍କିତ ଭାବେ ଆକ୍ରମଣ କରିଥିଲା। ପାଖ ପଡୋଶୀ ଓ ଘର ଲୋକ ଶତ୍ରୁଘ୍ନର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ।  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶତ୍ରୁଘ୍ନ ପଡିଥିବା ଦେଖିଥିଲେ।  ସଙ୍ଗେ ସଙ୍ଗେ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ  ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ଶତ୍ରୁଘ୍ନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ଟମକା ଥାନାରେ ଅଭିଯୋଗ ହୋଇଛି ।