ବଙ୍ଗୋମୁଣ୍ଡା,୩୦/୮ :  ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ପଞ୍ଚୟତ ତାଳଚ୍ଚକେଲ ଗାଁରେ । ବୃଦ୍ଧ ଜଣଙ୍କ ହେଲେ ମୀନକେତନ ବାଗ(୬୦) । 

ସୂଚନାଯୋଗ୍ୟ ଯେ, ମୀନକେତନଙ୍କୁ ୩ଜଣ ଲୁକେସ ଠେଲା, ମନୋଜ ହଂସ, ମେଘରାଜ ହଂସ ମିଶି ଲୁହା ଛଡ଼, ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ମୀନକେତନ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ସଂକଟାପନ୍ନ ହେବାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣାର ଅଧିକ ତଦନ୍ତ କରୁଥିବାବେଳେ କିଛି ଯୁବକକୁ ପୋଲିସ ଆଣି ଅଟକ ରଖିଛି । 

ଭାଇ ମଧୁବାଗ ଓ ମୀନକେତନଙ୍କ ସ୍ତ୍ରୀ ମରୁଆବାଗ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଅନୁସାରେ,  ଅଭିଯୁକ୍ତମାନଙ୍କ ପରିବାରର ଜନୈକ ମହିଳାଙ୍କ ପ୍ରାୟ ବର୍ଷେ ପୂର୍ବରୁ କୌଣସି କାରଣ ବଶଃତ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେହି ଦିନଠାରୁ ସନ୍ଦେହ କରି ଆସୁଥିଲେ । ଗତ ରାତିରେ ମୀନକେତନ ରହୁଥିବା ଘରକୁ ଟେକା ପଥର ମାଡ଼ ମାରିଥିଲେ ଏବଂ ତା’ପରେ ମୀନକେତନକୁ ଭାଇ ମଧୁ ଉଦ୍ଧାର କରିଥିଲେ ।