ମୁମ୍ବାଇ ,୦୪/୧୧: ଇସିଙ୍କ ବଡ ଆକ୍ସନ । ବଦଳିଲେ ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଳା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଳାଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ମହାରାଷ୍ଟ୍ର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି ଅପରାହ୍ନ ଗୋଟାଏ ସୁଦ୍ଧା ୩ ଜଣ ଆଇପିଏସ ଅଧିକାରୀଙ୍କ ଏକ ପ୍ଯାନେଲ ପଠାଇବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଅନୁସାରେ, ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଳା ମହାରାଷ୍ଟ୍ରର ପ୍ରଥମ ମହିଳା ଡିଜିପି । ୧୯୮୮ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଅଫିସର ରଶ୍ମୀ ଶୁକ୍ଳା ଶସସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ମହା ବିକାଶ ଅଘାଡି ସରକାର ସମୟରେ ସେ ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିଲେ । ତାଙ୍କ ନାମରେ ବେଆଇନ ଭାବେ କିଛି ବରିଷ୍ଠ ରାଜନୈତିକ ନେତାଙ୍କ ଫୋନ ଟ୍ୟାପିଂ ଅଭିଯୋଗ ହୋଇଥିଲା । ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହା ସହିତ ଡିଜିପି ରଶ୍ମୀ ଶୁକ୍ଳା ବିରୋଧୀ ନେତାଙ୍କ ନାମରେ ମଥ୍ୟା ମାମଲା ରୁଜୁ ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଥିଲା ।
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ । ୨୮୮ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ନଭେମ୍ବର ୨୩ ତାରିଖରେ ଭୋଟ ଗଣନା ହେବ । ପୂର୍ବରୁ ୨୦୨୯ ନିର୍ବାଚନରେ ବିଜେପି ୧୦୫ଟି ଆସନ, ଶିବସେନା ୫୬ଟି ଏବଂ କଂଗ୍ରେସ ୪୪ଟି ଆସନ ଜିତିଥିଲା । ରାଜ୍ୟରେ ମୋଟ ୯.୯୩ କୋଟି ଭୋଟର ଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।