ଭୁବନେଶ୍ବର,୨୪/୩ : ଚଳିତ ବର୍ଷ ବି ବଢିବନି ବିଜୁଳି ଦର । ତାରିଫ ନ ବଢ଼ାଇବା ନେଇ କମିଶନ ନିଷ୍ପତି ନେଇଥିବା ସୂଚନା ଦେଲା OERC । ଗତ ୫ବର୍ଷ ହେବ ବିଜୁଳି ତାରିଫ ବଢ଼ି ନ ଥିବାବେଳେ ୨୦୨୩-୨୪ରେ କମିଥିଲା ୧୦ପଇସା । ଏହାଛଡା ବିଦ୍ୟୁତ ବିତରଣ କମ୍ପାନୀ ଉପରେ ଲଗାମ ରଖିବା ସହ ଗ୍ରାହକଙ୍କ ସୁବିଧା ପାଇଁ ନେଇଛନ୍ତି କିଛି ବଡ଼ ପଦକ୍ଷେପ ।
OERC ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଦ୍ୟୁତ ବିତରକ କମ୍ପାନୀ କରୁଥିବା ଖର୍ଚ୍ଚର ହେବ ସିଏଜି ଅଡିଟ । ୫୦ପ୍ରତିଶତରୁ ଅଧିକ କ୍ଷତି ସହୁଥିବା ଫିଡ଼ର ଗୁଡ଼ିକରେ ଲାଗିବ ସ୍ମାର୍ଟ ମିଟର । କୃଷି କ୍ଷେତ୍ରରେ ୬୦ପ୍ରତିଶତରୁ ଅଧିକ ଲୋଡ଼ ନେଉଥିଲେ ସେ ଗୁଡ଼ିକ ସୋଲାର ଦ୍ୱାରା ବିଦ୍ୟୁତି କରଣ କରାଯିବ ବୋଲି କୁହାଯାଇଛି । ଏହାସହ ବାଣିଜିକ ଓ ପରିବହନ କ୍ଷତି ଅଧିକ ହେଉଥିବା ଅଂଚଳରେ ଟ୍ରାନ୍ସଫରମର ସହ ବିଦ୍ୟୁତ ବିତରକ କମ୍ପାନୀ ଲଗାଇବେ ସ୍ମାର୍ଟ ମିଟର । ସ୍ମାର୍ଟ ମିଟରର ସଫ୍ଟୱାଏର ଅଡ଼ିଟ କରିବ ତୃତୀୟ ପକ୍ଷ କମ୍ପାନୀ । ସ୍ମାର୍ଟ ମିଟର ଅଧିକ ବିଲ ଆସୁଥିବା ନେଇ ବିଭିନ୍ନ ସମୟରେ ଆସୁଥିଲା ଅଭିଯୋଗ । କର୍ମଚାରୀ ଖର୍ଚ୍ଚ ଓ ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବିଦ୍ୟୁତ ବିତରକ କମ୍ପାନୀକୁ OERCଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସର୍ବ ଭାରତୀୟସ୍ତରଠାରୁ ଓଡ଼ିଶାରେ ଅଧିକ ରହୁଥିଲା ଏହି ଖର୍ଚ୍ଚ ।