ବନ୍ତଳା, ୧୦/୦୪ : ଦଣ୍ଡନାଚ ଦେଖି ଫେରିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ଦଳିଦେଲା ଉତ୍ପାତିଆ ହାତୀ। ଚାଲିଗଲା ମାଆ-ଝିଅଙ୍କ ଜୀବନ। ବନ୍ତଳା ଥାନା ଅନ୍ତର୍ଗତ ଅନୁଗୋଳ ବନଖଣ୍ଡ ମଧୁପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛି।
ସୂଚନାନୁଯାୟୀ, ଏକ ଦମ୍ପତି ଏବଂ ତାଙ୍କ ୩ ବର୍ଷର କୁନି ଝିଅ ବନ୍ତଳା ଥାନା ଅନ୍ତର୍ଗତ ଅନୁଗୋଳ ବନଖଣ୍ଡ ଭୁକିଲାପାଳ ଗାଁରେ ରହି ଏକ ଫାର୍ମ ହାଉସରେ କାମ କରୁଥିଲେ। ଗୁରୁବାର ରାତିରେ କୌଣସି କାମ ପାଇଁ ସେମାନେ ମଧୁପୁର ନୂଆ କୁହ୍ଲସାହିକୁ ଆସିଥିଲେ। ଫେରିବା ବାଟରେ ମଧୁପୁରର ନଳମାଳ ପାଖରେ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ମହିଳାଙ୍କ ସ୍ଵାମୀ ଜୀବନ ବିକଳରେ ମଧୁପୁର ଗାଁକୁ ଦୌଡ଼ି ପଳାଇଥିଲା। ଗାଁ ଲୋକଙ୍କୁ ଧରି ଆସିଲା ବେଳକୁ ହାତୀ ମାଆ-ଝିଅଙ୍କୁ ମାରି ସାରିଥିଲା। ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.
ଏହି ଖବରଟିକୁ ପଢନ୍ତୁ-ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି : ୭୨ ଜଣ ସଦସ୍ୟଙ୍କୁ ଦାୟିତ୍ଵ, କମିଟିରେ ସ୍ଥାନ ପାଇଛନ୍ତି ୧୮ ମହିଳା