ନୀଳଗିରି,୯/୧୧: ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରିର ଔପଦା ବ୍ଲକ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଶ୍ୟାମସୁନ୍ଦରପୁର ଅଞ୍ଚଳର ଜଗେନ୍ଦ୍ର ସିଂ ବୋଲି ଜଣାପଡିଛି।
ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହାରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ରାତିରେ ଅଭୟରଣ୍ୟରୁ ବାହାରି ଧାନ ଫସଲରେ କରୁଛନ୍ତି ବ୍ୟାପକ କ୍ଷୟକ୍ଷତି। ସେହିପରି ଗତକାଲି ରାତିରେ ମଧ୍ୟ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ହାତୀ ବାହାରି ଧାନ ଫସଲ ନଷ୍ଟ କରିଥିଲେ। ଚାଷୀମାନେ ହାତୀଟିକୁ ଘଉଡାଇବାରୁ ହାତୀ ହାବୁଡ଼ରେ ଜଣେ ଯୁବକ ପଡିଯାଇଥିଲା। ଯାହାଫଳରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଯୁବକ। ତାଙ୍କୁ ଗୁରୁତର ଭାବେ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।ତେବେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।