ଖୋର୍ଦ୍ଧା,୨/୧ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ହାତୀ ଆତଙ୍କ ଏବେ ଭୟଙ୍କର ରୂପ ନେଇଛି । ଭୁଆସୁଣିପାଟଣା ସ୍କୁଲ ନିକଟରେ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
୧୫ଟିକିଆ ହାତୀ ପଲରୁ ଅଲଗା ହୋଇ ଏକ ଦନ୍ତା ଗାଁ ଭିତରକୁ ପଶି ଆସିଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ କାବୁ କରି ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବେଗୁନିଆ ଥାନା ଭୁଆସୁଣୀପାଟଣା ଗ୍ରାମର ପ୍ରିୟବ୍ରତ ପରିଡ଼ା । ବାରମ୍ବାର ହାତୀ ପଲ ଗାଁ ଭିତରକୁ ପଶୁଥିଲେ ମଧ୍ୟ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମୃତକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୁରଣ ପୁରଣ ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି।