ସୁନ୍ଦରଗଡ,୧୭/୧୦: ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ବନଖଣ୍ଡ ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ ଗୁଲଠା ବିଟର ସର୍ଦ୍ଧାପାଲି ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା। ତେବେ ଗୁରୁତର ବ୍ୟକ୍ତି ଜଣକ ଉକ୍ତ ଗ୍ରାମର ଘନଶ୍ୟାମ ବେସନ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଘନଶ୍ୟାମ ଆଜି ସକାଳ ପ୍ରାୟ ୬ଟା ସମୟରେ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଛନ୍ତି । ଖବର ପାଇ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ ସାହାଯ୍ୟରେ ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ଗୁରୁବାର ଦିନ ଏହି ବିଟର ଦଳଦଳି କାଜୁ ଅଞ୍ଚଳରେ ଦୁଇ ଟିକିଆ ହାତୀ ପଲ ରହିଥିଲେ । ବନ ବିଭାଗ କର୍ମଚାରୀମାନେ ଏମାନଙ୍କୁ ଘଉଡାଇବାରେ ସଫଳ ହୋଇଥିବା ବେଳେ ଆଜି ପୁଣି ଅନ୍ୟ ଏକ ଦନ୍ତା ଯୋଗିମାଲ ପଞ୍ଚାୟତରେ ଉପଦ୍ରବ କରୁଛି । ସେହିପରି କିଛି ଦିନ ତଳେ ଅନ୍ୟ ଏକ ହାତୀ ଏହି ବିଟର ଏର୍ଗାପିଟା ଅଞ୍ଚଳକୁ ଆସି ଘୁରି ବୁଲୁଥିଲା । ଏବେ ବଣ ଜଙ୍ଗଲ ଶୂନ୍ୟ ଏହି ଅଞ୍ଚଳକୁ ବାରମ୍ବାର ହାତୀମାନେ ଆସୁଥିବାରୁ ଅଞ୍ଚଳବାସୀ ଆବସ୍ଥାରେ ରହିଛନ୍ତି ।