ୱାଶିଂଟନ, ୨୩/୦୧: ଆମେରିକୀୟ ଅରବପତି ତଥା ଟେସ୍ଲା ସିଇଓ ଏଲନ୍ ମସ୍କ ଗୁରୁବାର ରୋବୋ ଆଧାରିତ ଭବିଷ୍ୟତକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ବର୍ଷ ଶେଷ ସୁଦ୍ଧା ଆମେ ସମ୍ଭବତଃ ଲୋକଙ୍କୁ ହ୍ୟୁମାନଏଡ୍ ରୋବୋ ବିକ୍ରି କରିବାକୁ ସମର୍ଥ ହେବୁ । ଖୁବଶୀଘ୍ର ଲୋକଙ୍କ ତୁଳନାରେ ରୋବୋ ସଂଖ୍ୟା ଅଧିକ ହେବାକୁ ଯାଉଛି । ଲୋକମାନେ ବର୍ତ୍ତମାନ ଯେମିତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ଦିନ ଆସିବ ସମସ୍ତଙ୍କ ପାଖରେ ରୋବୋ ରହିଥିବ । ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଲୋକ ଏହାର ଅଧିକାରୀ ହେବାକୁ ଯାଉଛନ୍ତି ।
ପିଲାଙ୍କ ଉପରେ ନଜର ରଖିବା, ପୋଷା ଜୀବଜନ୍ତୁଙ୍କ ଦେଖାଶୁଣା କରିବାଠାରୁ ଆରମ୍ଭ କରି ଅନେକ ବଡ଼ କାର୍ଯ୍ୟ ପର୍ଯ୍ୟନ୍ତ, ଲୋକମାନେ ହ୍ୟୁମାନଏଡ୍ ରୋବୋ ନିଜ ପାଖରେ ରଖିବାକୁ ଚାହିଁବେ । ତେବେ ମସ୍କଙ୍କର ଏହି ବୟାନ କେତେଦୂର ବାସ୍ତବ ରୂପ ନେବ, ତାହା ନେଇ କୌଣସି ସ୍ପଷ୍ଟ ଆକଳନ ନାହିଁ । କାରଣ ଏହା ପୂର୍ବରୁ ବି ସେ ଏହିଭଳି ବୟାନ ଦେଇଥିଲେ । ତାଙ୍କ କମ୍ପାନି ୨୦୨୫ରେ ହ୍ୟୁମାନଏଡ୍ ରୋବୋ ଉତ୍ପାଦନ କରିବ ବୋଲି ସେ କହିଥିଲେ ।
୨୦୨୬ରେ ଏହାର ବଜାର ପ୍ରବେଶ ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏଥର ସେ ୨୦୨୭ ପାଇଁ ଟାର୍ଗେଟ୍ ରଖିଛନ୍ତି । ଅନ୍ୟପକ୍ଷରେ ଟେସ୍ଲା ବ୍ୟତୀତ ଅନ୍ୟ କେତେକ ପ୍ରମୁଖ କମ୍ପାନି ମଧ୍ୟ ହ୍ୟୁମାନଏଡ୍ ରୋବୋ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି । ଶ୍ରମ ଅଭାବର ପ୍ରତିକାର ଲାଗି ସେମାନେ ଫୋକସ୍ କରୁଛନ୍ତି । ଲଜିଷ୍ଟିକ୍ସ, ପଣ୍ୟାଗାର, ଖୁଚୁରା ଶିଳ୍ପ ଓ ବିନିର୍ମାଣ କ୍ଷେତ୍ର ପାଇଁ ରୋବୋ ଆଣିବା ଲାଗି ସେମାନେ କାର୍ଯ୍ୟ କରୁଛନ୍ତି ।
ଆହୁରି ପଢ଼ନ୍ତୁ:- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମ୍ପର୍କ ଛିନ୍ନ କଲା ଆମେରିକା, କାର୍ଯ୍ୟାଳୟରୁ ହଟାଇଲା ପତାକା