ନୂଆଦିଲ୍ଲୀ୨୩/୦୧; ଏକାଧିକ ଦେଶ ସହ ତିକ୍ତତା ଭିତରେ ଆମେରିକା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଔପଚାରିକ ଭାବେ ନିଜକୁ ଅଲଗା କରିଛି ଆମେରିକା । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହୁରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । ଏହାସହ ଜେନେଭାରେ ହୁ’ର କାର୍ଯ୍ୟାଳୟ ବାହାରେ ଲାଗିଥିବା ନିଜ ଦେଶର ପତାକାକୁ ମଧ୍ୟ ଆମେରିକା ହଟାଇ ଦେଇଛି ।
ଟ୍ରମ୍ପ୍ ଲଗାତାର ଭାବେ ହୁ’ରେ ଋଷ ଏବଂ ଚାଇନାର ଅଧିକ ପତିଆରା ବଢୁଥିବା ଅଭିଯୋଗ କରିଥିଲେ । ଏହାସହ ସଙ୍ଗଠନରେ ଅନିୟମିତତା ଏବଂ ପକ୍ଷପାତ ହେଉଥିବା କହି ଔପଚାରିକ ଭାବେ ହୁ’ରୁ ଅଲଗା ହୋଇଛି ଆମେରିକା । ଟ୍ରମ୍ପଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହୁ’ରୁ ଦେଶ ସମ୍ପୂର୍ଣ୍ଣ ଭାବେ ହଟିଛି । ଏହା ସହ ପର୍ଯ୍ୟବେକ୍ଷକ ଭାବେ ସାମିଲ ହେବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ । ସେମାନେ ହୁ ବଦଳରେ କୌଣସି ମହାମାରୀର ନିରାକରଣ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଅନ୍ୟ ଦେଶ ସହ ମିଳିତ ଭାବେ କାମ କରିବେ । ୟୁଏନ କୋଭିଡ-୧୯କୁ ରୋକିବାରେ ବିଫଳ ହୋଇଥିଲା । ତେଣୁ ଆମେରିକା ଏପରି ନିଷ୍ପତ୍ତି ନେଇଛି ।
ହୁ’ର ମୁଖପାତ୍ର କହିଥିଲେ ଯେ, ଆମେରିକା ୨୦୨୪ଏବଂ ୨୦୨୫ ପାଇଁ ଏବେ ସୁଦ୍ଧା ବକେୟା ଅର୍ଥ ପୈଠ କରିନାହିଁ । ବର୍ତ୍ତମାନ ଆମେରିକା ଉପରେ ହୁର ୨୩୮୦ କୋଟି ଟଙ୍କାର ବକେୟା ରହିଛି । ତେବେ ୟୁଏସବାସୀ ପୂର୍ବରୁ ବହୁତ କିଛି ଟଙ୍କା ଦେଇ ସାରିଥିବା ଟ୍ରମ୍ପଙ୍କ ଅଧିକାରୀ କହିଛନ୍ତି । ତେବେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଛାଡିବା ପୂର୍ବରୁ ସବୁ ଅର୍ଥ ପୈଠ କରିବାକୁ ବାଧ୍ୟ ନୁହେଁ । ଏପରି କିଛି ନିୟମ ନଥିବା ସେ କହିଛନ୍ତି ।
ଆମେରିକା ପାଣ୍ଠିର ବଡ଼ ଉତ୍ସ ଥିଲା- ବିଶେଷଜ୍ଞମାନେ କହିଛନ୍ତି ଯେ, ଆମେରିକାର WHO ରୁ ଓହରିଯିବାର ନିଷ୍ପତ୍ତି କେବଳ ସଂଗଠନକୁ ନୁହେଁ, ବରଂ ଆମେରିକା ଏବଂ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ସଂଗଠନ ପାଇଁ ଏକ ବଜେଟ୍ ସଙ୍କଟ ସୃଷ୍ଟି କରିବ । ଆମେରିକା ସଂଗଠନର ସବୁଠାରୁ ବଡ଼ ଆର୍ଥିକ ସମର୍ଥକ ଥିଲା, ଏହାର ମୋଟ ପାଣ୍ଠିର ପ୍ରାୟ ୧୮ ପ୍ରତିଶତ ଯୋଗାଉ ଥିଲା। ଏହା ଆଉ ଉପଲବ୍ଧ ହେବ ନାହିଁ, ଯାହା ବିପଦ ଆଣିବା ଆଶଙ୍କା କରାଯାଉଛି ।