ପୁରୀ,୨୯/୦୮: ୧୪ବର୍ଷ ବିତିଲା । ଏମାର ମଠରୁ  ମିଳିଥିବା ରୁପା ଇଟା ରତ୍ନ ଭଣ୍ଡାରକୁ ଆସିପାରିଲାନି । ପୁରୀ  ଜିଲ୍ଲା ପୁଲିସ ବାରାକ୍‌ ଅସ୍ତ୍ରାଗାରରେ ପଡ଼ିଛି ୫୬୭ ଖଣ୍ଡ ରୁପା ଇଟା । ପ୍ରତି ଇଟାର ଓଜନ ପ୍ରାୟ ୩୦ କିଗ୍ରା । ଏବେ କେଉଁ ଅବସ୍ଥାରେ ଏହି ଇଟା ରହିଛି ସମସ୍ତେ ଅନ୍ଧାରରେ ।  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ମଠ ସମ୍ପତ୍ତି  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର । ମାତ୍ର ଏହି ରୁପା ଇଟା ନା  ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଯାଉଛି ନା ଜିଲ୍ଲା ଟ୍ରେଜେରୀକୁ  ଯାଉଛି । ଏହି ଦୁଇ ସ୍ଥାନରେ ମୂଲ୍ୟବାନ ଜିନିଷଗୁଡ଼ିକ ସୁରକ୍ଷା ଦୃଷ୍ଟିରୁ ରୁହେ । ଅସ୍ତ୍ରାଗାରରେ ଦୀର୍ଘଦିନ ହେବ ଗୋଳା ବାରୁଦ ଓ ବନ୍ଧୁକ ସହ ଏହି ରୁପା ଇଟା ପଡ଼ି ରହିଛି । 

ରତ୍ନଭଣ୍ଡାର ମରାମତି ସରିବା ସହ ଗଣତିମଣତି ପ୍ରକ୍ରିୟା ଖୁବ୍‌ଶୀଘ୍ର କରିବାକୁ ସରକାରୀ ପ୍ରସ୍ତୁତି ହେଉଛି ।  ତେଣୁ ସରକାର ଏହି ରୁପା ଇଟାର ଗଣତିମଣତି କରି ଏହାକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁରକ୍ଷିତ ରଖନ୍ତୁ  ବୋଲି ଦାବି ହୋଇଛି । ଏନେଇ ଆଇନଜୀବୀ ଦିଲ୍ଲୀପ  ବରାଳ ଶ୍ରୀମନ୍ଦିର ପ୍ରଶାସନକୁ ନିବେଦନ କରିଛନ୍ତି । 

ରୁପା ଇଟା ସୁରକ୍ଷାକୁ ନେଇ ଗତ ମାର୍ଚ୍ଚରେ ବସିଥିବା  ବିଧାନସଭାରେ ପ୍ରଶ୍ନ ଉଠିଥିଲା । ଯାହାର ଲିଖିତ ଉତ୍ତର ରଖିଥିଲେ ଆଇନମନ୍ତ୍ରୀ । ଯାହାକୁ ୫ମାସ ବିତିଛି। ମାତ୍ର  ଏବାବଦରେ ପ୍ରଶାସନିକ ପଦକ୍ଷେପ ଶୂନ । ବିଧାୟକ କହ୍ନାଇ ଚରଣ ଡାଙ୍ଗ ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ । ଏହାକୁ  ଶ୍ରୀମନ୍ଦିର ପ୍ରଶାସନ ନିଜ ମାର୍ଫତକୁ ଆଣି ମନ୍ଦିରରେ ରୁପା ଛାଉଣି କାର୍ଯ୍ୟରେ ଲଗାଇବାକୁ ଶ୍ରଦ୍ଧାଳୁ ଓ ସେବାୟତମାନେ ଦାବି କରୁଥିବାରୁ ଏହାର ବିଚାର କରାଯିବ କି? ଏହି  ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଜଣାଇଥିଲେ ଯେ, ଏମାର  ମଠରୁ ୨୦୧୧ ମସିହାରେ ୫୬୭ଟି ରୁପା ଇଟା ପୁଲିସ  ଦ୍ୱାରା ଜବତ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ  ଏହା ପୁରୀ ଜିଲ୍ଲା ପୁଲିସ ଅସ୍ତ୍ରାଗାରରେ ରହିଛି । ଏହି  ରୁପା ଇଟାକୁ ଶ୍ରୀମନ୍ଦିର ପ୍ରଶାସନ ମାର୍ଫତକୁ ନେବା ଓ  ଆଇନଗତ ଦିଗ ସରକାରଙ୍କ ବିଚାରାଧୀନ ରହିଛି । 

ସୂଚନା ଥାଉକି, ୨୦୧୧ରେ ଏମାର ମଠରୁ ୫୨୨  ଖଣ୍ଡ ଇଟା ପୁଲିସ ଜବତ କରିଥିଲା । ଯେତେବେଳେ କି  ୨୦୨୧ ମସିହାରେ ଆଉ ୪୫ ଖଣ୍ଡ ରୁପା ଇଟା ପୁନଶ୍ଚ  ଏହି ମଠ ଭିତରୁ ମିଳିଥିଲା । ଯାହା ସମସ୍ତ ରାଜ୍ୟରେ  ଚହଳ ସୃଷ୍ଟି କରିଥିଲା । ଏହାକୁ ମହାପ୍ରଭୁଙ୍କ ମାଲିକାନାରେ  ରଖିବାକୁ ଦାବି ହୋଇଥିଲା । ଏଥିସହ ଏମାର ମଠ  ତଳେ ଆଉ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ତାହାର ଜିପିଆର୍‌  ସର୍ଭେର ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି । ପ୍ରାୟ ୪୦ ଲକ୍ଷ ଖର୍ଚ୍ଚରେ ଶ୍ରୀମନ୍ଦିର ୭୫ ମିଟର  ପରିଧି ପରିକ୍ରମା ମାର୍ଗରେ ଥିବା ସମସ୍ତ ଜମିର ଜିପିଆର  ସର୍ଭେ ହୋଇଥିଲା । ଗାନ୍ଧିନଗର ଆଇଆଇଟି ଏହି ସର୍ଭେ  କରି ଓବିସିସିକୁ ରିପୋର୍ଟ ଦେଇଥିଲା । ସର୍ଭେ ଭିତରେ  ଏମାର ମଠ ମଧ୍ୟ ଥିଲା । ସର୍ଭେ ରିପୋର୍ଟ ପାଇବା ନିମନ୍ତେ  ଜଣେ ବ୍ୟକ୍ତି ସୂଚନାଧିକାର ଆଇନରେ ଓବିସିସିକୁ  ତଥ୍ୟ ମାଗିଥିଲେ । ହେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି  ବିପଦ ସୃଷ୍ଟି ହେବ ବୋଲି ଦର୍ଶାଇ ଓବିସିସି ତଥ୍ୟ  ଦେଇନଥିଲା । ଏଥିରୁ ପରିକ୍ରମା ମାର୍ଗ ମାଟିତଳେ ଗୁପ୍ତ  ସମ୍ପତ୍ତି ଥିବା ସନ୍ଦେହ କରାଯାଉଛି । ରିପୋର୍ଟ ସାର୍ବଜନୀନ  ହେଲେ ଏହା ଜଣାପଡ଼ନ୍ତା ବୋଲି ମତ ପ୍ରକାଶ ପାଇଛି ।