ଭୁବନେଶ୍ୱର ୩୧/୦୫: ରାଜ୍ୟରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ କେତେ କାମ କରୁଛନ୍ତି, ତାହାର କଡ଼ା ଗଣ୍ଡା ହିସାବ ଦେବାକୁ ପଡ଼ିବ । ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ କାମ ବାବଦରେ ରିପୋର୍ଟ ଦେବା ପୂର୍ବରୁ ନିଜେ କର୍ମଚାରୀ ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବେ । ଏ ନେଇ ମେ ୩୧ ତାରିଖ ଶେଷ ଦିବସ ଥିବା ବେଳେ ଏବେ ଏହାକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ ଓ ସ୍ୱତନ୍ତ୍ର ସଚିବଙ୍କୁ ସୂଚିତ କରାଯାଇଛି । ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍ରେ ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ।

ସେହିପରି ଅଗଷ୍ଟ ୩୧ ତାରିଖ ସୁଦ୍ଧା କର୍ମଚାରୀ ଦେଇଥିବା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ତାଙ୍କର ରିପୋର୍ଟିଂ ଅଥରିଟି । କର୍ମଚାରୀ ଠିକ ଲେଖିଛନ୍ତି କି ନାହିଁ, ସେ ନେଇ ମତ ରଖିବେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷା କରୁଥିବା ଅଧିକାରୀ ବା ସମୀକ୍ଷକ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଅଧିକାରୀ ମତ ଦେବେ । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଜୁନ ୩୦ ପୂର୍ବରୁ ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଅନଲାଇନରେ ଦାଖଲ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ସଚିବ ଘାସିରାମ ମୁମୁ ର୍ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ :-  Manmohan Samal: ଦୁଇ ବର୍ଷର ସରକାରଙ୍କ ଉପଲବ୍ଧି କ’ଣ ? ରିପୋର୍ଟ କାର୍ଡ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି