ନୂଆଦିଲ୍ଲୀ: ଭାରତକୁ ଧୂଳି ଚଟାଇଲା ଇଂଲଣ୍ଡ । ଟିମ୍ ଇଣ୍ଡିଆକୁ ୪ ଓ୍ବିକେଟରେ କଲା ପରାସ୍ତ । ୧୯୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗୋଟିଏ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିଛି ଇଂଲଣ୍ଡ । ଦଳ ପକ୍ଷରୁ ଜାକବ ବେଥଲ ସର୍ବାଧିକ ୭୬ ରନର ପାଳି ଖେଳିଥିଲେ । ଏହି ଲଢ଼ୁଆ ପାଳି ବଳରେ ଘରୋଇ ଦଳ ସହଜରେ ବିଜୟ ହାସଲ କରିଛି ।

ଇଂଲଣ୍ଡ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ପ୍ରଥମ ଓଭର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଫିଲ ସଲ୍ଟ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭିଲିୟନ ପଠାଇଥିଲେ ଅର୍ଶଦୀପ । ସାଥୀ ଓପନର ବଟଲର ମଧ୍ୟ ଖାତା ଖୋଲି ପାରିନଥିଲେ । ପରେ ହେରୀ ବ୍ରୁକ ୩୯ ଏବଂ ବେଥଲ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।

ଏହି ଦୁଇ ଖେଳାଳିଙ୍କ ପରେ ଟମ୍ ବଟନ ୩୯ ରନର ଲଢ଼ୁଆ ପାଳି ଖେଳି ଦଳକୁ ବିଜୟ ପଥରେ ଅଗ୍ରସର କରାଇଥିଲେ । ପରେ ପରେ ଅନ୍ୟ ଖେଳାଳିଙ୍କ ଛୋଟ ଛୋଟ ସ୍କୋର ବିଜୟରେ ସହାୟକ ହୋଇଥିଲା । ୬ ଓ୍ବିକେଟ ହରାଇ ଦଳ ସହଜରେ ୧୯୧ ରନର ବିଜୟ ଲକ୍ଷ୍ୟକୁ ପୂରଣ କରିଥିଲା । ଭାରତ ପକ୍ଷରୁ ସର୍ବାଧିକ ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ ହର୍ଷିତ ରାଣା, ଅକ୍ଷର ଏବଂ ବରୁଣ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଆଜିର ମ୍ୟାଚରେ ଭାରତ ଟସ୍ ଜିତିଥିବାବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୭ ଓ୍ବିକେଟ୍ ବିନିୟମରେ ଭାରତ ୧୯୦ ରନ କରିଥିଲା । ଦଳ ପକ୍ଷରୁ ଇଶାନ କିଷନ ସର୍ବାଧିକ ୪୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ବୈଭବଙ୍କ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ସେ ମାତ୍ର ୧୪ ରନ କରିଥିଲେ । ଯେଉଁଥିରେ ୨ଟି ଛକା ରହିଥିଲା । ପରେ ଶ୍ରେୟସ ଏବଂ ଇଶାନ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଇଶାନ ୪୯ ରନ କରିଥିବାବେଳେ ଶ୍ରେୟସ ୩୭ ରନ୍ କରିଥିଲେ । ତିଲକ ବର୍ମା ୨୪ ରନ କରିଥିବାବେଳେ ବାକି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।