ନୂଆଦିଲ୍ଲୀ,୦୫/୦୪; ପଶ୍ଚିମ ଏସିଆରେ ଚାଲିଛି ଯୁଦ୍ଧର ତାଣ୍ଡବଲୀଳା । ମଧ୍ୟପ୍ରାଚ୍ୟରୁ ପ୍ରଭାବିତ ହୋଇଛି ବିଭିନ୍ନ ସାମଗ୍ରୀ ଆମଦାନି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ, ଯେଉଁଥିରୁ ପେଟ୍ରୋକେମିକାଲ ପ୍ରସ୍ତୁତ ହୋଇଥାଏ । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ପ୍ରାୟ ସମସ୍ତ ସାମଗ୍ରୀରେ ଏହି ପେଟ୍ରୋକେମିକାଲ ପ୍ରମୁଖ କଞ୍ଚାମାଲ ଭାବେ କାର୍ଯ୍ୟ କରିଥାଏ । ଘରୋଇ ଉତ୍ପାଦନ ସହିତ ମଧ୍ୟପ୍ରାଚ୍ୟରୁ ପ୍ରଚୁର ମାତ୍ରାରେ ପେଟ୍ରୋକେମିକାଲ ଆଣିଥାଏ ଭାରତ । ଦେଶକୁ ଆମଦାନି ହୋଇଥାଏ ପ୍ରାୟ ୪୫% ପେଟ୍ରୋକେମିକାଲ ସାମଗ୍ରୀ । ଯୁଦ୍ଧ ସ୍ଥିତିରେ ସେଠାରୁ ଏହା ଆସିପାରୁନାହିଁ ।
ପ୍ଲାଷ୍ଟିକ, ରବର, ପୋଷାକ ଏବଂ ସାର ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ପେଟ୍ରୋକେମିକାଲର ବ୍ୟବହାର ହୋଇଥାଏ । ଏହାର ଅଭାବ ଯୋଗୁ ବିଭିନ୍ନ ଶିଳ୍ପ ଆଣ୍ଠେଇଲେଣି । କାରବାର ବନ୍ଦ କରିଦେଲେଣି । ଉତ୍ପାଦନ କମିବା ସହିତ ସବୁକିଛି ଆଗକୁ ମହଙ୍ଗା ହୋଇଯିବ । ଦରଦାମ ବୃଦ୍ଧିରେ ସନ୍ତୁଳି ହେବେ ଖାଉଟି । ଶିଳ୍ପ ହୋଇଯିବେ ତଳିତଳାନ୍ତ । ଦେଶର ଅଭିବୃଦ୍ଧିରେ ଦେଖାଦେବ ବଡ଼ ହ୍ରାସ । ବିକଶିତ ଭାରତ ଲକ୍ଷ୍ୟ ଆଗରେ ଏବେ ଛିଡ଼ାହୋଇଛି ବଡ଼ ଆହ୍ୱାନ । ପେଟ୍ରୋଲିୟମ୍ ସଂକଟରୁ ୬ ହଜାରରୁ ଊଦ୍ଧ୍ୱର୍ ସାମଗ୍ରୀ ଉତ୍ପାଦନ ବ୍ୟାହତ ହୋଇଛି । ଫଳରେ ପ୍ଲାଷ୍ଟିକ୍, ଫାର୍ମା ଠାରୁ ଆରମ୍ଭ କରି ବ୍ୟାପକ କ୍ଷେତ୍ର ଠପ୍ ହୋଇଛି । ବାହାରୁ ପେଟ୍ରୋଲିୟମ ଆସିପାରୁନାହିଁ ।
ଫଳରେ ପ୍ରମୁଖ ପେଟ୍ରୋକେମିକାଲ ଉତ୍ପାଦନକାରୀମାନେ ବର୍ତ୍ତମାନ ପାଇଁ କାରବାରକୁ ବନ୍ଦ କରିଦେଇଛନ୍ତି । ଓଡ଼ିଶାସ୍ଥିତ ଭାରତୀୟ ତୈଳ ନିଗମ(ଆଇଓସି)ର ପ୍ରୋପାଇଲିନ୍ ୟୁନିଟ୍, ମାଙ୍ଗାଲୋର ରିଫାଇନେରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍ର ସେକେଣ୍ଡାରୀ ୟୁନିଟ୍, ଉତ୍ତର ପ୍ରଦେଶରେ ଗେଲ୍ ଇଣ୍ଡିଆର ପଲିଥାଇଲିନ୍ ୟୁନିଟ୍ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ୍ର ଆକ୍ରିଲିକ୍ ଏସିଡ୍ ୟୁନିଟ୍ ଏବେ ବନ୍ଦ । ପ୍ଲାଷ୍ଟିକ ଏବଂ କୃଷି ରସାୟନ ଉତ୍ପାଦନରେ ଏହାର ଭୟଙ୍କର ପ୍ରଭାବ ପଡ଼ିଛି । ସିନ୍ଥେଟିକ ଫାଇବର ଉତ୍ପାଦନ ପ୍ରଭାବିତ ହୋଇଛି । ଫଳରେ ପୋଷାକ ଶିଳ୍ପ ମଧ୍ୟ ଏହାର ଯୋଗାଣ ଶୃଙ୍ଖଳରେ ସମାନ ପ୍ରକାର ସ୍ଥିତିର ସାମ୍ନା କରୁଛି । ବର୍ତ୍ତମାନ ଦେଖାଦେଇଥିବା ଭୁ-ରାଜନୈତିକ ସମସ୍ୟା ଯୋଗୁ କେବଳ ସାର ଆମଦାନି ବ୍ୟାହତ ହୋଇନାହିଁ ଘରୋଇ ଉତ୍ପାଦନ ବି ପ୍ରଭାବିତ ହୋଇଛି । ୟୁରିଆ ଏବଂ ଡିଏପି ଆମଦାନି ପ୍ରଭାବିତ ହୋଇଛି । ଏହାସହିତ ଏ ସାରଗୁଡ଼ିକର ଘରୋଇ ଉତ୍ପାଦନ ବି ବାଧା ପାଇଛି ।
ସବୁ ସମସ୍ୟାର ମୂଳରେ ତୈଳ ସଂକଟ- ଅଶୋଧିତ ତୈଳ ଅଭାବ ଏବେ ସବୁ ଅଭାବର କାରଣ ପାଲଟିଛି । ସବୁ ସମସ୍ୟାର ମୂଳ ବିଶ୍ୱ ତୈଳ ସଂକଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳପଥ ଦେଇ ତୈଳ ଏବଂ ଗ୍ୟାସ ଯୋଗାଣ ବ୍ୟାହତ ହୋଇଛି । ଏଥିସହିତ ବିଶ୍ୱର ପାଖାପାଖି ଏକ ପଞ୍ଚମାଂଶ ଯୋଗାଣ ହ୍ରାସ ପାଇଛି । ଏହି ସମସ୍ୟା କେବଳ ଇନ୍ଧନ ଦରକୁ ବଢ଼ାଉନାହିଁ, ଏହାସହିତ ପେଟ୍ରୋକେମିକାଲ୍ସ ଯୋଗାଣକୁ କମାଇଦେଇଛି, ଯାହାକି ଜୋତା, ପୋଷାକ ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ ସମେତ ଅଧିକାଂଶ ସାମଗ୍ରୀ ପ୍ରସ୍ତୁତିରେ ଏକ ପ୍ରମୁଖ କଞ୍ଚାମାଲ । ପେଟ୍ରୋକେମିକାଲ୍ସର ଅଭାବରୁ ସୃଷ୍ଟି ହୋଇଥିବା ସମସ୍ୟାର ପ୍ରଭାବ ପ୍ରତି କୋଣକୁ ବ୍ୟାପିଗଲାଣି । ପ୍ଲାଷ୍ଟିକ, ରବର ଏବଂ ପଲିଷ୍ଟର ଆଦି ଉପାଦାନ ମହଙ୍ଗା ହୋଇଛି । ଏସିଆରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । କାରଣ ବିଶ୍ୱର ଅଧା ଉତ୍ପାଦନ ଏଠାରେ ହୋଇଥାଏ । ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏସୀୟ ରାଷ୍ଟ୍ରଗୁଡ଼ିକ ଆମଦାନି ଉପରେ ଅଧିକ ନିର୍ଭରଶୀଳ । ଦକ୍ଷିଣ କୋରିଆରେ ଲୋକେ ଟ୍ରାସ୍ ବ୍ୟାଗ୍ ଅଧିକ ବ୍ୟବହାର କରିଥାନ୍ତି । ଏବେ ସେଠାକାର ସରକାର ଡିସ୍ପୋଜେବଲ ବା ନଷ୍ଟ ହୋଇପାରୁଥିବା ସାମଗ୍ରୀ ବ୍ୟବହାରକୁ କମ୍ କରିବା ପାଇଁ ଆହ୍ୱାନ ଦେଉଛନ୍ତି । ପ୍ଲାଷ୍ଟିକ ଅଭାବ ସମସ୍ୟାର ସାମ୍ନା କରୁଥିବା ନିର୍ମାତାଙ୍କ ପାଇଁ ତାଇୱାନ ଏକ ହଟ୍ଲାଇନ୍ ଆରମ୍ଭ କରିଛି । ଏଠାକାର ଧାନ ଚାଷୀମାନେ କହିଛନ୍ତି ଯେ, ସେମାନେ ଭ୍ୟାକ୍ୟୁମ-ସିଲ୍ଡ ବ୍ୟାଗ୍ ପାଇପାରୁନାହାନ୍ତି । ତେଣୁ ସେମାନେ ଦର ବଢ଼ାଇପାରନ୍ତି ।
ଭାରତ ଏହାର ୟୁରିଆ ଆବଶ୍ୟକତାର ୧୩% ଏବଂ ଡିଏପି ଆବଶ୍ୟକତାର ୬୦% ଆମଦାନି ମାଧ୍ୟମରେ ପୂରଣ କରିଥାଏ । ୟୁରିଆ ଉତ୍ପାଦନ ପାଇଁ ଏଲ୍ଏନ୍ଜି ଏକ ପ୍ରମୁଖ ଉପାଦାନ । ଏହା ଶକ୍ତି ଉତ୍ସ ଏବଂ ଉତ୍ପାଦନ ଇନ୍ପୁଟ୍ ଭାବେ କାର୍ଯ୍ୟ କରିଥାଏ । ରିପୋର୍ଟ ଅନୁସାରେ, ଯୁଦ୍ଧର ଦୁଇ ସପ୍ତାହ ପୂର୍ବରୁ ସାର ଶିଳ୍ପକୁ ଗ୍ୟାସ ଯୋଗାଣ ଥିଲା ୭୦% । ଡିଏପି ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ ଆମୋନିଆ, ଯାହାକି ପ୍ରାକୃତିକ ଗ୍ୟାସରୁ ପ୍ରସ୍ତୁତ ହୋଇଥାଏ । ସାର ଅଭାବ ସ୍ଥିତିରେ ଚିନ୍ତା ହେଉଛି ଯେ, ଯୁଦ୍ଧ ମେ’ କିମ୍ବା ଜୁନ୍ ଯାଏ ଚାଲିଲେ ଶସ୍ୟ ସଂକଟ ଉପୁଜିବ ।