ନୂଆଦିଲ୍ଲୀ,୦୭/୦୩; ଆମେରିକାରେ ଜେଫ୍ରୀ ଏପ୍‌ଷ୍ଟିନ୍ ମାମଲାରେ ଫାଇଲ୍‌ ନୂଆ ସେଟ୍ ସାର୍ବଜନୀନ ହୋଇଛି । ଆମେରିକୀୟ ନ୍ୟାୟ ବିଭାଗ ସେ ସମସ୍ତ ଫାଇଲ ଜାରି କରିଛି, ଯେଉଁଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ହୋଇଛି । ଜଣେ ମହିଳା ଦାବି କହିଛନ୍ତି, ସେ ନାବାଳିକା ଥିବା ବେଳେ ତାଙ୍କର ଯୌନ ଶୋଷଣ ହୋଇଥିଲା । ଟ୍ରମ୍ପ୍ ତାଙ୍କ ସହ ମାରପିଟ୍‌ କରିଥିଲେ । ରିପୋର୍ଟ ଅନୁସାରେ, ମହିଳା ଯାଞ୍ଚକର୍ତ୍ତାଙ୍କୁ କହିଛନ୍ତି, ୧୯୮୦ରେ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରୀ ଏପ୍‌ଷ୍ଟିନ ନ୍ୟୁୟର୍କ କିମ୍ବା ନ୍ୟୁ ଜର୍ସୀରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ କରାଇଥିଲେ । ସେତେବେଳେ ପୀଡ଼ିତାଙ୍କ ବୟସ ମାତ୍ର ୧୩-୧୫ ବର୍ଷ ଥିଲା । ସେ ୨୦୧୯ରେ ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫବିଆଇ)କୁ ଦେଇଥିବା ନିଜ ବୟାନରେ ଏହି ଆଶ୍ଚର୍ଯ୍ୟଚକିତ ଅଭିଯୋଗ କରିଥିଲେ ।

ଦସ୍ତାବିଜ ଅନୁସାରେ, ମହିଳା ଅଭିଯୋଗ କରିଥିଲେ ଯେ ଟ୍ରମ୍ପ୍ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ । ତାଙ୍କୁ କହିଥିଲେ, ଛୋଟ ଝିଅ କେମିତି ହେବା ଉଚିତ୍ ମୁଁ ତୁମକୁ ଶିଖାଇବି । ସେ କଥା ମାନିବାକୁ ମନା କରିବାରୁ ଟ୍ରମ୍ପ୍ ତାଙ୍କୁ ମାର୍ପିଟ କରିଥିଲେ । ତାଙ୍କ ସହ ଜବରଦସ୍ତି କରିଥିଲେ । ନ୍ୟାୟ ବିଭାଗ ଅନୁସାରେ, ଏହି ଫାଇଲକୁ ପୂର୍ବରୁ ଭୁଲ ଉପାୟରେ ନକଲ ଭାବେ କୋଡ୍ କରାଯାଇଥିଲା । ସେଥିପାଇଁ ପୂର୍ବ ଫାଇଲ୍ ସହ ଏହା ଜାରି ହୋଇପାରି ନ ଥିଲା । ନ୍ୟାୟ ବିଭାଗ ସ୍ୱତନ୍ତ୍ର ରୂପେ ଏହି ଅଭିଯୋଗଗୁଡ଼ିକୁ ନିଶ୍ଚିତ କରିପାରିବ ନାହିଁ ବୋଲି କହିଛି । ଏ ମାମଲା ଏବେ ରାଜନୈତିକ ରୂପ ନେଇଛି । ନ୍ୟାୟ ବିଭାଗ ଏହି ରେକର୍ଡଗୁଡ଼ିକୁ କିପରି ପରିଚାଳନା କଲା, ୟୁଏସ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ତା’ର ଯାଞ୍ଚ ଚାଲିଛି ।

ଏହା ବି ପଢନ୍ତୁ...​​​​​​​‘ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରୁ, ଏହାହିଁ ସେମାନଙ୍କ ପାଇଁ ସର୍ବୋତ୍ତମ ସ୍ବାର୍ଥ’...ପୁଣି ଧମକପୂର୍ଣ୍ଣ ବାର୍ତ୍ତା ଦେଲେ ଟ୍ରମ୍ପ…

ନିକଟରେ ସାଂସଦମାନେ ଆଟର୍ନି ଜେନେରାଲ ପାମ୍ ବଣ୍ଡିଙ୍କୁ ପଚରାଉଚରା ପାଇଁ ସମନ ପଠାଇବା ପକ୍ଷରେ ଭୋଟ କରିଥିଲେ । ଅନ୍ୟପକ୍ଷେ, ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଠୋସ୍ ପ୍ରମାଣରହିତ ବୋଲି କହିଛନ୍ତି । ତାଙ୍କ ଅନୁସାରେ, ଟ୍ରମ୍ପ୍ ପୂର୍ବରୁ କହିସାରିଛନ୍ତି ଯେ ଏପ୍‌ଷ୍ଟିନ୍‌ଙ୍କ ସହ ତାଙ୍କ ସମ୍ପର୍କ ୨୦୦୦ ମସିହାରେ ହିଁ ଶେଷ ହୋଇଥିଲା । ଟ୍ରମ୍ପ୍ ସର୍ବଦା ଦାବି କରିଛନ୍ତି ଯେ ଏପ୍‌ଷ୍ଟିନ୍‌ ନାବାଳିକାଙ୍କ ଯୌନ ଶୋଷଣ କରୁଥିଲା ବୋଲି ସେ ଆଦୌ ଜାଣିନଥିଲେ । ତେବେ, ନୂଆ ଫାଇଲ ଆମେରିକା ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି । ଏ ନେଇ ଶାସକ ଓ ବିପକ୍ଷ ସାମ୍ନାସାମ୍ନି ହୋଇଛନ୍ତି । ଟ୍ରମ୍ପ୍‌ଙ୍କ ତରଫରୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି ।