ଭୁବନେଶ୍ୱର,୧୫/୦୬: ପ୍ରାୟ ଦେଢ ହଜାର ଯୁବତୀଙ୍କ ପ୍ରୋଫାଇଲ୍କୁ ଢ଼ାଲ କରିଥିଲେ । ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍ ଆଇଡିରୁ ମାଳମାଳ ଫଟୋ ଡାଉନ୍ଲୋଡ କରିଥିଲେ । କେହି ଉତ୍ତେଜକ ଫଟୋଚିତ୍ର ପୋଷ୍ଟ କଲେ, ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ଡିମାଣ୍ଡ ବେଶୀ ରହୁଥିଲା ।
ଏସ୍କର୍ଟ ସର୍ଭିସ୍ ପର୍ଦ୍ଦାଫାଶ ଘଟଣାରେ ମାଷ୍ଟରମାଇଣ୍ଡର ମୋବାଇଲ୍ ଫୋନ୍ ତନାଘନାରୁ ଏହି ତଥ୍ୟ ପୁଲିସ ହାତରେ ଲାଗିଛି । ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ ବେଳେ ସତର୍କ ରହିବାକୁ ପୁଲିସ ଯୁବତୀମାନଙ୍କୁ ଚେତାଇଛି । ସବୁବେଳେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଗୋପନୀୟତା ବଜାୟକୁ ରଖିବାକୁ ପରାମର୍ଶ ଦେଇଛି । ତମାଣ୍ଡୋ ଥାନା ପୁଲିସ ମାମଲାରେ ୪ ଅଭିଯୁକ୍ତ (ଉମାକାନ୍ତ ଦଳେଇ ଓରଫ, ବାବୁନି ଓରଫ ସମ୍ୱିତ ଓରଫ ପୁଅ, ଚିତ୍ତରଞ୍ଜନ ମହାନ୍ତି ଓରଫ ପେନୁ, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜି ଭୋଇ) ଙ୍କୁ କୋର୍ଟଚାଲାଣ କରିଛି । ସେମାନଙ୍କ ବିରୋଧରେ ବିଏନଏସ୍ ଦଫା ୩୧୯(୨), ୩୧୮(୪), ୭୮(୨) ଦଫା ସହ ଆଇଟି ଆକ୍ଟ ୬୬(ସି), ୬୬ (ଡି), ୬୬(ଇ) ଓ ଅନୈତିକ ବ୍ୟାପାର (ନିବାରଣ) ଆଇନ୍ର ସେକ୍ସନ ୪,୫ ଲଗାଇଛି । ଏମାନଙ୍କ କବଳରୁ ଉଦ୍ଧାର ୨ଜଣ ପୀଡିତାଙ୍କୁ ସର୍ଟ ଷ୍ଟେ ହୋମରେ ଛଡ଼ାଯାଇଛି ।
ଜୋନ୍-୩ ଏସିପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଏମାନେ ଜଣେ ଗରାଖ ପିଛା ୫ ହଜାରରୁ ୨୦ ହଜାର ଟଙ୍କା ଡିମାଣ୍ଡ କରୁଥିଲେ । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟର ୫ ବର୍ଷିଆ ବିବରଣୀର ଖୋଳତାଡ଼ ଚାଲିଛି । ୟୁପିଆଇ ଆକାଉଣ୍ଟ, ମୋବାଇଲ୍, ହ୍ୱାଟସ୍ଆପ୍କୁ ଯାଞ୍ଚ କରାଯାଇଛି । ସେମାନଙ୍କଠାରୁ ଗୋଟିଏ କାର ସହ ୯ଟି ଫୋନ୍ ଓ ୧୨ଟି ସିମ୍କାର୍ଡ ଜବତ କରାଯାଇଛି । କଳିଙ୍ଗବିହାରର ଅଭିଯୋଗକାରୀଙ୍କ ଭଳି ଅନ୍ୟ ଯୁବତୀମାନେ ଏସ୍କର୍ଟ ସର୍ଭିସ୍ରେ ଆଦୌ ସମ୍ପୃକ୍ତ ନୁହନ୍ତି । ଏମାନଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଦଲାଲମାନେ ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି ବୋଲି ସେ ସୂଚାଇଛନ୍ତି ।
ଅଧିକ ପଢ଼ନ୍ତୁ :- Fraud Racket: ଏସ୍କର୍ଟ ସର୍ଭିସ ନାଁରେ ସେକ୍ସ ର୍ୟାକେଟ୍, ସୁନ୍ଦରୀ ଯୁବତୀଙ୍କ ଫଟୋରେ ଠକେଇର ମାୟାଜାଲ, ଦେହଜୀବୀ ସହ ୩ ଦଲାଲ୍ ଗିରଫ
ବଡ଼ କଥା ହେଲା, ନାମୀ ଦାମୀ ଗ୍ରାହକଙ୍କ ନାମ ଓ ଠିକଣା ପୁଲିସ ହାତରେ ଲାଗିଛି । ସମ୍ବିତର ମୋବାଇଲ୍ ହ୍ୱାଟସ୍ଆପ୍ରେ ଏକ ଲମ୍ବା ତାଲିକା ଅଛି । ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବିଲ୍ଡର ଓ ରାଜନେତା । ସେପଟେ ଘର ମାଲିକଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ ସମ୍ବିତ୍ ନିଜକୁ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଘର ଭଡ଼ା ନେଇଥିଲେ । ଚିତ୍ତରଞ୍ଜନଙ୍କୁ ନିଜର ଡ୍ରାଇଭର ବୋଲି ଦର୍ଶାଉଥିଲେ । କୁମାରି ମିଞ୍ଜିକୁ ଘରୋଇ ସହାୟିକା ଭାବେ ରଖିଥିଲେ ବୋଲି ଘର ମାଲିକ ପୁଲିସକୁ ସୂଚନା ଦେଇଛନ୍ତି ।