ନୂଆଦିଲ୍ଲୀ,୨୫/୧୧; ଆଫ୍ରିକୀୟ ଦେଶ ଇଥିଓପିଆର ହେଲି ଗୁବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି । ୧୫୦ କିମି ଉପରକୁ ଉଠିଲା ଧୂଆଁ । ଜ୍ୱାଳାମୁଖୀ ପାଉଁଶ ଭାରତ ଆଡକୁ ମାଡ଼ି ଆସିଛି । ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଲାଭା, ପାଉଁଶ ଓ ଧୂଆଁ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି । ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏୟାରଲାଇନ୍ସକୁ ସତର୍କ କରାଇଛି ଡିଜିସିଏ ।
ସୂଚନାନୁସାରେ, ସୋମବାର ଇଥିଓପିଆରେ ଏକ ଜ୍ୱାଳାମୁଖି ବିସ୍ଫୋରଣ ହୋଇଥିଲା । ପ୍ରାୟ ୧୦ ହଜାର ବର୍ଷ ପରେ ଇଥିଓପିଆରେ ଥିବା ହଲି ଗୁବି ଆଗ୍ନେୟଗିରିରେ ଲାଭା ବାହାରକୁ ଆସିଥିଲା । ପ୍ରଥମେ ଏଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ୟେମେନ୍ ଏବଂ ଓମାନରେ ପହଁଚିଥିଲା । ପରେ ଏହା ଭାରତ ଆଡେ ମୁହାଁଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଭାରତ ଆଡକୁ ଆସୁଛି । ସେପଟେ ମୁମ୍ବାଇ ଏବଂ ଦିଲ୍ଲୀ ଆକାଶରେ ଜ୍ବାଳାମୁଖୀ ପାଉଁଶର ଘନ ଆସ୍ତରଣ ଦେଖା ଦେଇଥିବାରୁ ବିମାନ ଉଡ଼ାଣକୁ ପ୍ରଭାବିତ ହୋଇଛି। ସେହିଭଳି ଦିଲ୍ଲୀ ଏବଂ ଜୟପୁରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ହରିୟାଣା ଏବଂ ଉତ୍ତରପ୍ରଦେଶର ଆକାଶରେ ଘନ ପାଉଁଶର ଆସ୍ତରଣ ଦେଖିବାକୁ ମିଳିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସହିତ ଆଗ୍ନେୟଗିରି ଉଦ୍ଗୀରଣ ପାଉଁଶ ପୁଣି ପ୍ରଦୂଷଣକୁ ବଢାଇଛି । ଯାହା ଚିନ୍ତାର ବିଷୟ ହୋଇଛି ।
ଜ୍ୱାଳାମୁଖି ବିସ୍ଫୋରଣ ନଜରରେ ରଖି ଆକାଶା ଏୟାର, ଇଣ୍ଡିଗୋ ଏବଂ କେଏଲଏମ ଭଳି ଏୟାର ଲାଇନ୍ସ ନିଜର ବିମାନକୁ ବାତିଲ କରିଛନ୍ତି । ପ୍ରଭାବିତ ଅଂଚଳରେ ବିମାନ ଉଡାଣ ନକରିବାକୁ ଡିଜିସିଏ ପରାମର୍ଶ ଦେଇଛି । ଏପରିକି ବିମାନର ଇଞ୍ଜିନ ଉଡାଣ ବେଳେ କିପରି କାମ କରୁଛି ସେନେଇ ତଥ୍ୟ ଦେବାକୁ ଅନ୍ୟ ଏୟାରଲାଇନ୍ସଙ୍କୁ କୁହାଯାଇଛି ।
ଏହା ପୂର୍ବରୁ ଆମେରିକାର ହାଓ୍ବାଇସ୍ଥିତ କିଲାଉ ଆଗ୍ନେୟଗିରି ବିସ୍ଫୋରଣ ଘଟିଥିଲା । ଯାହା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି । ଏହି ଆଗ୍ନେୟଗିରି ବିସ୍ଫୋରଣ ପରେ ଲାଭା ଉଦଗୀରଣ ଜାରି ରହିଛି । ଆମେରିକାର ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ଗରମ ଲାଭା ଲଗାତାର ତଳିଆ ଅଞ୍ଚଳକୁ ମାଡ଼ି ଚାଲିଛି । ଏପରିକି ପୁଣି ଥରେ ବଡ଼ ବିସ୍ଫୋରଣର ମଧ୍ୟ ସଂକେତ ମିଳିଛି । ଏହି ଜ୍ବାଳାମୁଖୀ ଦୁନିଆର ସବୁଠାରୁ ସକ୍ରିୟ ଏବଂ ଗୋଟିଏ ବର୍ଷରେ ୩୬ ଥର ବିସ୍ଫୋରଣ ହେଲାଣି ।