ସହଯୋଗ ବଢ଼ିବ । ସହଭାଗିତା ମଧ୍ୟ । ଆମେରିକାର ମନମାନିରେ ଲାଗିବ ତାଲା । ବିକଳ୍ପ ଓ ଉନ୍ମୁକ୍ତ ବଜାର ଫିଟିବ । ଭାରତ-ୟୁରୋପ ରାଷ୍ଟ୍ରସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ବିକାଶ ଓ ସମୃଦ୍ଧି ଆଣିବ । ଭବିଷ୍ୟତ ଅର୍ଥନୀତି ପାଇଁ ଏହା ହେବ ‘ଗେମ୍ ଚେ’ ।
ବନ୍ଧୁତାରୁ ବେପାର । ବେପାରରୁ ବନ୍ଧୁତା । ବଡ଼ ବଜାର । ମଜଭୁତ ସଂପର୍କ । ଦୁଇ ଦଶନ୍ଧିର ଆଲୋଚନା ଧରିଛି ଉଡ଼ାଣ । ଭାରତ-ୟୁରୋପୀୟ ରାଷ୍ଟ୍ର ସଂଘ (ଇୟୁ) ମଧ୍ୟରେ ମୁକ୍ତ ବାଣିଜ୍ୟ ପାଇଁ ହୋଇଛି ଐତିହାସିକ ଚୁକ୍ତି । ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ପରସ୍ପର ନିଜ ବଜାରକୁ କରିବେ ସାହାଣ ମେଲା । ବହୁ ସାମଗ୍ରୀରେ ଶୁଳ୍କ ଶୂନ ହେବ, ଅବା ଢେର କମିବ । ଉନ୍ମୁକ୍ତ ବଜାରରେ କମିବ ମୂଲ୍ୟ । ବେପାର ହେବ ଆକାଶଛୁଆଁ । ଭାରତ-ଇୟୁ ମଧ୍ୟରେ ଏ ବଡ଼ ଡିଲ୍ ବିଶ୍ୱ ସମୁଦାୟ ପାଇଁ ଏବେ ବଡ଼ ଖବର । ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା, ଆଲୋଚନା ଆଉ ବିଶ୍ଳେଷଣ । ଉଭୟ ଭାରତ ଓ ୟୁରୋପ ପାଇଁ ଏ ଚୁକ୍ତି ସାଜିବ ଗେମଚେଞ୍ଜର୍ । ଅର୍ଥନୀତି ମାରିବ ଲମ୍ବ ଡିଆଁ ।
ଏମିତି ଭବିଷ୍ୟବାଣୀ କରୁଛନ୍ତି ଅର୍ଥନୀତି ବିଶାରଦ । ଗୋଟିଏ ତୀର । ଦୁଇଟି ଲକ୍ଷ୍ୟ । ବଡ଼ ଡିଲ୍ । ଅବାଧ ବାଣିଜ୍ୟ ପାଇଁ ବଡ଼ ଚୁକ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ମନମାନିକୁ ଶକ୍ତ ଚାପୁଡ଼ା । ଆମେରିକାର ‘ଶୁଳ୍କ ଏକଛତ୍ରବାଦ’କୁ ମୁହଁତୋଡ଼ ଜବାବ । ଭାରତ-ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି । ସହଯୋଗ, ସହଭାଗିତା ବଢ଼ିବ । ୟୁରୋପ ଦେଶ ସମୂହକୁ ମିଳିବ ଭାରତ ଭଳି ବିଶାଳ ବଜାର । ୟୁରୋପ ବଜାରରେ ଭାରତୀୟ ସାମଗ୍ରୀ ମଧ୍ୟ ପାଇବ ମୂଲ୍ୟ । ୨୭ ଦେଶର ସଂଘ ଇୟୁ ସହ ୨୭ ଜାନୁଆରୀରେ ଭାରତ ମୁକ୍ତ ବାଣିଜ୍ୟ ପାଇଁ ରାଜିନାମା କରିଛି । ଟ୍ରମ୍ପଙ୍କ ଶୁଳ୍କ ପ୍ରହାରରେ ଥରହର ବିଶ୍ୱ ବଜାର ପାଇଁ ଏହା ପାଲଟିଛି ‘ବ୍ରେକିଂ ନ୍ୟୁଜ୍’ ।
କ’ଣ ମିଳିବ ଲାଭ ?
ଦୀର୍ଘ ବର୍ଷର ଆଲୋଚନା ଓ ତର୍ଜମା ପରେ ଭାରତ-ଇୟୁ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ରାଜିନାମା । ଏ ଚୁକ୍ତିରୁ ଭାରତକୁ କେତେ ଲାଭ ମିଳିବ? ୟୁରୋପ ଦେଶ ସମୂହର କ’ଣ ଲାଭ ହେବ? ଏମିତି ବହୁ ପ୍ରଶ୍ନ ନିଶ୍ଚୟ ମନକୁ ଆସୁଥିବ? ବର୍ତ୍ତମାନ ୟୁରୋପୀୟ ରାଷ୍ଟ୍ରସଂଘ (ଇଉରୋପିଆନ୍ ୟୁନିଅନ୍)ରେ ୨୭ଟି ଦେଶ ସଦସ୍ୟ ଅଛନ୍ତି । ଇୟୁ-ଭାରତ ମଧ୍ୟରେ ଯୁଗାନ୍ତକାରୀ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପୃଥିବୀର ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରକୁ ବେଶ ଚଳଚଞ୍ଚଳ କରିଛି । ୟୁରୋପୀୟ ବଜାରରେ ୯୯% ଭାରତୀୟ ସାମଗ୍ରୀକୁ ମିଳିବ ଶୁଳ୍କମୁକ୍ତ ପ୍ରବେଶ । ଦେଶରୁ ବାର୍ଷିକ ୬.୪ ଲକ୍ଷ କୋଟିର ରପ୍ତାନି ପାଇଁ ଫିଟିବ ବାଟ । ଏହାସହିତ ଭାରତୀୟ ବ୍ୟବସାୟୀ, ନିବେଶକ, ପ୍ରତିଭା ଏବଂ ନବସୃଜନକାରୀଙ୍କୁ ୟୁରୋପ ବଜାର ରେଡ କାର୍ପେଟ୍ ସ୍ୱାଗତ ଜଣାଇବ । ଆସନ୍ତା ବର୍ଷ ଆରମ୍ଭରୁ ଚୁକ୍ତି କାର୍ଯ୍ୟକାରୀ ହେବ । ପ୍ରଥମ ଦିନରେ ହିଁ “ଇୟୁ’ ୯୦ ପ୍ରତିଶତ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରୁ ଆମଦାନି ଶୁଳ୍କକୁ ଉଚ୍ଛେଦ କରିବ ।
ଆଉ ୩ ପ୍ରତିଶତ ଭାରତୀୟ ଦ୍ରବ୍ୟ ଉପରୁ ୭ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଶୁଳ୍କ ହଟିବ । ଭାରତ ମଧ୍ୟ ପ୍ରାୟ ୯୭ ପ୍ରତିଶତ “ଇୟୁ’ ଦ୍ରବ୍ୟ ଉପରୁ ଆମଦାନି ଶୁଳ୍କ କମାଇବ । ଭାରତୀୟ ବସ୍ତ୍ର, ପୋଷାକ, ସାମୁଦ୍ରିକ ଦ୍ରବ୍ୟ, ରାସାୟନିକ ଦ୍ରବ୍ୟ, ଇଞ୍ଜିନିୟରିଂ ଉତ୍ପାଦ, ଫାର୍ମା, ମେଡିକାଲ ଡିଭାଇସ୍, ଇଲେକ୍ଟ୍ରୋନିକ୍ସ, ପ୍ଲାଷ୍ଟିକ୍, ରବର୍, ଚମଡ଼ା ଓ ଜୋତା ଶିଳ୍ପର ଉତ୍ପାଦ ୟୁରୋପୀୟ ଦେଶରେ ସୁବିଧାରେ ବିକ୍ରିବଟା ହେବ । ଚା’, ମସଲା, ଧାତୁ, ମୂଲ୍ୟବାନ ପଥର ଓ ଅଳଙ୍କାର, ଆସବାବପତ୍ର, ଖେଳନା ଏବଂ ଖେଳକସରତ ସାମଗ୍ରୀ ବିନା ଶୁଳ୍କରେ ୟୁରୋପ ବଜାରରେ ପ୍ରବେଶ କରିପାରିବ । ବିନିର୍ମାଣ, କୃଷି ଏବଂ ରପ୍ତାନିଭିତ୍ତିକ କ୍ଷେତ୍ର ଅଧିକ ସମୃଦ୍ଧ ହେବ । ବିଏମ୍ଡବ୍ଲ୍ୟୁ ଏବଂ ମର୍ସିଡିଜ୍ ଭଳି ୟୁରୋପୀୟ କାର ହେବ ଶସ୍ତା । ଭାରତରେ ଟିକସ ୧୧୦% ରୁ ୧୦%କୁ କମିବ । ଏଠାରୁ ଭାରତକୁ ଆସୁଥିବା ମଦ ଓ ଚକଲେଟ୍ର ମଧ୍ୟ ଦର କମିବ । ୟୁରୋପୀୟ ସଂଘରୁ ଭାରତ ଆସୁଥିବା ୯୭ ପ୍ରତିଶତ ରପ୍ତାନିକୁ ଫାଇଦା ମିଳିବ । ୨୦୩୨ ସୁଦ୍ଧା ଭାରତ-ଇୟୁ ବେପାର ଦୁଇଗୁଣା ଛୁଇଁବ । ୧୮ ବର୍ଷର ଦୀର୍ଘ ଆଲୋଚନା ପରେ ଯାହା ହେଲା ତାହା ରଚନା କରିବାକୁ ଯାଉଛି ନୂଆ ଇତିହାସ । ଟ୍ରମ୍ପଙ୍କ ମନମାନି ସମୟରେ ଏହା ଏକ ବିକଳ୍ପ ବାଟ ଖୋଲିଛି । ଶୀଘ୍ର ଫାଇଦା ନ ମିଳିଲେ ବି ଦୀର୍ଘମିଆଦି ଭାବେ ଭାରତ ଓ ୟୁରୋପ ଏହାର ଭରପୂର ଲାଭ ଉଠାଇବେ ।
ବାଣିଜ୍ୟ ଚୁକ୍ତିର ଜନନୀ
ଇତିହାସ ରଚିଛନ୍ତି ଭାରତ ଓ ୟୁରୋପ । ସଂପାଦିତ ବାଣିଜ୍ୟ ଚୁକ୍ତିକୁ କୁହାଯାଉଛି ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ ବା ‘ମଦର ଅଫ ଅଲ୍ ଡିଲସ୍’ । ବେପାର ବଣିଜ ହୁ ହୁ ବଢ଼ିବ । ସଂପର୍କ ବି ହେବ ମଜଭୁତ । ବିକଶିତ ଭାରତ ଗଠନ ପାଇଁ ଏହା ବଡ଼ ଭିତ୍ତି ବୋଲି ଅର୍ଥନୀତିଜ୍ଞମାନେ ଦାବି କରୁଛନ୍ତି । ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ୟୁରୋପୀୟ ରାଷ୍ଟ୍ର ସଂଘ ହେଉଛି ବିଶ୍ୱର ଦ୍ୱିତୀୟ, ଭାରତ ହେଉଛି ଚତୁର୍ଥ । ଉଭୟ ଏକତ୍ର ଭାବେ ବିଶ୍ୱ ଜିଡିପିର ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ ତୃତୀୟାଂଶ ଅଂଶ । ଏହି ମୁକ୍ତ ବାଣିଜ୍ୟ ରାଜିନାମା ପୃଥିବୀର ୨ ଶହ କୋଟି ଲୋକଙ୍କୁ ନେଇ ଏକ ଅବାଧ ବାଣିଜ୍ୟ ଅଞ୍ଚଳ ସୃଷ୍ଟି କରିଛି ।
ଏହାଦ୍ୱାରା ଆମେରିକାର ନାଲିଆଖି ଓ ଏକଚାଟିଆ ମନୋଭାବ ଆଉ ଚଳିବନି । ଉଭୟ ଭାରତ ଓ ଇୟୁକୁ ବଡ଼ ବଜାର ମିଳିବ । ଆମଦାନି ଓ ରପ୍ତାନି ନେଇ ହନ୍ତସନ୍ତ ହେବାକୁ ପଡ଼ିବନି । ହଁ..ଏହା ସତ ଯେ, ଏହି ଚୁକ୍ତି ବାସ୍ତବରେ କାର୍ଯ୍ୟକାରୀ ହେବାକୁ ଲାଗିବ ସମୟ । ସମୟ ଲୋଡ଼ା ହେବ । ଚୁକ୍ତିର ନକଲ “ଇୟୁ’ର ସବୁ ସଦସ୍ୟ ଦେଶର ଭାଷାରେ ଅନୁବାଦ କରାଯିବ । “ୟୁରୋପିଆନ୍ କାଉନ୍ସିଲ୍’ରେ ଉପସ୍ଥାପିତ କରାଯିବ । ସେଠାରେ ଗୃହୀତ ହେବ । ଏହା ପରେ ୟୁରୋପିଆନ୍ ପାର୍ଲିଆମେଣ୍ଟରେ ମଧ୍ୟ ଏହି ଚୁକ୍ତି ଗୃହୀତ ହେବ । ସେହିଭଳି ଭାରତର ସଂସଦ ମଧ୍ୟ ଏ ଚୁକ୍ତିକୁ ସ୍ୱୀକୃତି ଦେବା ପରେ ଏହା କାର୍ଯ୍ୟକାରୀ ହେବ । ଗବେଷଣା ଓ ନବସୃଜନ କ୍ଷେତ୍ରରେ ଭାରତୀୟ ପେସାଦାରମାନେ ନୂଆ ବଜାର ପାଇବେ । ଭାରତ-ଇୟୁ ସମିଟ୍ ଅବସରରେ ଏହି ରାଜିନାମାକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭୋନ୍ ଡେର୍ ଲିୟେନ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟାନିଓ କୋଷ୍ଟା ଏହି ରାଜିନାମା ସାରା ବିଶ୍ୱ ପାଇଁ ଲାଭଜନକ ବୋଲି କହିଛନ୍ତି ।
ଭାରତକୁ କାହିଁକି ବାଛିଲା ଇୟୁ
ଟ୍ରମ୍ପଙ୍କ ଦାଦାଗିରି ସମୟରେ “ଇୟୁ’ ଓ ଭାରତ ଆମେରିକାଠାରୁ ଦୂରେଇ ଯିବା ଦିଗରେ ହୋଇଛି ଶିଳାନ୍ୟାସ । ବିଶ୍ୱ “ଜିଡିପି’ର ଏକ-ଚତୁର୍ଥାଂଶ ଧରିଥିବା ଭାରତ ଓ ଇୟୁର ମୁକ୍ତ ବାଣିଜ୍ୟ ସେ ୱାଶିଂଟନର ଏକଛତ୍ରବାଦକୁ ଲୋପ କରିବ ତାହା ଜଳଜଳ । ପ୍ରଶ୍ନ ଉଠୁଛି ଭାରତ ସହ ମୁକ୍ତ ବାଣିଜ୍ୟ ପାଇଁ କାହିଁକି ଆଗ୍ରହ ପ୍ରକାଶ କଲା ଇଉ? ବିଶେଷଜ୍ଞଙ୍କ ଯୁକ୍ତି, ଭାରତ-ଇୟୁ ରାଜିନାମା ପଛର ମୂଳ ବ୍ୟକ୍ତି ହେଉଛନ୍ତି ‘ଟ୍ରମ୍ପ’ । ସେ ନିର୍ମମ ଭାବେ ଶୁଳ୍କ ପ୍ରହାର କରିନଥିଲେ କିମ୍ବା ୟୁରୋପ ରାଷ୍ଟ୍ରଗୁଡ଼ିକୁ ନାଲିଆଖି ଦେଖାଇ ନଥିଲେ ଏ ରାଜିନାମା ପାଇଁ ହୁଏତ ଆହୁରି ବହୁ ବର୍ଷ ଲାଗିଥାନ୍ତା । ହ୍ୱାଇଟହାଉସ୍ର ଧମକ ଚମକରୁ ମୁକୁଳିବା ସହ ବଡ଼ ବଜାର ପାଇଁ ଭାରତକୁ ୟୁରୋପ ସଂଘ ବାଛିବାକୁ ଏକରକମ ବାଧ୍ୟ ହୋଇଛି । ଭାରତ ଭଳି ଯୁବ ମାନବସମ୍ବଳ, ଦୃଢ଼ ନେତୃତ୍ୱ, ସ୍ଥିର ଗଣତନ୍ତ୍ର ଶାସନ ଆଉ କାହା ପାଖରେ ଅଛି ଯେ? ସାଉଥ୍ ଗ୍ଲୋବାଲ୍ରେ ଭାରତ ଲିଡର୍ ଭାବେ ଉଭା ହୋଇଛି । ଭାରତ ପାଲଟିଛି ଡିଜିଟାଲ ପାୱାର୍ ହାଉସ୍ । ତେଣୁ ଭାରତକୁ ଭରସା ଓ ବିଶ୍ୱାସକୁ ନେଇ ଇୟୁ ଦୀର୍ଘମିଆଦି ସୂତ୍ରରେ ସହଭାଗିତା ପାଇଁ ଆଗକୁ ଆସିଛି ।
ୟୁରୋପରେ ବୟସ୍କଙ୍କ ସଂଖ୍ୟା ବଢୁଛି । ଭାରତର ଯୁବ ଓ ଦକ୍ଷ ମାନବସମ୍ବଳକୁ ପୂର୍ଣ୍ଣ ବିନିଯୋଗ କରିବାକୁ ଇୟୁ ଆଗ୍ରହ ପ୍ରକାଶ କରିଛି । ଇୟୁରେ କାମ କରିବାକୁ ୨୦.୮% ବ୍ଲୁକାର୍ଡ ଭାରତୀୟଙ୍କ ପାଖରେ ଅଛି । ଏହା ଭାରତୀୟ ପେସାଦାରଙ୍କ ପାଇଁ ଆଣିବ ସୁବର୍ଣ୍ଣ ସୁଯୋଗ । ଭାରତୀୟ ପ୍ରତିଭାଙ୍କୁ ୟୁରୋପରେ ମିଳିବ ପ୍ରୋତ୍ସାହନ । ଭାରତୀୟ ଆଇଟି, ପେସାଗତ ଏବଂ ଶିକ୍ଷା ସେବାଗୁଡ଼ିକୁ ମିଳିବ ଇୟୁର ବଡ଼ ବଜାର । ଡିଜିଟାଲ୍ ପେମେଣ୍ଟ, ଅନ୍ଲାଇନ୍ ସେବା ଏବଂ ନୂଆ ପ୍ରଯୁକ୍ତିକୁ ପ୍ରାତ୍ସାହନ ମିଳିବ । କେବଳ ମୁକ୍ତ ବାଣିଜ୍ୟ ରାଜିନାମା ନୁହେଁ ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ସାଇବର ନିରାପତ୍ତା, ସୀମାପାର ଆତଙ୍କବାଦର ମୁକାବିଲା କରିବାକୁ ମଧ୍ୟ ଉଭୟ କାନ୍ଧରେ କାନ୍ଧ ମିଶାଇଛନ୍ତି । କେବଳ ବ୍ୟବସାୟ, ବାଣିଜ୍ୟ ନୁହଁ ଆଗକୁ ମିଳିତ ଭାବେ ଭାରତ-ଇୟୁ ଅଭିବୃଦ୍ଧିର ନୂଆ ପାହାଚ ଚଢ଼ିବେ । ସଂପର୍କର ଏ ନୂଆ ଉଡ଼ାଣକୁ ନେଇ ସାରା ବିଶ୍ୱରେ ଏବେ ନାହିଁ ନଥିବା ଚର୍ଚ୍ଚା । ପାଣିଚିଆ ହେବ ଆମେରିକାର ‘ବିଗବ୍ରଦର୍’ ପଣିଆ । ଉଜ୍ୱଳ ଓ ବିକଳ୍ପ ବାଟ ଫିଟିବ । କୁହାଯାଉଛି, ଏ ମହାଡିଲ୍ ବିଶ୍ୱ ଅଭିବୃଦ୍ଧି ପାଇଁ ହେବ ଡବଲ୍ ଇଞ୍ଜିନ୍ ।
ଏହାସହ ପଢ଼ନ୍ତୁ : କହୁଥିଲେ ସରିବନି ଚିଲିକା ଦୁଃଖ....