• ରହ ରହ କ୍ଷଣେ ବାଷ୍ପୀୟ ଶକଟ...
  •  ଦେଖିବି ଚିଲିକା ଚାରୁ ଚିତ୍ରପଟ..
  • ସଂକଟରେ ଚିଲିକା,  ଆମ ଅଣଦେଖାରୁ
  • ସମୟର ଚୋରା ବାଲିରେ ନିଶ୍ଚିହ୍ନ ହୋଇଯିବ ମରାଳ ମାଳିନୀ
  • ପହଡ଼ ଭାଙ୍ଗୁ, ମରଣ ମୁହଁରୁ ଚିଲିକାକୁ ବଞ୍ଚାନ୍ତୁ ସରକାର
  • ​​​​​​​

ଦୂରଦୃଷ୍ଟି ନାହିଁ । ନା ଇଚ୍ଛା ନା ଆନ୍ତରିକତା । ଲୋଭିଲା ପ୍ରସ୍ତାବ । ଗୋଲାପୀ ଯୋଜନା । ବାସ୍ତବତା ଶୂନ । ଚିଲିକାର ସୁରକ୍ଷା ଭାଷଣବାଜିରେ । ଖାଲି ଲୋକ ଦେଖାଣିଆ । ବାପମାଆ ଛେଉଣ୍ଡ ପରି ଭାଗ୍ୟ । ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର । ଆଜି ହଁ...କାଲି କି ନା । ପ୍ରକୃତିର ଏ ଅନବଦ୍ୟ ଦାନକୁ ସୁରକ୍ଷା ଦେବା ବଦଳରେ ଆମେ ଅତ୍ୟାଚାର କରି ଚାଲିଛୁ । ଜବରଦଖଲ, ସଂକୋଚନର ଚାପରେ ଏସିଆ ମହାଦେଶର ଏ ସର୍ବବୃହତ୍‌ ଲୁଣି ଦ୍ରଦ ଆଜି ଚେପା । ଚିଲିକାକୁ ନେଇ ଅନେକ କାନ୍ଦୁଛନ୍ତି, ହେଲେ ଲୁହ କାଇଁ ଯେ? କେବଳ କୁମ୍ଭୀର କାନ୍ଦଣା ।ସରକାରୀ ଯୋଜନା ଯୋଜନ ଦୂରରେ । ଚିଲିକାକୁ ମାଡ଼ି ଆସୁଛି ମହାସଂକଟ ।

ପଶୁଛି ପଟୁ, ବଢ଼ୁଛି ଚାପ

ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଏସିଆ ମହାଦେଶର ସର୍ବବୃହତ୍‌ ଲୁଣିହ୍ରଦ ଏବେ ପରିବେଶଗତ ସଂକଟରେ । ଚିଲିକା ଉପରେ ଚାପ ବଢ଼ୁଛି । ଗର୍ଭ ଓ ମୁହାଣ ପୋତି ହୋଇ ପଡ଼ୁଛି । ଜଳରେ ଲବଣାଂଶ ମାତ୍ରାରେ ବଢ଼ି ଚାଲିଛି ବିଭ୍ରାଟ । ହ୍ରଦର ବିରଳ ଜୈବ ବିବିଧତା ଧ୍ୱଂସମୁହାଁ । ଚିଲିକାର ଆର୍ଦ୍ରଭୂମି ଆୟତନ ଧୀରେ ଧୀରେ ହ୍ରାସ ପାଉଛି । ଜୀବଜଗତର ଏ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ବିପଦରେ । ଚିଲିକା ହ୍ରଦର ଗଭୀରତା ୦.୩୮ ମିଟରରୁ ସର୍ବାଧିକ ୬.୨୦ ମିଟର । ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର ନଦୀ, ଉପନଦୀ ଓ ନାଳ ଦ୍ୱାରା ପ୍ରାୟ ୮ ଲକ୍ଷ ଟନ୍‌ର ପଟୁମାଟି ପ୍ରବେଶ କରୁଛି । ଏହା କିଛି ମାତ୍ରାରେ ଚିଲିକାକୁ ପୋତି ଦେଉଛି । ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବରେ ପଟୁମାଟି ଚିଲିକା ଗର୍ଭକୁ ପ୍ରବେଶ କରୁଛି ।

ମଣିଷର ଜୀବନଧାରା ସହ ଆର୍ଥିକ ବିକାଶରେ ଏ ଆର୍ଦ୍ରଭୂମିର ଭୂମିକା ଅମୂଲ ମୂଲ । ଚିଲିକାର ବିଶେଷତ୍ୱ ହେଉଛି ନଦୀରୁ ଆସୁଥିବା ମଧୁର ଜଳ ଏବଂ ସମୁଦ୍ରରୁ ଆସୁଥିବା ଲୁଣିଜଳ ମିଶି ଖାରଜଳ ସୃଷ୍ଟି ହୁଏ । ଯାହା ଚିଲିକାର ପରିବେଶକୁ ସନ୍ତୁଳିତ କରି ରଖେ । ଚିଲିକା ଜଳର ଲବଣାଂଶ ବଢ଼ିଲେ କିମ୍ବା କମିଲେ ପ୍ରାକୃତିକ ବୈଷମ୍ୟ ଉପୁଜେ । ‘ୱେଟ୍‌ଲ୍ୟାଣ୍ଡ ଇଣ୍ଟର ନ୍ୟାସନାଲ’ର ରିପୋର୍ଟ କହୁଛି, ଚିଲିକାରେ ଜଳୀୟ ସନ୍ତୁଳନ ଅବକ୍ଷୟ ହେଉଛି । ମହାବାତ୍ୟା ‘ଫୋନି’ ଚିଲିକା ଉପରେ ମାଡ଼ ହୋଇ ନୂଆ ମୁହାଣ ସୃଷ୍ଟି କରିଛି । ଯାହା ମଧୁର ଜଳ ତୁଳନାରେ ଲୁଣି ଜଳ ପରିମାଣକୁ ବଢ଼ାଇଛି । ପଟୁ ମାଟି ଦ୍ୱାରା ଏ ଲୁଣି ହ୍ରଦ କ୍ଷତିଗ୍ରସ୍ତ ହେଲାଣି । ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ କମିଲାଣି । ପାରମ୍ପରିକ ମତ୍ସ୍ୟଜୀବୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିୟମିତ ବ୍ୟବଧାନରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଛି । ହେଲେ ଯେତିକି ପ୍ରଚାର ତାଠୁ ବାସ୍ତବତା ଢେର କମ୍‌ । ଅନ୍ତନାଳୀର ପୁନରୁଦ୍ଧାର ମଧ୍ୟ ହେଉଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପ୍ରତି ମାସରେ ୩୩ଟି ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ ୧୭ଟି ମାପକକୁ ନେଇ ଚିଲିକାରେ ଥିବା ଜଳର ମାନ ପରୀକ୍ଷଣ କରୁଥିବା ସରକାର କହୁଛନ୍ତି । ସରକାରୀ ଉଦ୍‌ବେଗ ଓ ଆବେଗ କେବଳ ‘ବାଆକୁ ବତା’ ।

କମୁଛି ପରିସୀମା

ସମୟ ମାଡ଼ି ଚାଲିଛି । କମୁଛି ଆୟତନ । ୧୯୪୫ ମସିହାରେ ଚିଲିକାର ଆର୍ଦ୍ରଭୂମିର ଆୟତନ ଥିଲା ୨୯୪୬ ବର୍ଗ କିମି । ଏବେ ତାହା ୧୧୬୫ କିମିରେ ସୀମିତ ରହିଥିବା କୁହାଯାଉଛି । ୧୯୭୩ ମସିହାରେ ମାତ୍ର ୮୦ ବର୍ଗ କିମି ଦଳପୂର୍ଣ୍ଣ ଥିଲା । ଏବେ ଏହା ପ୍ରାୟ ୬ ଶହ ବର୍ଗ କିମିକୁ ଆଚ୍ଛାଦିତ କଲାଣି । ଏହା ହେଉଛି ପରିବେଶଗତ ବିପର୍ଯ୍ୟୟର ବଡ଼ ସୂଚନା । ଚିଲିକାର ଜୈବ ବିବିଧତା ଓ ଆର୍ଦ୍ରଭୂମିର ଗୁରୁତ୍ୱକୁ ଉପଲବ୍ଧି କରି ୧୯୮୧ରେ “ରାମସାର୍‌’ ସ୍ଥଳୀ ଘୋଷଣା କରାଗଲା । ସିଡିଏ କର୍ତ୍ତୃପକ୍ଷ ଏହାର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ ସହ ଆର୍ଦ୍ରଭୂମିର ସଂରକ୍ଷଣ ଦିଗରେ ପଦକ୍ଷେପ ନେଲେ । ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ନିଷ୍ଠାପଣ ରହିଲାନି । ଯାହାର ସିଧାସଳଖ ପ୍ରଭାବ ପଡ଼ିଲା ।

ଚିଲିକାର ଆୟତନ ଧୀରେ ଧୀରେ କମିବା ସହ ବିଭିନ୍ନ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି । ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ୭୯୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଚିଲିକା (କୋର୍‌ ଏରିଆ)ର ଅବସ୍ଥିତି । ସତୁରୀ ଦଶକରେ ଏହାର ଆୟତନ ୯୧୬ ବର୍ଗ କିମି ଥିଲା । ସାଟେଲାଇଟ୍‌ ସର୍ଭେ କହୁଛି ଯେ, ୪ ଦଶନ୍ଧି ଭିତରେ ଏହାର ଆୟତନ ୧୨୬ ବର୍ଗ କିମି କମିଛି । ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ପାଇଁ ଏବେ ଏହା ବିପଦରେ । ଏହାର ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଦୀର୍ଘମିଆଦି ଯୋଜନା ହାତକୁ ନିଆ ନଗଲେ ଏହା ଶେଷ ନିଃଶ୍ୱାସ ଗଣିବ । ମରିଯିବ ଚିଲିକା ରାଣୀ । ମୃତ ହ୍ରଦରେ ପରିଣତ ହେବ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଏ ‘ଭାତହାଣ୍ଡି’ ।

ମାଡ଼ି ଆସୁଛି ବିପଦ

ଚିଲିକାର ଆଖପାଖ ଲୋକଙ୍କ ପାଇଁ ଚିଲିକା ହେଉଛି ‘ମାଆ’ । ପାରମ୍ପରିକ ମତ୍ସ୍ୟଜୀବୀ ଏବେ ହା ହୁତାଶ ମଧ୍ୟରେ ଜୀବନ କାଟୁଛନ୍ତି । ଭାତହାଣ୍ଡି ମରି ମରି ଯାଉଛି । ଜୀବନ ଓ ଜୀବିକା ଦୋଛକିରେ । ଚିଙ୍ଗୁଡ଼ି ମାଫିଆଙ୍କ ରାଜୁତି ପରେ ଘେରି ନିର୍ମାଣ ସହ ରାସାୟନିକ ସାରର ବ୍ୟବହାର ବଢ଼ି ଚାଲିଛି । ଯାହା ବହୁ ମାଛ ବଂଶକୁ ନିଶ୍ଚିହ୍ନ କରିଦେଲାଣି । ପାରମ୍ପରିକ ମତ୍ସ୍ୟଜୀବୀ ଡଙ୍ଗା ଓ ଜାଲ ନେଇ ଚିଲିକାକୁ ଗଲେ ମଧ୍ୟ ପେଟ ପୂରୁନି । ନିଜ ଛୁଆପିଲାଙ୍କ ଭବିଷ୍ୟତ ପାଇଁ ମତ୍ସ୍ୟଜୀବୀମାନେ ଏବେ ଚିନ୍ତାରେ । ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ହେଉଛି । ମାତ୍ର ଏହା କେବଳ ଲୋଳ ଦେଖାଣିଆ । ଚିଲିକାର ରିମୋଟ୍‌ ଏବେ ମାଫିଆଙ୍କ ହାତରେ । କୋଲକାତାସ୍ଥିତ ‘ଜୁଲୋଜିକାଲ୍‌ ସର୍ଭେ ଅଫ ଇଣ୍ଡିଆ’ର ସର୍ଭେ କହୁଛି, ଦୁଇ ଦଶନ୍ଧି ତଳେ ଚିଲିକାରେ ୮ ଶହ ପ୍ରଜାତିର ପ୍ରାଣୀ ବାସ କରୁଥିଲେ । ୨ ଶହ ପ୍ରଜାତିର ଉଦ୍ଭିଦ, ୨୨୫ ଜାତିର ମାଛ, ୬୧ ଜାତିର ଏକକୋଷୀ ପ୍ରାଣୀ, ୨୯ ପ୍ରକାରର ଜିଆ, ୩୭ ପ୍ରକାର ସରୀସୃପ ଓ ୧୬୭ ପ୍ରଜାତିର ପକ୍ଷୀ ଥିଲେ ।

ମାତ୍ର ପରିବେଶଗତ ସଂକଟ ସୃଷ୍ଟି ହେବାରୁ ଏ ବିରଳ ଜୈବ ବିବିଧତାର ପ୍ରଜାତି ସଂଖ୍ୟା ଏବେ ୬ ଶହକୁ ଖସି ଆସିଲାଣି । ଆଗକୁ ଏହା ବଡ଼ ବିପର୍ଯ୍ୟୟର ସଂକେତ ଦେଉଛି । ଚିଲିକାରେ ଗତ କିଛି ବର୍ଷ ହେବ ମାଛ, କଙ୍କଡ଼ା ଉତ୍ପାଦନ ଢେର କମିଛି । ମୁହାଣ ଅଞ୍ଚଳରେ ଚିଙ୍ଗୁଡ଼ି ମାଫିଆଙ୍କ ସାମ୍ରାଜ୍ୟ ବଢ଼ି ଚାଲିଛି । ପୂର୍ବରୁ ବର୍ଷକ ବାର ମାସ ଚିଲିକାରୁ ମାଛ ମିଳୁଥିଲା । ମାତ୍ର ଏବେ ଏହା ୪ ମାସ (ଏପ୍ରିଲ-ଜୁଲାଇ)କୁ ଖସିଛି । ଚିଲିକା ମାଟି ସମୁଦ୍ରକୁ ଯାଉନି । ନଳଘାସ ମାଡ଼ିଲାଣି । ଏ ଧାରା ଜାରି ରହିଲେ ଚିଲିକା ଉପରେ ଜୀବିକା ପାଇଁ ନିର୍ଭରଶୀଳ ପାରମ୍ପରିକ ମତ୍ସ୍ୟଜୀବୀ ଏକ ଦାରୁଣ ଅର୍ଥନୈତିକ ଓ ସାମାଜିକ ବିପର୍ଯ୍ୟୟର ସମ୍ମୁଖୀନ ହେବେ ।

କାଲି ପାଇଁ ଆଜି ଲୋଡ଼ା ଇଚ୍ଛାଶକ୍ତି

 ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଚିଲିକାର ପୁନରୁଦ୍ଧାର ପାଇଁ ଏହାର ମୁହାଣ ଖୋଳାଯିବ । ଚିଲିକାକୁ ସଂଯୋଗ କରୁଥିବା କେତେକ ପାଣି ଚ୍ୟାନେଲର ମଧ୍ୟ ଖନନ କରାଯିବ । ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଏବଂ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବ । ୨୦୦୦ ମସିହା ପରଠୁ ଚିଲିକାର ମୁହାଣ ଖୋଳା ଯାଇନି । ଯାହା ବିପଦକୁ ଡାକି ଆଣିଛି । ଚିଲିକାର ପୁନର୍ବିନ୍ୟାସ ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି । ଆଇଆଇଟି ଚେନ୍ନାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଛି । ସରକାର ଏହାକୁ ଅନୁମୋଦନ କରିଛନ୍ତି ।

ଏବେ ଲୋଡ଼ା ନିଷ୍ଠା ଓ ଆନ୍ତରିକତା । ବିଦେଶୀ ପକ୍ଷୀ, ବିରଳ ଇରୱାଡ଼ି ଡଲଫିନ୍‌, ମଙ୍ଗଳାଯୋଡ଼ି, ନଳବଣ ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ମନଲୋଭା । ପର୍ଯ୍ୟଟକଙ୍କ ପାଇଁ ଏହା ସ୍ୱର୍ଗ । ୟୁନେସ୍କୋ ହେରିଟେଜ୍‌ ସାଇଟ୍‌ ସହ ରାମସାର ମାନ୍ୟତା ପାଇଥିବା ଚିଲିକା ଏବେ ସଙ୍କଟରେ ଚାରି କଡ଼େ ଥିବା ୧୩୨ ଗାଁର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପଦରେ । ସ୍ୱଳ୍ପକାଳୀନ ନୁହେଁ ଦୀର୍ଘମିଆଦି । ଚିଲିକାର ସୁରକ୍ଷା ପାଇଁ ମେଗା ଯୋଜନା ଲୋଡ଼ା । ପରିବେଶ ବିଜ୍ଞାନୀଙ୍କ ମତ ହେଲା, ଚିଲିକା ଉପରେ ମଣିଷର ଅତ୍ୟାଚାର ଲକ୍ଷ୍ମଣରେଖା ଡେଇଁଛି । ପ୍ରକୃତି ଓ ପରିବେଶ ସହ ଆମେ ବେଶ୍‌ ଖେଳି ଚାଲିଛୁ । ଆମ ଲୋଭ ପାଇଁ ପ୍ରକୃତିକୁ ଧ୍ୱଂସ କରିଚାଲିଛୁ । ଏବେ ମରି ମରି ଜିଇବାକୁ ହେଉଛି ଜୀବନ । ଆସନ୍ତାକାଲି ପାଇଁ ଆଜି ଇଚ୍ଛାଶକ୍ତି ଦେଖାନ୍ତୁ ସରକାର ।

ଏହାସହ ପଢ଼ନ୍ତୁ : ଛଳନାର ନାଗଫାଶ