ନୂଆଦିଲ୍ଲୀ,୨୨।୯: ମଧ୍ୟ ପ୍ରାଚ୍ୟରେ ଜାରି ଗାଜା ସଂଘର୍ଷ ଅନ୍ତର୍ଜାତୀୟ ରାଜନୀତିକୁ ହଲାଇ ଦେଇଛି। ପ୍ରାୟ ପୁରା ୟୁରୋପ ଏବେ ଇସ୍ରାଏଲ ବିରୋଧରେ ଆସିଯାଇଛି। ଗତ ୨୪ ଘଣ୍ଟାରେ ୟୁରୋପର ବଡ଼ ଦେଶ ଏଭଳି କିଛି କରିଛନ୍ତି, ଯାହାକି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଚିନ୍ତା ବଢାଇ ଦେଇଛି। ଗାଜାରେ ଲଗାତାର ବଢୁଥିବା ହିଂସା ଓ ମାନବୀୟ ସଙ୍କଟକୁ ଦେଖି ୪ ଦେଶ ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଓ ପର୍ତ୍ତୁଗାଲ ରବିବାର ପାଲେଷ୍ଟାଇନ୍କୁ ଆନୁଷ୍ଠାନିକ ଭାବରେ ସ୍ବତନ୍ତ ରାଷ୍ଟ୍ର ଭାବରେ ମାନ୍ୟତା ପ୍ରଦାନ କରିଛନ୍ତି। ଫ୍ରାନ୍ସ ଓ ସାଉଦି ଆରବ ମିଶିକି ସୋମବାର ଜାତିସଂଘର ସମ୍ମିଳନୀ ଡକାଇଥିଲେ। ଯେଉଁଥିରେ ୟୁରୋପ ସହ ଅନ୍ୟ ୬ଟି ଦେଶ ପାଲେଷ୍ଟାଇନକୁ ମାନ୍ୟତା ଦେବେ। ନ୍ୟୁୟର୍କର ସମୟ ଅନୁସାରେ, ଅପରାହ୍ନ ୩ଟା ଏବଂ ଭାରତୀୟ ସମୟ ଅନୁସାରେ ରାତି ୧୦ଟାରେ ଏହି ସମ୍ମିଳନୀ ଆୟୋଜିତ ହେବ।
ଜାତିସଂଘ ସମ୍ମିଳନୀରେ ପାଲେଷ୍ଟାଇନକୁ ମାନ୍ୟତା ଦେବାକୁ ଯାଉଥିବା ଛଅଟି ଦେଶ ମଧ୍ୟରେ ଫ୍ରାନ୍ସ, ବେଲଜିୟମ, ଲକ୍ସେମବର୍ଗ, ଆଣ୍ଡୋରା, ମାଲ୍ଟା ଏବଂ ସାନ ମାରିନୋ ଅନ୍ତର୍ଭୁକ୍ତ। ଜାତିସଂଘର ପାଞ୍ଚ ସ୍ଥାୟୀ ସଦସ୍ୟ ହେଉଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଚୀନ୍ ଏବଂ ରୁଷ। ଥଷ ଫ୍ରାନ୍ସର ସ୍ୱୀକୃତି ସହିତ, ଆମେରିକା ଏକମାତ୍ର ସ୍ଥାୟୀ ସଦସ୍ୟ ରହିବ ଯିଏ ଏପର୍ଯ୍ୟନ୍ତ ପାଲେଷ୍ଟାଇନକୁ ମାନ୍ୟତା ଦେଇନାହିଁ। ଜାତିସଂଘର ୧୯୩ ଟି ଦେଶର ତିନି-ଚତୁର୍ଥାଂଶ ପାଲେଷ୍ଟାଇନକୁ ମାନ୍ୟତା ଦେଇସାରିଛନ୍ତି। ଏବେ, ଆମେରିକା ମଧ୍ୟ ଏହାର ୟୁରୋପୀୟ ସହଯୋଗୀଙ୍କ ଚାପର ସମ୍ମୁଖୀନ ହେଉଛି।
ବ୍ରିଟେନ ସମେତ ଚାରୋଟି ଦେଶ ପାଲେଷ୍ଟାଇନକୁ ମାନ୍ୟତା ଦେବା ଏହି ପଦକ୍ଷେପ ଏପରି ସମୟରେ ନେଇଛନ୍ତି ଯେତେବେଳେ ଗାଜାରେ ଇସ୍ରାଏଲୀ ଯୁଦ୍ଧ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି ଏବଂ ୬୮,୦୦୦ ରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି। ଗାଜାରେ ଦୁର୍ଭିକ୍ଷ ଘୋଷଣା କରାଯାଇଛି, ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ରିପୋର୍ଟରେ ଚେତାବନୀ ଦେଇଛି,ଯଦି ପରିସ୍ଥିତି ଜାରି ରହେ, ତେବେ ଏହି ମାନବୀୟ ସଙ୍କଟ ଆହୁରି ଖରାପ ହୋଇପାରେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ନିଷ୍ପତ୍ତିରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏହି ଦେଶଗୁଡ଼ିକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବା ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ଶକ୍ତିକୁ ପୁରସ୍କୃତ କରିବା ସହିତ ସମାନ। ଏହି ପଦକ୍ଷେପ କେବଳ ଇସ୍ରାଏଲର ନୁହେଁ ବରଂ ସମଗ୍ର କ୍ଷେତ୍ରର ସ୍ଥିରତା ପାଇଁ ବିପଦ ବୋଲି କହିଛନ୍ତି।