ଭୁବନେଶ୍ୱର ୧୬/୦୫: ରାଜ୍ୟର ଟ୍ୱିନ ସିଟି ସମେତ ବିଭିନ୍ନ ପ୍ରାନ୍ତରେ ତେଲ ସଙ୍କଟ ଜାରି ରହିଛି । ଲୋକେ ପେଟ୍ରୋଲ ପକାଇବା ଲାଗି ଲମ୍ବା ଲାଇନ୍ରେ ଛିଡା ହେଉଛନ୍ତି । କେଉଁଠାରେ ୨୦୦ ଟଙ୍କା ତ କେଉଁଠାରେ ୧ ହଜାର ଟଙ୍କାର ପେଟ୍ରୋଲ ମିଳୁଛି । ବିଭିନ୍ନ ପ୍ରାନ୍ତରେ ତେଲ ଟାଙ୍କି ଶୁଖିବା ଯୋଗୁ ତେଲ ପାଇବାରେ ଲୋକେ ନିରାଶ ହେଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଇ-ଯାନ ବିକ୍ରି ଉପର ମୁହାଁ ହୋଇଛି । ଗତ ୨ ଦିନ ହେବ ଇଭି ସୋରୁମ ଗୁଡିକରେ ଲୋକମାନେ ଅସମ୍ଭାଳ ଭିଡ ଲଗାଉଛନ୍ତି । ଇଭି ବୁକିଂ ୨ରୁ ୧୦ ଗୁଣ ଯାଏ ବଢ଼ିଥିବା ଡିଲରଶିପରେ ଗୁଡିକ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନିୟ ଖଣ୍ଡଗିରିର ଏକ ନାମୀ କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତେଲ ସଙ୍କଟ ଯୋଗୁ ଲୋକେ ଏବେ ଇଭି କିଣା ପ୍ରତି ଆକୃଷ୍ଟ ହେଉଛନ୍ତି । ଗତ ୨ ଦିନରେ ସୋରୁମରେ ଭିଡ଼ ଦେଖାଯାଉଛି । ଯୁଦ୍ଧସ୍ଥିତିରେ ଲୋକେ ଇଭି କିଣା ପ୍ରତି ବେଶ ଆଗ୍ରହ ଦେଖାଇଥିଲେ ମାତ୍ର ତେଲ ସଙ୍କଟ ଯୋଗୁ ଗତ ୨ ଦିନ ହେବ ସୋରୁମରେ ଅପ୍ରତ୍ୟାଶିତ ଭିଡ ଦେଖିବାକୁ ମିଳୁଛି । ବୁକିଂ ମଧ୍ୟ ୨ ଗୁଣ ହୋଇଛି । ଗ୍ରାହକଙ୍କୁ ଗାଡ଼ି ଯୋଗାଇବା ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ସର୍ଭିସ ଏବଂ ନୂଆ ଟେକ୍ନୋଲୋଜି ଗାଡି ଆସୁଥିବାରୁ ଲୋକେ ଇଭିଟିଏ ନିଜ ପାଖରେ ରଖିବାକୁ ବେଶ ଆଗଭର ହେଉଛନ୍ତି । ସ୍ଥାନିୟ ରସୁଲଗଡର ସରୋଜ କୁମାର ସାହୁ କହିଛନ୍ତି, ତେଲ ସଙ୍କଟ ସ୍ଥିତିରେ ଇଭିଟିଏ କିଣିବା ନେଇ ଯୋଜନା ରହିଥିଲା । ଗତ ୨ ଦିନରେ ଯେଉଁ ସ୍ଥିତି ରହିଛି ତାକୁ ନଜରରେ ରଖି ଆଜି ଇଭି କିଣିବାକୁ ସୋରୁମ ଆସିଛି । ତେଲ ସଙ୍କଟରୁ ଏଣିକି ମୁକ୍ତି ମିଳିବ ।

ଆଦିତ୍ୟ ଗ୍ରୁପର ଏମ୍‌ଡି ଆଦିତ୍ୟ ପାତ୍ର କହିଛନ୍ତି, ଯୁଦ୍ଧ ଏବଂ ତୈଳ ସଙ୍କଟ ସ୍ଥିତିରେ ଭୁବନେଶ୍ୱର-କଟକ କରିଡରରେ ଇଭି ବିକ୍ରିରେ ଉନ୍ନତି ପରିଲକ୍ଷିତ ହୋଇଛି । ସରକାରଙ୍କ ସହାୟତା, ଉନ୍ନତ ଉତ୍ପାଦ ବର୍ଗ, ଅପେକ୍ଷାକୃତ କମ୍ ପରିଚାଳନା ଖର୍ଚ୍ଚ ଯୋଗୁ ଇଭି ଆଦୃତ ହେଉଛି । ଚାର୍ଜିଂ ଭିତ୍ତିଭୂମିରେ ମଧ୍ୟ ଉନ୍ନତି ଆସୁଛି । ଏହା ଆହୁରି ବ୍ୟାପକ ହେଲେ ଇଭି ଚାହିଦା ତ୍ୱରାନ୍ୱିତ ହେବ । ବର୍ତ୍ତମାନର ଇନ୍ଧନ ଅନିଶ୍ଚିତତା ଇଭି ବିକ୍ରି ବଢ଼ାଉଛି । ଭିତ୍ତିଭୂମି ବିକାଶ, ସୁଲଭତା ଏବଂ ଗ୍ରାହକଙ୍କ ବିଶ୍ୱାସ ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

ଖଣ୍ଡଗିରି ସ୍ଥିତ ଏମ୍‌ଜି ସେଣ୍ଟ୍ରାଲର ସେଲ୍ସ ବିଭାଗ ଜିଏମ୍ ଦେବାଶିଷ ଦାସ କହିଛନ୍ତି, ତେଲ ସଙ୍କଟ ଯୋଗୁ ଟ୍ୱିନସିଟିରେ ଉଭୟ ୨ ଚକିଆ ଏବଂ ୪ ଚକିଆ ଇଭି କିଣା ନେଇ ଲୋକଙ୍କ ଇନ୍‌କ୍ୱାରି ବଢ଼ିଛି । ଉଭୟ ଚାହିଦା ଏବଂ ଚାର୍ଜିଂ ଭିତ୍ତିଭୂମିରେ ଉନ୍ନତି ଆସିଛି । ଅନେକ ପ୍ରଥମ ଥର ଇଭି କିଣୁଥିବା ଗ୍ରାହକ ପାଉଛୁ । ରାଜ୍ୟରେ ୧୯୦ ଚାର୍ଜିଂ ଷ୍ଟେଶନ ଆସିବାକୁ ଯାଉଛି । ଏହା ଚାହିଦା ବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଏମ୍‌ବିଏସ୍ ବଜାଜର ଏମ୍‌ଡି ମନସୁର ବକ୍ସ କହିଛନ୍ତି, ଆମ ସୋରୁମରେ ଇନ୍‌କ୍ୱାରୀ ୧୦ ଗୁଣ ଯାଏ ବଢ଼ିଛି । ତେଲ ସଙ୍କଟ ଯୋଗୁ ଲୋକ ଇଭି କିଣା ମୁହାଁ । ଏ ଦିଗରେ ସରକାରୀ ସହାୟତା ଏବଂ ପ୍ରଧାନମନ୍ତ୍ରୀଙ୍କ ନିବେଦନ ସହାୟକ ହେଉଛି । ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା । ଆମେ ସୋରୁମରେ ସବୁ ପ୍ରକାର ସୁବିଧା ଯୋଗାଣ ନେଇ ବିଶେଷ ପ୍ରସ୍ତୁତି କରିଛୁ । କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଇଭି ଚାହିଦା ଉପର ମୁହାଁ । ସରକାର ମଧ୍ୟ ଇଭିକୁ ଫୋକସ ଦେଉଛନ୍ତି । ସାଧାରଣ ପରିବହନ ଏବଂ ସରକାରୀ ଯାନ ଗୁଡିକ ଇଭି ପାଲଟୁଛି । ଗ୍ରାହକଙ୍କ ଅପ୍ରତ୍ୟାଶିତ ଚାହିଦା ପୂରଣ ଲାଗି କମ୍ପାନି ଗୁଡିକ ପ୍ରସ୍ତୁତ ନ ଥିଲେ । ଏବେ ଯାନ ଡେଲିଭରି ଲାଗି କମ୍ପାନି ୩ରୁ ୪ ମାସ ଯାଏ ସମୟ ନେଉଥିବା ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ...ପ୍ରଥମେ ପେଟ୍ରୋଲ୍, ଡିଜେଲ ଆଉ ଏବେ ଖାଇବା ତେଲ; ଗ୍ରେଡ୍-୧ ସୋରିଷ ତେଲ ଦର ୨୦୦ ଛୁଇଁଲା, ସୂର୍ଯ୍ୟମୁଖୀ ୧୮୦