ଭୁବନେଶ୍ୱର,୧୬/୦୫: ପ୍ରଥମେ ପେଟ୍ରୋଲ୍, ଡିଜେଲ ଆଉ ଏବେ ଖାଇବା ତେଲ ପାଳି । ବଜାରରେ ଖାଇବା ତେଲ ଦର ବଢ଼ିଛି । ଗ୍ରେଡ୍-୧ ସୋରିଷ ତେଲ ଦର କେଜି ପିଛା ୧୭୦ ଟଙ୍କାରୁ ବଢି ୧୭୫ରେ ପହଞ୍ଚିଛି । ଫଳରେ ବଜାରରେ ତେଲ ଦର ୨୦୦ ଛୁଇଁଛି । ସେହିପରି ପାମୋଲିନ୍ ତେଲ ଦର ମଧ୍ୟ ବଢିଯାଇଛି । ୧୫ କେଜି ପାମୋଲିନ୍ ତେଲ ଦର ୨୪୦୦ରୁ ଏବେ ୨୪୯୫ ଟଙ୍କା ହୋଇଛି । ଇଏ ହେଉଛି ଗୋଦାମ ସ୍ଥିତି । ହେଲେ ବଜାରରେ ତେଲ ଦର ୫ରୁ ୧୦ଟଙ୍କା ଅଧିକ ଦରରେ ବିକ୍ରି ହେଉଛି । ବର୍ଦ୍ଧିତ ଖାଇବା ତେଲ ଦରକୁ ନେଇ ଏବେ ଅକଳରେ ପଡ଼ିଛନ୍ତି ଗ୍ରାହକ ।
ସେପଟେ ତେଲ ଦର ବଢିବା ପଛରେ ଆମଦାନୀ ଡ୍ୟୁଟି ବଢିବାକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଯୁଦ୍ଧ ଯୋଗୁ ଏଭଳି ହେଉଛି । ଯେଉଁଥିପାଇଁ ରେଟ୍ଚାର୍ଟ ବ୍ୟବସାୟୀଙ୍କୁ ସୁହାଉନି । ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହେବ ବୋଲି ମହାସଂଘ ସୂଚନା ଦେଇଛି । ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଓ ପେଟ୍ରୋଲ, ଡିଜେଲର କଳାବଜାରୀ ଏବେ ହାଣ୍ଡିଶାଳରେ ପଡ଼ିଛି । ଓଡ଼ିଶାରେ ଖାଇବା ତେଲର ନିଅଣ୍ଟିଆ ସ୍ଥିତି ଯୋଗୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗର ଦିଘାରୁ ଖାଇବା ତେଲ ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ପାମୋଲିନ୍ ତେଲ ଆସୁଛି । ଓଡ଼ିଶାରେ ବାର୍ଷିକ ୫ଲକ୍ଷ ଟନ୍ ଖାଇବା ତେଲ ଆବଶ୍ୟକ । ବଡ଼କଥା, ଯେଉଁଠି ଅନ୍ୟ ଖାଦ୍ୟପଦାର୍ଥ ପାଇଁ ଗାଡିଭଡ଼ା ବ୍ୟବସାୟୀମାନେ ଭରଣା କରୁଛନ୍ତି, ତେଲରେ ତାହା ନାହିଁ । ଏଠି କମ୍ପାନୀ ତେଲ ଡେଲିଭରି କରିଥାଏ ।
ସେଥିପାଇଁ ଭଡ଼ା ଟଙ୍କା ବ୍ୟବସାୟୀଙ୍କୁ ଦେବାକୁ ପଡ଼େନି । ହେଲେ ଯଦି ଆମଦାନୀ ଶୁଳ୍କ ବୃଦ୍ଧି ପାଏ, ତେବେ ତେଲର ଦର ବଢ଼ିଥାଏ । ଏବେ ତାହାହିଁ ହୋଇଛି । ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଏବେ ପରିସ୍ଥିତି ଠିକ୍ ଅଛି । ଭୁବନେଶ୍ୱର, କଟକ ମାଲଗୋଦାମ, ବ୍ରହ୍ମପୁର ଭଳି ବଡ଼ବଡ଼ ଡିପୋରେ ପର୍ଯ୍ୟାପ୍ତ ଖାଇବା ତେଲ ମହଜୁଦ ରହିଛି । କେବଳ ଛାନିଆରେ ଦର ବଢ଼ିଛି । ତଥାପି ସରକାରଙ୍କୁ ନିବେଦନ ସେ ତୁରନ୍ତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଆମଦାନୀ ଶୁଳ୍କ ନିୟନ୍ତ୍ରଣ ପାଇଁ ଚେଷ୍ଟା କରନ୍ତୁ । ନହେଲେ ଦର ଆହୁରି ବଢିଯିବ ।
ଆହୁରି ପଢନ୍ତୁ-Oil Crisis in odisha: ପେଟ୍ରୋଲ୍ ଓ ଡିଜେଲ ସମସ୍ୟାକୁ ନେଇ ମୁହଁ ଖୋଲିଲେ ଯୋଗାଣ ମନ୍ତ୍ରୀ, କହିଲେ ୧୩ ଦିନରେ ତେଲ ଷ୍ଟକ ଅଛି...
ବଜାର ସ୍ଥିତି ଉପରେ ବ୍ୟବସାୟୀ ମହାସଂଘ କ୍ରମାଗତ ଭାବରେ ନଜର ରଖିଛି । ଆସନ୍ତା ୧୭ରେ ମହାସଂଘ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ଭେଟିବ ଓ ତେଲ ଉପରୁ ଆମଦାନୀ ଶୁଳ୍କ କିପରି ହ୍ରାସ ପାଇବ ସେନେଇ ଆଲୋଚନା ବି କରିବ । ଭୁବନେଶ୍ୱରର ୧-ନମ୍ବର ମାର୍କେଟରେ ଆଜି ଖାଇବା ତେଲ କିଣିବାକୁ ଭିଡ଼ ଲାଗିଥିଲା । ଭଲ ସୋରିଷ ତେଲ ଦର ୨୦୦ ଟଙ୍କା ଥିବା ବେଳେ ଆଉ ଏକ ସୋରିଷ ତେଲର ଦର ୧୮୦ ଥିଲା । ସୂର୍ଯ୍ୟମୁଖୀ ତେଲ ଦର ୧୮୦ ବି ଥିଲା । ଲୋକେ ସୋରିଷ ଓ ସୂର୍ଯ୍ୟମୁଖୀ ତେଲ କିଣିନେଉଥିଲେ । ଜଣେ ବେପାରୀ କହିଥିଲେ, ତେଲ ଦର ବଢ଼ିଚାଲିଛି । ଏଥିପାଇଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହିଁ ଦାୟୀ । ଯଦି ଏହିଭଳି ସ୍ଥିତି ଲାଗିରୁହେ, ତେବେ ଆଗାମୀଦିନରେ ସୋରିଷ ତେଲ ଦର ଆହୁରି ବଢ଼ିବ ।