କଟକ, ୧୦/୦୭ : ଏସ୍‌ସିବି ଡାକ୍ତରଖାନାରେ ଅସହାୟ ବୋଲି କେହି ଗୁରୁତ୍ୱ ଦେଲେନି । ବଞ୍ଚିବା ପାଇଁ ଆଇସିୟୁ ଦରକାର ଥିଲେ ମଧ୍ୟ ମିଳିଲାନି । ସେଣ୍ଟ୍ରାଲ୍‌ ଆଇସିୟୁଠାରୁ ଆରମ୍ଭ କରି ଟ୍ରମା ସେଣ୍ଟର୍‌ ଆଇସିୟୁ ଅସହାୟଙ୍କ ବୃଦ୍ଧଙ୍କ ପାଇଁ ଅପହଞ୍ଚ ହୋଇଗଲା । ଏପରିସ୍ଥଳେ ଉପଯୁକ୍ତ ଦେଖାଶୁଣା ଅଭାବରୁ କ୍ଷତାକ୍ତ ମୁଣ୍ଡ ସଂକ୍ରମିତ ହେବାରୁ ପୋକ ଚରିଯାଇଥିଲେ । ପୋକ ସାଲୁବାଲୁ ଅବସ୍ଥାରେ ଦୀର୍ଘ ୪ ଦିନ କାଳ ଟ୍ରମା କାଜୁଆଲଟିରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଦୁର୍ଘଟଣାଗ୍ରସ୍ତ ସୂର୍ଯ୍ୟ ସାମଲ(୫୫)ଶେଷରେ ଆଜି ଆଖି ବୁଜିଛନ୍ତି । ଉପଯୁକ୍ତ ଚିକିତ୍ସା ଓ ଠିକ୍‌ ଭାବେ ଦେଖାଶୁଣା ନ ହେବାରୁ ସୂର୍ଯ୍ୟଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । 

ସୂଚନାନୁଯାୟୀ, ସୂର୍ଯ୍ୟ ଏକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ତାଙ୍କୁ କେହି ଉଦ୍ଧାର କରି ଏମ୍‌ସ୍‌ରେ ଭର୍ତ୍ତି କରିଥିଲେ । ତାଙ୍କ ପାଖରେ କେହି ନିଜ ଲୋକ ନ ଥିବାରୁ ଏମ୍‌ସ୍‌ର ଚିକିତ୍ସକମାନେ ଦାୟିତ୍ୱ ଖସାଇ ଏସ୍‌ସିବି ମେଡିକାଲ ପଠାଇ ଦେଇଥିଲେ । ଗତ ୪ ତାରିଖରେ ସୂର୍ଯ୍ୟ ଏସ୍‌ସିବି ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡରେ ଏକ ଅପରେସନ୍‌ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କୁ ଠିକ୍‌ ଭାବେ ଦେଖାଶୁଣା କରାଯାଇ ନ ଥିଲା । ତାଙ୍କର ଆଇସିୟୁ ଜରୁରି ଆବଶ୍ୟକ ବୋଲି ଚିକିତ୍ସା କରୁଥିବା ନ୍ୟୁରୋସର୍ଜରୀ ବିଶେଷଜ୍ଞ ପରାମର୍ଶ ଦେଇଥିଲେ । ବେଡ୍‌ହେଡ୍‌ ଟିକେଟ୍‌ ଉପରେ ମଧ୍ୟ ଆଇସିୟୁ ମିଳିବା ଦରକାର ବୋଲି ଲେଖିଥିଲେ । ମାତ୍ର ଚିକିତ୍ସାଧୀନ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଅସହାୟ ହୋଇଥିବାରୁ ତାଙ୍କୁ କିପରି ଆଇସିୟୁ ମିଳିବ ସେ ସମ୍ପର୍କରେ କେହି ତତ୍ପରତା ଦେଖାଇନଥିଲେ । ଫଳରେ ସେ ଟ୍ରମା କାଜୁଆଲଟିରେ ପଡ଼ି ଚିକିତ୍ସିତ ହେଉଥିଲେ । ମୁଣ୍ଡରେ ହୋଇଥିବା କ୍ଷତକୁ ନିୟମିତ ଡ୍ରେସିଂ ନ କରିବାରୁ ସଂକ୍ରମଣ ବଢ଼ି ଯାଇଥିଲା । ଫଳରେ କ୍ଷତରୁ ପୋକ ବାହାରି ମୁଣ୍ଡକୁ ଚରି ଯାଇଥିଲେ । ପୋକ ଅହରହ ମୁଣ୍ଡରୁ ଝଡ଼ୁଥିଲେ । ଏପରି ଗୁରୁତର ଅବସ୍ଥାରେ ଅସହାୟ ସୂର୍ଯ୍ୟ ରହିଥିଲେ ମଧ୍ୟ ତାଙ୍କୁ ଆଇସିୟୁ ମିଳି ନ ଥିଲା ।

ମୁଣ୍ଡକୁ ପୋକ କାମୁଡ଼ୁ ଥିବାରୁ ସୂର୍ଯ୍ୟ ଅସ୍ତବ୍ୟସ୍ତ ହେଉଥିଲେ ବୋଲି ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି । ହାତଗୋଡ଼ କାମ କରୁ ନଥିବାରୁ ପଙ୍ଗୁ ଅବସ୍ଥାରେ ବେଡ୍‌ରେ ପଡ଼ିପଡ଼ି ଶେଷରେ ତାଙ୍କର ମୃତ୍ୟୁ ଘଟିଲା । ଦୁର୍ଘଟଣାଗ୍ରସ୍ତଙ୍କୁ ଏଭଳି ଚିକିତ୍ସାରେ ଅବହେଳା ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଗୌତମ ଶତପଥୀଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି, ଆଇସିୟୁ ନ ମିଳିଲେ ମଧ୍ୟ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ସେଣ୍ଟ୍ରାଲ୍‌ ଆଇସିୟୁ ଓ ଟ୍ରମା ଆଇସିୟୁକୁ କଲ୍‌ ଯାଇଥିଲେ ସୁଦ୍ଧା ବେଡ୍‌ ଫାଙ୍କା ନ ଥିବାରୁ ତାହା ସମ୍ଭବ ହୋଇପାରି ନଥିଲା ।