ଗଡ଼ମଧୁପୁର, ୨୪।୦୨: ଭାଙ୍ଗିଲା ପୂର୍ବତନ ବିଧାୟକ ବଳବନ୍ତରାୟଙ୍କ ଫାର୍ମ ହାଉସ୍ ପାଚେରୀ । ମଧୁପୁରଗଡ଼ ପଞ୍ଚାୟତର ପନ୍ତୁରୀ ଠାରେ ଥିବା ଫାର୍ମ ହାଉସ୍ ଜମିର ମାପଚୁପ ଓ ଡିମାର୍କେଶନ ପରେ ଉଚ୍ଛେଦ ହେଲା ଜବରଦଖଲ । ମଙ୍ଗଳବାର ସକାଳ ୧୧ ଟାରେ ବେଆଇନ ଜଙ୍ଗଲ କିସମ ଜମି ଉପରେ ହୋଇଥିବା ଫାର୍ମହାଉସର ପାଚେରୀକୁ ଆଜି ପ୍ରଶାସନ ଉପସ୍ଥିତିରେ ବୁଲଡୋଜର ଲଗାଇ ଭଙ୍ଗା ଯାଇଛି। ଘଟଣାସ୍ଥଳରେ ଯାଜପୁର ଏଡିଏମ ଗଗନ ବିହାରୀ ଦାସ, ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା, ଫାଣ୍ଡି ଅଫିସର ଅନିଲ ସାହୁ, ୪ ଜଣ ଆରଆଇ ଓ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।
ସୂଚନଯୋଗ୍ୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ମଧୁପୁର ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ରହିଛି । ଯେଉଁ ଫାର୍ମ ହାଉସ୍ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଚ୍ଛେଦ ହେବ ବୋଲି ଜଣା ପଡିଥିଲା। ପ୍ରଣବଙ୍କୁ ନୋଟିସ ପରେ ମାପ ଚୁପ ହୋଇଥିଲା। ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ। ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପଚୁପ ହେବା ପରେ ପ୍ରଣବଙ୍କ ଦଖଲରେ ନଥିବା ୧ ଏକର ୨୭ ଡିସିମିଲ ଜାଗା ଚିହ୍ନଟ କରାଇଥିବା। ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡିସିମିଲ ଉଚ୍ଛେଦ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଇଛି। ଆଜି ଉକ୍ତ ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ।
ଆହୁରି ପଢ଼ନ୍ତୁ :- ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମାର୍ଚ୍ଚ ସୁଦ୍ଧା ସବୁ ଧାନ କିଣିବେ ସରକାର, ଲାପ୍ସ ହେବନି କାହା ଟୋକନ
ତହସିଲ କର୍ମଚାରୀଙ୍କ ହିସାବ ଅନୁଯାୟୀ, ଜିତୁଙ୍କୁ ଏବେ ଫାର୍ମ ହାଉସ ପାଚେରୀ ଭିତରୁ ୧.୧୦ ଏକର ଜବର ଦଖଲ ଜମି ଛାଡିବାକୁ ଥିଲା ବେଳେ ପାଚେରୀ ବାହାରୁ ସେ ୧.୨୭ ଏକର ଜମି ପାଇଛନ୍ତି। ତେବେ ପନ୍ତୁରୀ ଠାରେ ୩୧୬ ଖାତାରେ ରହିଥିବା ତାଙ୍କର ମୋଟ ୧୨ ଏକର ୮୮ ଡିସିମିଲ ଜମିର ଏବେ ହିସାବ ବରାବର ହୋଇଛି। ଫାର୍ମ ହାଉସ ପାଚେରୀ ବାହାରୁ ସେ ୧.୨୭ ଏକର ଜମା ଜମି ପାଇଥିବାରୁ ପାଚେରୀ ଭିତରେ ରହିଥିବା ୧.୧୦ଏକର ସରକାରୀ ଜମିକୁ ଛାଡିବାକୁ ପଡିବ ବୋଲି ତହସିଲ କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ସରକାରୀ ସ୍ତରରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।