ନୂଆଦିଲ୍ଲୀ : ବିଜେପି ଆରାର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ , ବିଧାନ ପରିଷଦ ଅଶୋକ ଅଗ୍ରୱାଲ ଏବଂ କଟିହାରର ମେୟର ଉଷା ଅଗ୍ରୱାଲଙ୍କୁ ପାର୍ଟିରୁ ନିଲମ୍ୱିତ କରିଛି। ତିନି ଜଣଙ୍କ ଉପରେ ପାର୍ଟି ବିରୋଧୀ କାର୍ଯ୍ୟକଳାପ କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଆରକେ ସିଂହଙ୍କ ଉପରେ ଅଭିଯୋଗ ଯେ, ସେ ପାର୍ଟି ଲାଇନର ବିରୋଧରେ ଏବଂ ଏନଡିଏ ସରକାର ଓ ବିଜେପିର ନୀତି ବିରୋଧରେ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ବିଧାନସଭା ନିର୍ବାଚନ ବେଳେ ବିହାର ଏନଡିଏ ସରକାରର ବିରୁଦ୍ଧରେ ଶକ୍ତି ଦୁର୍ନୀତି ଏବଂ ଆଦାନୀଙ୍କୁ ଦିଆଯାଇ ଥିବା ଜମିକୁ ୬୨ ହଜାର କୋଟିର ଘୋଟାଲା ଦର୍ଶାଇ ମିଡ଼ିଆରେ ଅଭିଯୋଗ କରିଥିଲେ।
ଅନ୍ୟପଟେ ଅଶୋକ ଅଗ୍ରୱାଲ ସ୍ଥାନୀୟ ପ୍ରାଧିକରଣର ଜଣେ ଏମଏଲସି ହୋଇଥିବା ବେଳେ ତାଙ୍କ ପତ୍ନୀ ଉଷା ଅଗ୍ରୱାଲ କଟିହାରର ଜଣେ ମେୟର। ଉଭୟଙ୍କ ଉପରେ ଅଭିଯୋଗ ଯେ, ବିଜେପି ପ୍ରତ୍ୟାଶୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ବିରୋଧରେ ବିଧାନସଭା ନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ ସୃଷ୍ଟି କରି ଏନଡିଏକୁ ପରାସ୍ତ କରିବାକୁ ଚେଷ୍ଟା କରିଥିଲେ।
ବିଜେପି ସଙ୍ଗଠନାତ୍ମକ ଅନୁଶାସନକୁ ଦୃଢଭାବେ ଲାଗୁ କରି ତିନି ଜଣ ନେତାଙ୍କୁ ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଜଣାପଡ଼ିବା ପରେ ତତ୍କାଳ ପ୍ରଭାବରୁ ନିଲମ୍ୱିତ କରିଦେଇଛି। ପାର୍ଟି ନେତୃତ୍ୱ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ନିର୍ବାଚନୀ ସମୟରେ କୌଣସି ପରିସ୍ଥିତିରେ ଅନୁଶାସନହୀନତା ,ଗୋଷ୍ଠୀବାଦ କିମ୍ୱା ସରକାରୀ ପ୍ରାର୍ଥୀଙ୍କ ବିରୋଧରେ କାମ କରିବା ସହ୍ୟ କରାଯିବ ନାହିଁ।
ପାର୍ଟିର ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମାଙ୍କ ଅନୁସାରେ ଯେଉଁ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେମାନେ ଗତ କିଛି ଦିନରୁ ସଙ୍ଗଠନର ନିଷ୍ପତ୍ତିର ବିପରୀତରେ ଯାଇ କିମ୍ୱା ବିରୋଧୀ ଦଳର ପ୍ରାର୍ଥୀଙ୍କ ସମର୍ଥନ କରିବା ଜଣାପଡ଼ି ଥିଲା କିମ୍ୱା ପୁଣି ଅଫିସିଆଲି ପ୍ରତ୍ୟାଶୀଙ୍କ ବିରୋଧରେ ମାହୋଲ ସୃଷ୍ଟି କରିବା ଦେଖାଯାଇ ଥିଲା।