ଖଲ୍ଲିକୋଟ,୪/୬ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ମୋବାଇଲ ସ୍କ୍ୱାଡ଼ ଚଢ଼ଉ କରି ଗୋଟିଏ ଯାତ୍ରିବାହୀ ବସ୍ ଭିତରୁ ୧୮କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ଅବକାରୀ ମୋବାଇଲ ସ୍କ୍ୱାଡ଼ ଆଜି ମଧ୍ୟାହ୍ନରେ ଖଲ୍ଲିକୋଟ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଯାତ୍ରୀବାହୀ ବସରେ ଜଣେ ଯୁବକ ଗଞ୍ଜେଇ ନେଇ ଯାଉଥିବା ବିଶେଷ ସୂତ୍ରରୁ ଖବରପାଇ ଭରସା ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରି ବସ ଭିତରୁ ୧୮କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।
ଗିରଫ ଯୁବକ ଜଣଙ୍କ ବିହାର ଭୋଜପୁର ଜାମୁଅନ ଅଂଚଳର ଚନ୍ଦନ କୁମାର ବୋଲି ଜଣା ପଡିଛି । ଏହି ଚଢ଼ଉରେ ମୋବାଇଲ ସ୍କ୍ୱାଡ଼ ଏଏସଆଇ ରବିନ୍ଦ୍ର ନାଥ ବିଶ୍ଵାଳ, କନେଷ୍ଟବଳ ସୁରଜିତ ପ୍ରଧାନ, ଧନଞ୍ଜୟ ଦାସ, ପବିତ୍ର ସାହୁ, ସ୍ଵାଧୀନ ସାହୁ, ସମ୍ବିତ ପ୍ରଧାନ ଓ କେ.ହେମାବତୀ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ । ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦନ କୁମାରଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ସୂଚନା ଦେଇଛନ୍ତି।