ସୁନ୍ଦରଗଡ଼,୨୮/୦୭: ନିଶା ପାଇଁ ସୃଷ୍ଟି  ହେଉଛି ଅଶାନ୍ତି । ବିଗିଡ଼ି ଯାଉଛି ପରିବାରର  ଆର୍ଥିକ ସ୍ଥିତି । ଏହି କାରଣରୁ ମଦ ବିକ୍ରି ବନ୍ଦ କରିବାକୁ ଆନ୍ଦୋଳନକୁ ଓହ୍ଲାଉଛନ୍ତି ମହିଳା । ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ  ମେଘଡେଗା ପଞ୍ଚାୟତର ପ୍ରମୋଦିନୀ ମାଝୀ ମଧ୍ୟ ନିଶା ହଟାଇବାକୁ ଓହ୍ଲାଇଥିଲେ ଆନ୍ଦୋଳନକୁ । ଜନସମର୍ଥନ ପାଇବା ପରେ ସମିତିସଭ୍ୟ ଭାବେ ବିଜୟୀ ମଧ୍ୟ ହେଲେ । ହେଲେ ଖୋଦ୍‌ ଚୋରା ମଦ ବ୍ୟବସାୟ କରି ଏବେ ଅବକାରୀ ବିଭାଗ ହାତରେ ବନ୍ଧା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।  

ମେଘଡ଼େଗା ପଞ୍ଚାୟତରେ ଚୋରା ମଦ  କାରବାର ବିରୋଧରେ ସ୍ୱର ଉତ୍ତୋଳନ କରି  ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦିନୀ । ତାଙ୍କର ଏଭଳି ଉଦ୍ୟମ ଲୋକଙ୍କ ଆସ୍ଥା ଜିତିଥିଲା । ପଞ୍ଚାୟତ  ନିର୍ବାଚନରେ ତାଙ୍କୁ ଲୋକେ ସମିତିସଭ୍ୟ ଭାବେ  ବିପୁଳ ଭୋଟ୍‌ରେ ଜିତାଇଥିଲେ । ହେଲେ ନିର୍ବାଚନ  ପରେ ସେ ବଦଳିଗଲେ । ଅଞ୍ଚଳକୁ ମଦମୁକ୍ତ କରିବା  ବଦଳରେ ମଦ ବ୍ୟବସାୟ ଆରମ୍ଭ କରିଦେଲେ ।  ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ବେଆଇନ  ବ୍ୟବସାୟ ସମ୍ପର୍କରେ ବାରମ୍ବାର ଅଭିଯୋଗ  ହୋଇଥିଲା । ଉଜ୍ଜଲପୁର ଅବକାରୀ ଇନ୍ସପେକ୍ଟର  ଆରତୀ ମିଶ୍ର ଏ ସମ୍ପର୍କରେ ଜାଣିବା ପରେ ଏକ  ଟିମ୍‌ ସହ ଚଢ଼ଉ କରିଥିଲେ । ଘର ଯାଞ୍ଚ କରିବା  ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ମିଳିଥିଲା । ଜବତ ମଦ ଆନୁମାନିକ ୧ ଲକ୍ଷ  ଟଙ୍କାର ହେବ । ସମିତିସଭ୍ୟାଙ୍କୁ ଅବକାରୀ ବିଭାଗ  ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର  ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।