ନୂଆଦିଲ୍ଲୀ ୦୧/୦୬: ଏବେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି । ଅନେକ ସଂଖ୍ୟାରେ ଲୋକେ ଏଆଇକୁ ଦୈନନ୍ଦିନ ଜୀବନ ସହ ବୃତ୍ତିଗତ ଜୀବନରେ ମଧ୍ୟ ଉପଯୋଗ କରୁଛନ୍ତି । କମ୍‌ ସମୟରେ ଏବଂ ସଠିକ୍‌ତାର ସହ କାମ କରୁଥିବା କାରଣରୁ ଏଆଇ ଟେକ୍ନୋଲୋଜି ଏବଂ ଉପକରଣର ବ୍ୟବହାର ବଢ଼ିଛି । କିନ୍ତୁ ଏଆଇ ଅନେକ ସମୟରେ ଭୁଲ୍‌ ତଥ୍ୟ ପ୍ରଦାନ କରୁଥିବା ଏବଂ ଏଥିଯୋଗୁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଥିବା ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

​​​​​​​

ଆକ୍ସିଓସ୍‌ର ଏକ ରିପୋର୍ଟ ଅନୁସାରେ, ଏଆଇ ସିଷ୍ଟମ ପୂର୍ବାପେକ୍ଷା କମ୍‌ ଭୁଲ୍‌ କରୁଥିଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭୁଲ୍‌ ତଥ୍ୟ ଦେଇ ଭ୍ରମାତ୍ମକ ସ୍ଥିତି ସୃଷ୍ଟି କରୁଛି । ଏଆଇ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଏବଂ ମାର୍ଜିତ ଢଙ୍ଗରେ ଭୁଲ୍‌ ଉତ୍ତର ଦେଉଛି । ଫଳରେ ଭୁଲ୍‌କୁ ଚିହ୍ନଟ କରିବା କଷ୍ଟକର ହେଉଛି ଏବଂ ତଥ୍ୟ ଉପରେ କମ୍‌ ସନ୍ଦେହ ସୃଷ୍ଟି ହେଉଛି । ଏଥିଯୋଗୁ ଗବେଷଣା, ଚିକିତ୍ସା ପରାମର୍ଶ, ଶିକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଅଫିସିଆଲ କାମରେ ଏଆଇ ଦ୍ୱାରା ଦିଆଯାଇଥିବା ଭୁଲ୍‌ ତଥ୍ୟର ଉପଯୋଗ ସଙ୍ଗୀନ ସ୍ଥିତି ସୃଷ୍ଟି କରୁଥିବା ବିଶେଷଜ୍ଞମାନେ ଚେତାଇଛନ୍ତି ।

 

ବଡ଼ ଚିନ୍ତାର ବିଷୟ ହେଉଛି, ବ୍ୟବହାରକାରୀମାନେ ଏଆଇ ଦ୍ୱାରା ପ୍ରସ୍ତୁତ ଉତ୍ତରକୁ ଯାଞ୍ଚ ନ କରି ତାହା ଉପରେ ଆଖିବୁଜା ବିଶ୍ୱାସ କରିବା ଆରମ୍ଭ କରିଦେଇଛନ୍ତି ।  ରିପୋର୍ଟରେ ଦର୍ଶାଯାଇଛି, ଏଆଇ ଦ୍ୱାରା ଭ୍ରମ ସୃଷ୍ଟିକାରୀ ତଥ୍ୟଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ । କିନ୍ତୁ ବଡ଼ ଚ୍ୟାଲେଞ୍ଜ ସେତେବେଳେ ଆସେ ଯେତେବେଳେ ଏଆଇର ଉତ୍ତର ସମ୍ପୂର୍ଣ୍ଣ ସଠିକ୍‌ ମନେ ହୁଏ ଏବଂ ତାହା ଉପଯୁକ୍ତ ଭଳି ଶୁଣାଯାଏ । ଅନେକ ଭୁଲ୍‌ ଉତ୍ତର ଠିକ୍‌ର ଭ୍ରମ ସୃଷ୍ଟି କରେ । ଭୁଲ୍‌ ତଥ୍ୟ ଥାଇ ମଧ୍ୟ ଉତ୍ତରର ସାରାଂଶ ଠିକ୍‌ ହୋଇଥାଏ, ଯାହା ଏହି ଚ୍ୟାଲେଞ୍ଜକୁ ଜଟିଳ କରିଥାଏ । ଆକ୍ସିଓସ୍‌ ରିପୋର୍ଟରେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ, ବର୍କିଲିର ପ୍ରଫେସର ଡ୍ୟାନ୍‌ କ୍ଲେଇନ୍‌ କହିଛନ୍ତି, ଏଆଇ ସିଷ୍ଟମଗୁଡ଼ିକ ବାସ୍ତବରେ ସତ୍ୟ ଅନ୍ୱେଷଣ ଇଞ୍ଜିନ ନୁହନ୍ତି, ବରଂ ଏହା କେବଳ ସମ୍ଭାବ୍ୟ ଉତ୍ତର ପ୍ରଦାନକାରୀ ଇଞ୍ଜିନ, ଅର୍ଥାତ ଯାହା ସତ ପରି ମନେହୁଏ । ଏଆଇ ପ୍ରସ୍ତୁତକାରୀମାନେ ଏଆଇ ମଡେଲଗୁଡ଼ିକୁ ନିର୍ଭୂଲ ତଥ୍ୟ ଅପେକ୍ଷା ଅଧିକ ଗତିରେ କାର୍ଯ୍ୟ ସମାପ୍ତି ଦିଗରେ ଗୁରୁତ୍ୱ ଦେଇଥାନ୍ତି । ତେଣୁ ବାସ୍ତବ ତଥ୍ୟ ଜାଣିବା ଲାଗି ଏଆଇର ସହାୟତା ନେବା ବିପଦପୂର୍ଣ୍ଣ ହୋଇପାରେ ବୋଲି ସେ ଚେତାଇଛନ୍ତି ।

ଆହୁରି ପଢ଼ନ୍ତୁ...ବ୍ରହ୍ମାଣ୍ଡର ୩ଡି ନକ୍ସା ବନାଇବ ଚୀନ୍, ୨୦ ହଜାର ରୋବୋ ଆଖିରେ ଦେଖିବ ୟୁନିଭର୍ସ