ଭୁବନେଶ୍ୱର,୧୮/୧୦: ଜାମତରା ଗ୍ୟାଙ୍ଗ୍‌ ଭଳି ଭୁବନେଶ୍ୱରରେ କଲ୍‌ ସେଣ୍ଟର କରି ବିଦେଶୀଙ୍କୁ ଚୂନ  ଲଗାଉଥିବା ବଙ୍ଗୀୟ ଗ୍ୟାଙ୍ଗ୍‌ ଗୁରୁବାର ସାଇବର ପୁଲିସ୍‌  ହାତରେ ଧରା ପଡ଼ିଥିଲେ । ଏମାନଙ୍କ ମୂଳ ଗ୍ୟାଙ୍ଗ୍‌ କୋଲକାତାରେ ସକ୍ରିୟ ଥିବା ଜଣାପଡିଛି । ସେଥିପାଇଁ ସାଇବର ଥାନାର ଏକ ଟିମ କୋଲକାତା ଯିବ ବୋଲି ଡିସିପି  ପିନାକ ମିଶ୍ର କହିଛନ୍ତି । ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଲା । ଭୁବନେଶ୍ବର କୋର୍ଟରୁ ରିମାଣ୍ଡକୁ ଅନୁମତି ପ୍ରଦାନ କରିଛନ୍ତି ।  ଆଗକୁ ସମସ୍ତ ଅଭିଯୁକ୍ତଙ୍କୁ ନେଇ ଅଧିକ ପଚରାଉଚରା କରାଯିବ।

ଗୁରୁବାର ଗିରଫ ହୋଇଥିବା ସମୀର ମୋବିନ, ମହମ୍ମଦ ଜାଭେଦ ହୁସେନ, ମହମ୍ମଦ ତୋସିଫ୍‌, ଫୈଜାନ ଆଲମ୍‌, ସାଇବ ରାଜା ଓ ମହମ୍ମଦ ହାଇଦର ଅଲ୍ଲୀଙ୍କ ଠାରୁ ପୁଲିସ୍‌ ୧୧ଟି ମୋବାଇଲ୍‌, ୬ ଲାପଟପ ଓ କିଛି ରାଉଟର ଜବତ କରିଥିଲା । ଏହି ଗ୍ୟାଙ୍ଗ୍‌ର ମାଣ୍ଟରମାଇଣ୍ଡ କୋଲକାତାରେ ଲିଙ୍କ୍ ଥିବା ଜଣାପଡ଼ିଛି । ସେଥିପାଇଁ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ କୋଲକତା ଯାଇ ଘଟଣାର ଅଧିକ ତଦନ୍ତ କରିବ । ସେପଟେ ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଗକୁ ଅଭିଯୁକ୍ତମାନଙ୍କଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ଲକ୍ଷ ରଖିଛି କମିଶନରେଟ୍‌ ପୁଲିସ ।  

ସଫ୍ଟୱେର ଓ ଆଣ୍ଟି ଭାଇରସ ଅପଲୋଡ୍‌ କରିବାକୁ କହି ଏମାନେ ବିଦେଶୀଙ୍କୁ ଠକୁଥିଲେ । ଆମେରିକାର ଓ କାନାଡାର ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଫ୍ଲାଟ ଭଡ଼ା ନେଇ ଗିରଫ ଅଭିଯୁକ୍ତମାନେ ନକଲି କଲ ସେଣ୍ଟର ଚଲାଇଥିଲେ । ନିୟମ ଦୃଷ୍ଟିରୁ ଘର ମାଲିକ ଭଡ଼ାଟିଆଙ୍କ  ବିଷୟରେ ସ୍ଥାନୀୟ ଥାନାକୁ ଜଣାଇବାର ନିୟମ ରହିଛି ।  ହେଲେ ଘର ମାଲିକ ଏହାକୁ ପାଳନ କରିନଥିଲେ । ସେଥିପାଇଁ  ପୁଲିସ୍‌ ଘର ମାଲିକଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡ଼ିଛି ।